ରାଜ୍ୟର ବିଭିନ୍ନ ସ୍ଥାନରେ ରଥଟଣା, ବାରିପଦାରେ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Published By : Prameya-News7 Bureau | July 08, 2024 IST

ଭୁବନେଶ୍ବର: ଶ୍ରୀକ୍ଷେତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ଭକ୍ତମାନେ ଆନନ୍ଦର ସହ ରଥ ଟାଣି ନିଜକୁ ଧନ୍ୟମନେ କରିଛନ୍ତି। 

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଧୁମଧାମରେ ପାଳିତ ହେଉଛି ରଥଯାତ୍ରା। ରଥାରୂଢ଼ ତିନିଠାକୁରଙ୍କ ଦର୍ଶନ କରିବା ସହ ରଥଟାଣି ଭାବବିହ୍ବଳ ହୋଇପଡ଼ିଛନ୍ତି ଭକ୍ତଗଣ। ପରମ୍ପରା ଅନୁସାରେ ରବିବାର ସନ୍ଧ୍ୟାରେ ଗୋଟି ପହଣ୍ଡିରେ ରଥ ବିଜେ କରିଥିଲେ ଶ୍ରୀଶ୍ରୀ ହରି ବଳଦେବଜୀଉ। ରାତିରେ ରଥରେହିଁ ରହିଥିଲେ ପ୍ରଭୁ। ଆଉ ସୋମବାର ଅପରାହ୍ନରେ ପୁଣି ରଥଟଣା ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏଠାରେ ପହଞ୍ଚି ରଥ ଟାଣିଥିଲେ। 

ଏଠାରେ ମହିଳାମାନେହିଁ ମାଆ ସୁଭଦ୍ରାଙ୍କ ରଥ ଟାଣିଥାନ୍ତି। ଆହୁରି ମଧ୍ୟ ସୁଭଦ୍ରାଙ୍କ ରଥକୁ ଅଧାବାଟରେ ରଖିବାର ପରମ୍ପରା ରହିଛି। ମଙ୍ଗଳବାର ପୁଣି ମହିଳାମାନେ ମାଆ ସୁଭଦ୍ରାଙ୍କ ରଥ ଟାଣିବେ। ପରେ ଜଗନ୍ନାଥଙ୍କ ରଥ ଟାଣି ମାଉସୀମାଙ୍କ ଘରେ ପହଞ୍ଚିବା ପରେ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି। କେବଳ ବାରିପଦା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଲାଗି ଧାଇଁ ଆସିଛନ୍ତି। ଏ ଦର୍ଶନର ଆନନ୍ଦ ଓ ଅନୁଭୂତି ଅନନ୍ୟ ବୋଲି କହିଛନ୍ତି ଭକ୍ତ। ସୋମବାର ବଳଭଦ୍ରଙ୍କ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି।

ତୁଳସୀ କ୍ଷେତ୍ରରେ ଗଡ଼ିଲା ବ୍ରହ୍ମ ତାଳଧ୍ବଜ
 
ସେହିପରି ତୁଳସୀ କ୍ଷେତ୍ରରେ ଗଡ଼ିଲା ବ୍ରହ୍ମ ତାଳଧ୍ୱଜ l ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ଦ୍ଵିପ୍ରହର ଧୂପ ପରେ ହଜାର ହଜାର ଭକ୍ତ ବ୍ରହ୍ମ ତାଳଧ୍ଵଜ ରଥକୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ l ରଥରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ଦର୍ଶନ କରି ଆଶିଷ ଲାଭ କରିଥିଲେ ଭକ୍ତ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। 

କେନ୍ଦୁଝରରେବି ପାଳିତ ହୋଇଛି ରଥଯାତ୍ରା

କେନ୍ଦୁଝରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ଗତକାଲି ପ୍ରଭୁ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରିପଟେ ତିନି ଥର ପରିକ୍ରମା କରିବା ପରେ ରଥାରୁଢ ହୋଇଥିଲେ। କେନ୍ଦୁଝରର ଯୁବରାଜ ଛେରା ପହଁରା କରିବା ପରେ ସନ୍ଧ୍ୟାରେ ସାମାନ୍ୟ ରଥଟଣା ହୋଇଥିଲା। ସୋମବାର ଦିନ ୧୧ଟାରେ ପୁଣି ରଥ ଟଣାଯାଇଥିଲା। ଭକ୍ତମାନେ ଉତ୍ସାହର ଭକ୍ତିପୂତ ଭାବରେ ରଥ ଟାଣି ମାଉସୀ ମା ମନ୍ଦିର ନିକଟରେ ରଥ ପହଞ୍ଚାଇଛନ୍ତି। 
ନୀଳଗିରିରେ ମହାଆଡ଼ମ୍ବରରେ ରଥଯାତ୍ରା ଅନୁଷ୍ଠିତ
 
ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ଘୋଷଯାତ୍ରା। ନୀଳଗିରିରେ ତିନିଦିନ ଧରି ନିଆରା ଢଙ୍ଗରେ ରଥଯାତ୍ରା ହୋଇଥାଏ। ଅନୁକୂଳ ପାଗ ଥିବାବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। 

ଆଦିମ ଶ୍ରୀକ୍ଷେତ୍ରରେ ରଥଯାତ୍ରା
ଆଦିମ ଶ୍ରୀକ୍ଷେତ୍ର କୋଟିଆରେ ମଧ୍ୟ ଆଷାଢ଼ ଶୁକ୍ଳ ତୃତୀୟା ତିଥିରେ ରଥଟଣାଯାଇଛି। କୋଟିଆ ରଥ ଯାତ୍ରା ନିଆରା। କାରଣ ପ୍ରତ୍ୟେକ ସ୍ଥାନର ଦିନକ ପରେ ଏଠାରେ ରଥ ଟଣାଯାଇଥାଏ। ଆଉ ଏହି ଯାତ୍ରାରେ ଉଭୟ ଆନ୍ଧ୍ର ଓ ଓଡ଼ିଶାର ଭକ୍ତଙ୍କ ସମାଗମ ହୋଇଥାଏ। ସ୍ଥାନୀୟ ଆଦିବାସୀ ବହୁଳ ମାତ୍ରାରେ ସାମିଲ ହୋଇ ଅତି ଆଡମ୍ବର ସହ ଟାଣିଛନ୍ତି। ଶ୍ରୀ ଜିଉମାନେ ମାଉସୀ ମାଙ୍କ ଘରେ ବିରାଜମାନ ହୋଇଛନ୍ତି। ବାହୁଡ଼ା ପର୍ଯ୍ୟନ୍ତ ତିନିଠାକୁର ପୂଜା ପାଇବା ସହ ଭକ୍ତଙ୍କୁ ଦର୍ଶନ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.