ନୂଆଦିଲ୍ଲୀ: ନବରାତ୍ରୀ, ଦଶହରା ଓ ଦୀପାବଳି ଭଳି ଫେଷ୍ଟିଭାଲରେ ଅଧିକାଂଶ ଲୋକେ ନୂଆ କାର୍ କିଣନ୍ତି। ଚଳିତ ଥର ଫେଷ୍ଟିଭ ସିଜିନରେ ବି ଖୁବ୍ କାର୍ କିଣାଯାଇଛି। କିନ୍ତୁ ଗତ ଅକ୍ଟୋବର ମାସରେ ସେଲ୍ସ ଚାର୍ଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଘରୋଇ ବଜାରରେ ମାରୁତି ସୁଜୁକିର ଗତି ଧିମା ହୋଇଛି। ଅନ୍ୟପଟେ ମହିନ୍ଦ୍ରାର ଆୟବି ଖୁବ୍ ବଢ଼ିଛି। ତେବେ ଆସନ୍ତୁ ନଜର ପକାଇବା ପାର୍ବଣ ସିଜିନରେ ଘରୋଇ ବଜାରରେ କେଉଁ କମ୍ପାନୀ କେତେ କାର୍ ବିକ୍ରି କରିଛନ୍ତି। ନଜର ପକାନ୍ତୁ ତାଲିକା ଉପରେ।
ଏମଜି ମୋଟର ଅକ୍ଟୋବରରେ ପାଖାପାଖି ୭,୪୦୫ କାର୍ ବିକ୍ରି କରି ରହିଛି ସପ୍ତମ ସ୍ଥାନରେ। ଯାହା ଗତ ବର୍ଷ ଅକ୍ଟୋବରରେ ୫,୧୦୮ ଥିଲା। ଟୋୟୋଟା, ପାର୍ବଣ ସିଜିନରେ ପାଖାପାଖି ୨୮,୧୩୮ କାର୍ ବିକ୍ରି ସହ ଷଷ୍ଠ ସ୍ଥାନରେ ରହିଛି । ସେଲ୍ଟସ, ସୋନେଟ୍ ସହ କିଆ ପଞ୍ଚମ ସ୍ଥାନରେ ଅଛି। କମ୍ପାନୀ ଘରୋଇ ବଜାରରେ ୨୮,୫୪୫ କାର୍ ବିକ୍ରି କରିଛି। ଯାହା ଗତ ବର୍ଷ ଅକ୍ଟୋବର ବିକ୍ରି ଠାରୁ ୨୧, ୯୪୧ ୟୁନିଟ୍ ତୁଳନାରେ ୩୦% ଅଧିକ।
ସେହିଭଳି ଏଥର ଟାଟା ମୋଟର୍ସକୁ ଝଟକା ଲାଗିଛି । କମ୍ପାନି ଏଥର ଚତୁର୍ଥ ସ୍ଥାନରେ ଅଛି। ଅକ୍ଟୋବରରେ କମ୍ପାନୀ ୪୮, ୧୩୧ କାର୍ ବିକ୍ରି କରିଛି। ଗତ ବର୍ଷ କମ୍ପାନି ଏହି ସମୟରେ ୪୮,୩୩୭ ୟୁନିଟ ବିକ୍ରି କରିଥିଲା। ତେବେ ମହିନ୍ଦ୍ରା, ଟାଟାକୁ ପଛରେ ପକାଇ ଅଛି ୩ ନମ୍ବର ସ୍ଥାନରେ ରହିଛି । କମ୍ପାନୀ ପାଖାପାଖି ୫୪, ୫୦୪ ଗାଡ଼ି ବିକ୍ରି କରିଛି। ଗତ ବର୍ଷ ଅକ୍ଟୋବରରେ କମ୍ପାନି ୪୩, ୭୦୮ ୟୁନିଟ୍ ବିକ୍ରି କରିଥିଲା।
ଦ୍ୱିତୀୟ ସ୍ଥାନରେ ରହିଛି ହ୍ୟୁଣ୍ଡାଇ। କମ୍ପାନୀ ଏଥର ପାର୍ବଣରେ ୫୫, ୫୬୯ ୟୁନିଟ୍ କାର୍ ବିକ୍ରି କରିଛି । ଯାହା ଗତ ବର୍ଷ ଅକ୍ଟୋବରରେ ବିକ୍ରି ହୋଇଥିବା ୫୫, ୧୨୮ ୟୁନିଟ୍ ତୁଳନାରେ ୦.୮%ଅଧିକ। ସେହିଭଳି ଘରୋଇ ବଜାରରେ ପ୍ରଥମସ୍ଥାନରେ ରହିଛି ମାରୁତି ସୁଜୁକି। ଅବଶ୍ୟ କାରର୍ ଚାହିଦା ଗତ ବର୍ଷ ତୁଳନାରେ କମିଥିବାର ଦେଖାଯାଇଛି। କାରଣ ଚଳିତ ବର୍ଷ କମ୍ପାନୀ ଅକ୍ଟୋବରରେ ୧,୫୯,୫୯୧ ୟୁନିଟ୍ କାର୍ ବିକ୍ରି କରିଥିବାବେଳେ, ଗତ ବର୍ଷ ଅକ୍ଟୋବରରେ ବିକ୍ରି ହୋଇଥିବା ୧,୬୮,୦୪୭ ୟୁନିଟ୍ ତୁଳନାରେ ୫% କମ୍।