ଭୁବନେଶ୍ୱର,୧୨।୧୧: ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ । ଏହା ପ୍ରଭାବରେ ଅଧିକ ଶୀତ ଅନୁଭୂତ ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ସୋମବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୫.୨ ଡିଗ୍ରୀ ରେକର୍ଡ ହୋଇଥିଲା । ଅନୁଗୁଳରେ ୧୬, କେନ୍ଦୁଝରରେ ୧୭, କୋରାପୁଟ ଓ ଭବାନୀପାଟଣାରେ ୧୬.୫, ନବରଙ୍ଗପୁରରେ ୧୭, ରାୟଗଡ଼ାରେ ୧୮, ରାଉରକେଲାରେ ୧୮.୪, ବଲାଙ୍ଗୀରରେ ୧୮.୫, ଢେଙ୍କାନାଳରେ ୧୮.୯, ସୋନପୁର ଓ ନୟାଗଡ଼ରେ ୧୯.୨, ବୌଦ୍ଧରେ ୧୯.୮ ଓ ହୀରାକୁଦରେ ୧୯.୯ ଡିଗ୍ରୀ ରେକର୍ଡ ହୋଇଛି ।
ବୁଧବାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ପାଗ ଶୁଖିଲା ରହିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଦିଗରେ ଗତି କରିବା ସହ ଦୁଇ ଦିନ ଭିତରେ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବ । ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବନି ।