ବିଜେପି ଓ ଆପର ନିଦ ଉଡେଇ ଦେଇଛି ଦିଲ୍ଲୀର ଏହି ୨୦ ସିଟ୍, ଏଗଜିଟ ପୋଲ କରିଥିବା ସଂସ୍ଥା ବି ଚିନ୍ତାରେ

Published By : Prameya-News7 Bureau | February 06, 2025 IST

ନୂଆଦିଲ୍ଲୀ ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଧିକାଂଶ ଏଗଜିଟ୍ ପୋଲ ଫଳାଫଳରେ ବିଜେପି ଜିତୁଛି, ଏହା ପରେ ବି କିଛି ଆସନର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇପାରେ। ଏଗଜିଟ ପୋଲ କରିଥିବା ଏଜେନ୍ସୀ ମଧ୍ୟ କହିଲେଣି ଏହି ଭୋଟରଙ୍କ କାରଣରୁ ସବୁ ଓଲଟପାଲଟ ହୋଇପାରେ। ନିର୍ବାଚନ ପୂର୍ବରୁ ଏହି ଭୋଟରମାନଙ୍କ ପ୍ରସଙ୍ଗ ଅନ୍ୟ କିଛି ଥିଲା ହେଲେ ସେମାନେ ଅନ୍ୟ ପ୍ରସଙ୍ଗରେ ଭୋଟ ଦେଇଛନ୍ତି। ଏପରି ଭୋଟରଙ୍କ ମଧ୍ୟରୁ ଏବେ ଅନେକ ଫୋନ ମଧ୍ୟ ଉଠାଉ ନାହାନ୍ତି। 

ଏଣୁ ଭୋଟରଙ୍କ ଏପରି ବ୍ୟବହାରରୁ ବିଜେପି ନେତାଙ୍କ ହାଲ ଏବେ ଯାହା ଉଣା ଅଧିକେ ଆପ ନେତାଙ୍କ ଅବସ୍ଥା ମଧ୍ୟ ସେଇଆ। ଆପ ସୂତ୍ର ଅନୁସାରେ ନିଜେ ଅରବିନ୍ଦ କେଜରିୱାଲ ଟେଲିଫୋନରେ ପ୍ରାର୍ଥୀଙ୍କ ସହ କଥା ହୋଇ ଭୋଟିଂର ପାଟର୍ଣ୍ଣ ବୁଝିବାକୁ ଚେଷ୍ଟା କରିଥିଲେ। ହେଲେ ଏବେ ସେ ନିଜ କନଫ୍ୟୁଜ ଥିବା ଜଣାପଡିଛି। ଗତକାଲି ଅର୍ଥାତ ବୁଧବାର ବିଜେପି ନେତାଙ୍କର ମଧ୍ୟ ଏହି ଅବସ୍ଥା ଥିଲା। ଉଭୟ ପାର୍ଟିଙ୍କୁ ଅନୁନ୍ୟ ୨୦ ବିଧାନସଭା ଆସନର ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। 

ଦିଲ୍ଲୀରେ ଭୋଟ ଗ୍ରହଣ ସରିଲାଣି। ଫେବୃଆରୀ ୮ ତାରିଖ ଦିନ ଭୋଟ ଗଣନା ହେବ, ହେଲେ ଏହା ପୂର୍ବରୁ ସବୁ ଏଗଜିଟ୍ ପୋଲରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି। ଏଥିରେ ସଟ୍ଟାବଜାର ଆମ ଆଦମୀ ପାର୍ଟିକୁ ୩୮ରୁ ୪୦ ସିଟ୍ ମିଳିବାର ଅନୁମାନ କରୁଛି। ଏଥିରେ ବିଜେପିକୁ ୩୦ରୁ ୩୨ଟି ସିଟ୍ ମିଳିବ ବୋଲି ଅନୁମାନ କରାଯାଉଛି। ସଟ୍ଟା ବଜାର କିନ୍ତୁ କଂଗ୍ରେସକୁ ଗୋଟିଏ ବି ଆସନ ଦେଉ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ସଂଖ୍ୟାଗରିଷ୍ଠତାର ସଂଖ୍ୟା ୩୬। ହେଲେ ଗତ ଦୁଇ ବିଧାନସଭା ନିର୍ବାଚନରେ ଭୋଟର ଏକତରଫା ଭୋଟ ଦେଇଥିଲେ। ଏଥର ମଧ୍ୟ ସେଇଆ ହୋଇପାରେ ବୋଲି ସଟ୍ଟାବଜାର ଅନୁମାନ କରୁଛି। 

କିନ୍ତୁ ନୂଆଦିଲ୍ଲୀ, ଜଙ୍ଗପୁରା, କାଲକାଜୀ, ଲକ୍ଷ୍ମୀନଗର, ପଟପଡଗଞ୍ଜ, ନରେଲା, ବରାଡୀ, କିରାଡୀ, ସୁଲତାନପୁର ମାଜରା, ସାଲିମାର ବାଗ, ଚାନ୍ଦନୀଚୌକ, କରୋଲବାଗ, ରଜୌରୀ ଗାର୍ଡନ,ତିଲକନଗର, ବିଜବାସନ,ଆର.କେ.ପୁରମ, ଆମ୍ବେଦକର ନଗର(ସଂରକ୍ଷିତ), ସଙ୍ଗମବିହାର, ତୁଗଲକାବାଦ, ବଦରପୁର, ତ୍ରିଲୋକପୁରୀ ଓ କୋଣ୍ଡଲୀ(ସଂରକ୍ଷିତ) ଭଳି ଆସନ ସବୁକୁ ଉଭୟ ପାର୍ଟି ଏବେ ୫୦-୫୦ ମାନି ନେଇଛନ୍ତି। କିଛି ଏଗଜିଟ ପୋଲରେ ନୂଆଦିଲ୍ଲୀ, କାଲକାଜୀ ଓ ଜଙ୍ଗପୁରାକୁ ନେଇ ସ୍ଥିତି ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ବି ପାର୍ଟିମାନେ ୮ ତାରିଖ ନ ଆସିବା ପର୍ଯ୍ୟନ୍ତ ଏହି ସିଟଗୁଡିକର ଆକଳନ କଷ୍ଟକର ବୋଲି କହୁଛନ୍ତି। ଏହି ଆସନମାନଙ୍କରେ ହାର-ଜିତର ଅନ୍ତର ୧୫ଶହରୁ ୫ହଜାର ଭୋଟରେ ରହିବ ବୋଲି ଅନୁମାନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.