ନୂଆଦିଲ୍ଲୀ ୦୫/୦୩: ତରଳିବ ବିଶ୍ୱର ସର୍ବବୃହତ୍ ହିମଖଣ୍ଡ ଏ୨୩ଏ । ଦକ୍ଷିଣ ଜର୍ଜିଆର ସୁଦୂର ବ୍ରିଟିଶ୍ ଦ୍ୱୀପର ଅଗଭୀର ପାଣିରେ ଏହା ଅଟକି ଯାଇଛି । ସେଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପେଙ୍ଗୁଇନ୍ ଓ ସିଲ୍ ରହନ୍ତି । ଗ୍ରେଟର ଲଣ୍ଡନର ଆକାରଠାରୁ ପ୍ରାୟ ଦୁଇଗୁଣ ବଡ଼ ଏହି ହିମଖଣ୍ଡ ଫସି ଯାଇଥିବା ଭଳି ମନେ ହେଉଛି । ଦ୍ୱୀପର ଦକ୍ଷିଣ ପଶ୍ଚିମ ତଟରେ ଏହା ତରଳିବା ଆରମ୍ଭ କରିପାରେ ।
ମତ୍ସଜୀବୀମାନେ ଭୟ କରୁଛନ୍ତି ଯେ ଏହାଯୋଗୁ ସେମାନଙ୍କୁ ବରଫର ବିଶାଳ ଖଣ୍ଡ ସହ ସଂଘର୍ଷ କରିବାକୁ ପଡିପାରେ । ଏହା ସେହି ଅଞ୍ଚଳରେ ରହୁଥିବା କିଛି ମାକାରୋନି ପେଙ୍ଗୁଇନ୍ମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ । କିନ୍ତୁ ଆଣ୍ଟାର୍କଟିକାର ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବରଫଖଣ୍ଡ ମଧ୍ୟରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି । ସେଥିଯୋଗୁ ତାହା ତରଳିବା ସହିତ ସମୁଦ୍ରରେ ଜୀବନର ବିସ୍ଫୋରଣ ସୃଷ୍ଟି ହେବ ।
ବ୍ରିଟିଶ୍ ଆଣ୍ଟାର୍କଟିକ୍ ସର୍ଭେର ପ୍ରଫେସର ନାଦିନ୍ ଜନଷ୍ଟନ୍ କହିଛନ୍ତି, ଏହା ଖାଲି ମରୁଭୁମି ମଧ୍ୟରେ ପୋଷକତତ୍ତ୍ୱରେ ପୂର୍ଣ୍ଣ ବୋମା ବିସ୍ଫୋରଣ କରିବା ଭଳି । ଦକ୍ଷିଣ ଜର୍ଜିଆ ସରକାରଙ୍କ ପରାମର୍ଶଦାତା ପରିବେଶବିତ୍ ମାର୍କ ୱେଲଚିୟର କହିଛନ୍ତି, ଯଦି ଏହି ବରଫଖଣ୍ଡ ତରଳିଯାଏ ତେବେ ପରିଣାମସୂରୁପ ସୃଷ୍ଟି ହେବାକୁ ଥିବା ହିମଖଣ୍ଡ ସ୍ଥାନୀୟ ସ୍ରୋତରେ ଆଗକୁ ବଢ଼ି ଜାହାଜଗୁଡିକ ଲାଗି ବିପଦ ସୃଷ୍ଟି କରିପାରନ୍ତି । ଏହା ସ୍ଥାନୀୟ ମାଛ ଧରିବା ସ୍ଥାନକୁ ଜାହାଜଗୁଡି଼କର ପ୍ରବେଶକୁ ପ୍ରତିବନ୍ଧିତ କରିପାରେ ।
ହିମଖଣ୍ଡଟି ପ୍ରାୟ ୪୦ ବର୍ଷ ପୂର୍ବରୁ ୧୯୮୬ରେ ଫିଲଚନର ଆଇସ ସେଲ୍ଫଠାରୁ ଅଲଗା ହୋଇଯାଇଥିଲା । ଡିସେମ୍ବର ମାସରୁ ଯେତେବେଳେ ଏହା ଏକ ସମୁଦ୍ର ଘୂର୍ଣ୍ଣିବଳୟରେ ଫସି ରହିବା ପରେ ଶେଷରେ ମୁକ୍ତ ହୋଇଥିଲା, ସେବେଠାରୁ ଆମେ ଉପଗ୍ରହ ଚିତ୍ର ମାଧ୍ୟମରେ ଏହାର ମାର୍ଗକୁ ଟ୍ରାକ୍ କରିଛୁ । ଗରମ ପାଣି ମାଧ୍ୟମରେ ଏହା ଉତ୍ତର ଆଡ଼କୁ ବଢ଼ୁଥିବା ସମୟରେ ପ୍ରାୟତଃ ସ୍ଥିର ରହିଥିଲା । କିଛି ଦିନ ଧରି ଏହା ଘୂରୁଥିବା ଦେଖାଯାଇଥିଲା । ଏହାପରେ ଫେବ୍ରୁଆରୀ ମାସର ମଧ୍ୟ ଭାଗରେ ଏହାର ଗତି ବଢ଼ିଗଲା । ହିମଖଣ୍ଡଟି ଦିନକୁ ପ୍ରାୟ ୩୦ କିମି ଗତିରେ ଚାଲିବା ଆରମ୍ଭ କଲା ବୋଲି ସେ ପ୍ରକାଶ କରିଛନ୍ତି ।
ସେହିପରି ସବୁ ହିମଖଣ୍ଡ ଧ୍ୱଂସ ହେବା ନିଶ୍ଚିତ । କିନ୍ତୁ ଏ୨୩ଏ ଏତେ ବର୍ଷ ଧରି ତିଷ୍ଠିବା ଓ ଆକାରର ମାତ୍ର ଏକ ଚତୁର୍ଥାଂଶ ହରାଇବା ଏକ ଆଶ୍ଚର୍ଯ୍ୟଜନକ କଥା ବୋଲି ପ୍ରଫେସର ହୁ ଗ୍ରିଫିଥସ୍ କହିଛନ୍ତି । ଶନିବାର ଏହି ୩୦୦ ମିଟର ଉଚ୍ଚ ହିମଖଣ୍ଡଟି ସ୍ଥଳଭାଗରୁ ପ୍ରାୟ ୫୦ ମାଇଲ(୮୦ କିମି) ଦୂରରେ ଅଗଭୀର ମହାଦେଶୀୟ ତଟରେ ବାଡ଼େଇ ହୋଇଥିଲା । ବର୍ତ୍ତମାନ ଏହା ଦୃଢ଼ ଭାବରେ ସ୍ଥିର ହୋଇଥିବା ଭଳି ମନେ
ହେଉଛି । ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେର ପ୍ରଫେସର ଆଣ୍ଡ୍ରୁ ମେଜରସ କହିଛନ୍ତି, ହିମଖଣ୍ଡଟି ଖଣ୍ଡ ଖଣ୍ଡ ନ ହେବା ଯାଏ ବର୍ତ୍ତମାନ ଯେଉଁଠାରେ ଅଛି ସେଠାରେ ରହିବା ଆଶା କରାଯାଉଛି । ଏହା କ୍ଷୟର ଆଗୁଆ ସଙ୍କେତ ଦେଖାଉଛି । ଏକଦା ୩୯୦୦ ବର୍ଗ କିମି ଯାଏ ପରିବ୍ୟାପ୍ତ ଏହି ହିମଖଣ୍ଡ କ୍ରମାଗତ ଭାବେ ସଙ୍କୁଚିତ ହେଉଛି । ଉଷ୍ମ ସମୁଦ୍ରକୁ ଗତି କରିବା ସହିତ ପ୍ରଚୁର ପରିମାଣରେ ପାଣି ଛାଡୁଛି । ବର୍ତ୍ତମାନ ଏହାର ଆକାର ଆନୁମାନିକ ୩୨୩୪ ବର୍ଗ କିମି ।
ଏକ ବଡ଼, ନିର୍ମଳ ବରଫ ବାକ୍ସ ବଦଳରେ ଏବେ ଏହାର ଧାରରେ ଗୁମ୍ପା ଦେଖିହେବ । ସେହିପରି ଜୁଆର ଏବେ ଏହାକୁ ଉପର ତଳ କରିବ । ଯେଉଁଠାରେ ଏହା ମହାଦେଶୀୟ ତଟକୁ ଛୁଇଁବ ସେଠାରେ ଆଗକୁ ପଛକୁ ଘସିହେବ, ସେଥିଯୋଗୁ ଚଟାଣ ଓ ବରଫର କ୍ଷୟ ହେବ । ଯଦି ତଳଭାଗର ବରଫ ସଢ଼ିଯାଇଥିବ ତେବେ ତାହା ଚାପରେ ଭାଙ୍ଗି ଯାଇପାରେ । ବୋଧହୁଏ ଏହା ଅଧିକ ଅଗଭୀର କୌଣସି ସ୍ଥାନକୁ ଭାସିଯିବ । କିନ୍ତୁ ଯେଉଁଠାରେ ହିମଖଣ୍ଡ ମହାଦେଶୀୟ ତଟକୁ ସ୍ପର୍ଶ କରୁଛି ସେଠାରେ ପ୍ରବାଳ, ସମୁଦ୍ର ସ୍ଲଗ୍ ଓ ସ୍ପଞ୍ଜ ଭଳି ହଜାର ହଜାର କ୍ଷୁଦ୍ର ପ୍ରାଣୀ ରହୁଛନ୍ତି ।
ସେମାନଙ୍କର ଦୁନିଆ ସମୁଦ୍ର ଭୂମିରେ ବରଫର ଏକ ବିଶାଳ ପରସ୍ତ ଦ୍ୱାରା ଧ୍ୱସ୍ତ ହୋଇଯାଉଛି । ଏହି ପ୍ରଜାତିମାନଙ୍କ ଲାଗି ଏହା କ୍ଷଣସ୍ଥାୟୀ ଭାବେ ବିପଜ୍ଜନକ, କିନ୍ତୁ ଏହା ସେହି ଅଞ୍ଚଳର ଜୀବନଚକ୍ରର ଏକ ପ୍ରାକୃତିକ ଅଂଶ । ଯେଉଁଠାରେ ଏହା ଗୋଟିଏ ସ୍ଥାନରେ କିଛି ନଷ୍ଟ କରୁଛି, ଅନ୍ୟ ସ୍ଥାନରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛି ।
ହିମଖଣ୍ଡ ମିଠା ପାଣିକୁ ଲୁଣିଆ ପାଣିରେ ପରିଣତ କରିଦେଇଥାଏ । ଯାହା ଫଳରେ ପେଙ୍ଗୁଇନ୍ ଖାଉଥିବା କ୍ରିଲ୍ ସମେତ ଖାଦ୍ୟର ପରିମାଣ ହ୍ରାସ ପାଏ । ଏହି ପକ୍ଷୀମାନେ ଅନ୍ୟ ଖାଦ୍ୟ ସ୍ଥାନକୁ ଯାଇପାରିବେ, କିନ୍ତୁ ଏହା ସେମାନଙ୍କୁ ଅନ୍ୟ ପ୍ରାଣୀଙ୍କ ସହ ପ୍ରତିଯୋଗିତା କରାଇବ ।
ଏପ୍ରିଲରେ ମାଛ ଧରିବା ଋତୁ ଆରମ୍ଭ ହେଲେ ହିମଖଣ୍ଡ ବନ୍ଦରଗୁଡି଼କୁ ଅବରୋଧ କରିପାରେ କିମ୍ବା ନୌଚାଳନାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି ।