ଦିଲ୍ଲୀ ଷ୍ଟେସନ ଦଳାଚକଟା ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଲେ ତେଜସ୍ୱୀ ଯାଦବ,ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | February 16, 2025 IST

ପାଟନା ୧୬।୨: ଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତ୍ରିରେ ହୋଇଥିବା ଦଳାଚକଟାରେ ୧୮ଜଣଙ୍କ ମୃତ୍ୟୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବ ମୋଦି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ, ଦାୟିତ୍ୱହୀନତା ଯୋଗୁ ଗରିବ ମରୁଛନ୍ତି, ହେଲେ ସରକାରଙ୍କୁ ଏମାନଙ୍କର ଚିନ୍ତା ନାହିଁ। ତେଜସ୍ୱୀ ଯାଦବ ରବିବାର ପାଟନାରେ କହିଛନ୍ତି ଯେ କୁମ୍ଭରେ ବ୍ୟବସ୍ଥା ବିଫଳ ହୋଇଛି ଷ୍ଟେସନରୁ ଘାଟ ପର୍ଯ୍ୟନ୍ତ  ସବୁଠି ଲୋକେ ମରୁଛନ୍ତି। 

ସେ କହିଛନ୍ତି ଯେ ଏଭଳି ଘଟଣାରେ ବିହାରର ଲୋକେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଓ ସରକାର କେବଳ ଜନସମ୍ପର୍କରେ ସୀମିତ ରହି ଯାଇଛନ୍ତି। ସେ ଘଟଣାର ନିରପେକ୍ଷ ଯାଞ୍ଚ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିହାର ବିଧାନସଭାରେ ବିରୋଧୀ ଦଳ ନେତା କହିଛନ୍ତି ଯେ ପୁରା ଦେଶ ଓ ବିହାର ଜାଣିବାକୁ ଚାହୁଁଛି ଏହି ସବୁ ମୃତ୍ୟୁ ପାଇଁ ଦାୟି କିଏ? ଦୋଷୀ କିଏ? ହଜାର ହଜାର ଲୋକେ ମରୁଛନ୍ତି, ସରକାରଙ୍କୁ ସାମାନ୍ୟ ଚିନ୍ତା ମଧ୍ୟ ନାହିଁ। 


ଏଥିରେ ବିହାର ସରକାରଙ୍କ କୌଣସି ଚିନ୍ତା ମଧ୍ୟ ନାହିଁ। ଏ ବାବଦେ ରାଜ୍ୟରେ ସରକାରଙ୍କୁ ପଚାରିବାକୁ ବି କେହି ନାହିଁ। ତେବେ ଏଥି ପାଇଁ ଯେଉଁମାନେ ଦାୟି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ବାରମ୍ବାର ଦୁର୍ଘଟଣା ହେଉଛି, ହେଲେ ଲୋକେ ଏଥିରୁ କୌଣସି ଶିକ୍ଷା ପ୍ରାପ୍ତ କରୁ ନାହାନ୍ତି ପୁଣି ସେହି ଭୁଲ କରୁଛନ୍ତି ଓ ମରୁଛନ୍ତି। ସରକାର କେବଳ କ୍ଷତିପୂରଣ ଘୋଷଣା କରି ଚୁପ ହୋଇ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ତେଜସ୍ୱୀ କହିଛନ୍ତି। 


ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ବିହାରର ସମସ୍ୟା ସମାଧାନ ପାଇଁ ଦିଲ୍ଲୀ ଯାଉ ନାହାନ୍ତି। ତେବେ ଲାଲୁ ଯାଦବ ଶବ ଉପରେ ରାଜନୀତି କରୁଥିବା ନେଇ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ ଟିପ୍ପଣୀ ଉପରେ ପ୍ରଶ୍ନ କରାଯିବାରୁ ତେଜସ୍ୱୀ କହିଛନ୍ତି ଲୋକେ ମରୁଛନ୍ତି କି ନାହିଁ ଆଗ ସେ ଏ କଥା ସ୍ପଷ୍ଟ କରନ୍ତୁ। ଏମାନେ ଯେ ପର୍ଯ୍ୟନ୍ତ ଲାଲୁ ପ୍ରସାଦ ଯାଦବଙ୍କୁ ଗାଳି ନ ଦେଇଛନ୍ତିସେ ପର୍ଯ୍ୟନ୍ତ ସେମାନଙ୍କ ମୁହଁ ଟିଭିରେ ଦେଖାଯିବ ନାହିଁ କି ପେପରରେ ବାହାରିବ ନାହିଁ। ଏଣୁ ସେମାନେ ଲଗାତାର ଲାଲୁ ଯାଦବଙ୍କୁ ଗାଳି ଦେଉଥିବା ତେଜସ୍ୱୀ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.