ମହାକାଳପଡ଼ା: ଲଗାଣ ବର୍ଷା ସହ ପ୍ରବଳ ପବନ ପ୍ରଭାବରେ ସରକାରଙ୍କ ଇନ୍ଦିରା ଆବାସ ଯୋଜନାରେ ମିଳିଥିବା ଘର ଛାତ ଭୁଶୁଡି ପଡିଛି। ଆଉ ଘର ଭିତରେ ଶୋଇଥିବା ମା ଓ ଦୁଇ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛିଲା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲୁନିମାଠିଆ ଶବରପଡା ଗାଁରେ।
ସ୍ୱାମୀ ପରିତ୍ୟକ୍ତା ଠୁଲି ନାୟ, ସବୁଦିନ ଭଳି ଖାଇ ପିଇ ନିଜର ଦୁଇ ପୁଅକୁ ଧରି ୧୫ ବର୍ଷ ତଳେ ମିଳିଥିବା ଇନ୍ଦିରା ଆବାସ ଘରେ ଶୋଇଥିଲେ। ହେଲେ ହଠାତ ରାତି ପ୍ରାୟ ୧୨ଟାରେ ଘରର ଗୋଟିଏ ପାର୍ଶ୍ଵରୁ ଛାତ ଖସିବା ପଡ଼ିବା ଶବ୍ଦ ଶୁଣି ନିଦ ଭାଙ୍ଗି ଗଲା। ତତକ୍ଷଣାତ ନିଜର ଦୁଇ ପୁଅକୁ ଧରି ଘରୁ ବାହାରି ପଡ଼ିଥିଲେ। ଆଉ ତାଙ୍କ ଆଖି ଆଗରେ ସମ୍ପୂର୍ଣ୍ଣ ଘରର ଛାତ ଭୁଶୁଡି ପଡ଼ିଲା। ଘରେ ଥିବା ଦୁଇଗୋଟି ସାଇକେଲ ଓ ଆସବାବପତ୍ର ଛାତ ତଳେ ପୋତି ହୋଇଯାଇଛି। ବର୍ଷା ଦିନେ କେଉଁଠି ଆଶୟ ନେବେ ଠୁଲିଙ୍କ ଚିନ୍ତା ବଢିଛି। ସେ ଅଭାବୀ ଦିନ ମଜୁରିଆ ହୋଇଥିବାରୁ ଘର ଖଣ୍ଡେ ନିର୍ମାଣ କରିବା କାଠିକର ପାଠ। ଠୁଲିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।