ଆଗାମୀ ଜୁଲାଇ-ଅଗଷ୍ଟ ମାସରେ ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍ : କେନ୍ଦ୍ର ରେଳମନ୍ତ୍ରୀ

Published By : Prameya-News7 Bureau | February 15, 2024 IST

ପୁରୀ ୧୨: ନିର୍ବାଚନ ଯେତିକି ପାଖୋଉଛି ଓଡ଼ିଶା ପ୍ରତି ବିଜେପିର ଫୋକସ ସେତିକି ବଢ଼ି ଚାଲିଛି । ଓଡ଼ିଶାରେ ବିଜେପି ସଫଳତା ହାସଲ ନେଇ ଆଶା ରଖିଥିବା ବେଳେ କେନ୍ଦ୍ର ବିଜେପି ସରକାର ନିର୍ବାଚନ ପୂର୍ବରୁ ୬ହଜାର ୬ଶହ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛନ୍ତି ।

ଏଥିପାଇଁ ପୁରୀ ଶରଧାବାଲି ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇ କହିଥିଲେ ଓଡ଼ିଶାବାସୀଙ୍କ ଉନ୍ନତି ଏବଂ ଦାବିକୁ ଗ୍ରହଣ କରିଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାର ଉନ୍ନତି ମୋଦୀ ସରକାରଙ୍କ ଗ୍ୟାରେଣ୍ଟିରେ ଥିବା ସେ କହିଥିଲେ । ତେବେ ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରୁ ଅଯୋଧ୍ୟାକୁ ଏକ ସ୍ବତନ୍ତ୍ର ଟ୍ରେନ ଜୁଲାଇ, ଅଗଷ୍ଟ ମାସରେ ଆରମ୍ଭ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଥିଲେ ।

ସେହିପରି ପୁରୀ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ପୁରୀରୁ କୋଣାର୍କ ରେଳ ଲାଇନ୍ ପ୍ରକଳ୍ପକୁ ଖୁବଶୀଘ୍ର ଅନୁମୋଦନ ମିଳିବ ବୋଲି ଘୋଷଣା କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ପୁରୀ ରେଲୱେ ଷ୍ଟେସନର ଉନ୍ନୟନମୂଳକ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବା ବେଳେ ଖୁବଶୀଘ୍ର ଏହି ପ୍ରକଳ୍ପକୁ ଶେଷ କରାଯାଇ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ । ୨୦୧୪ ମୋଦୀ ସରକାରଙ୍କ ପୂର୍ବରୁ ଓଡିଶାକୁ ମାତ୍ର ୮ଶହ କୋଟି ଟଙ୍କା ରେଳ ଅନୁଦାନ ମିଳୁଥିବା ବେଳେ ମୋଦୀ ସରକାର ଆସିବା ପରେ ଏହା ୧୦ହଜାର କୋଟି କୁ ଛୁଇଁଛି । ପୂର୍ବରୁ ବର୍ଷକୁ ମାତ୍ର ୪୦ରୁ ୪୫ କିଲୋମିଟର ରେଳ ଲାଇନ୍ ଓଡ଼ିଶାରେ ତିଆରି ହେଉଥିବା ବେଳେ ଏବେ ଏହା ୧୦ଗୁଣ ବୃଦ୍ଧି ପାଇ ୪୫୦ କିଲୋମିଟରରେ ପହଞ୍ଚିଛି । ଫଳରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ରେଲୱେ ପ୍ରକଳ୍ପ ଶେଷ ହୋଇଥିବା ବେଳେ ଅନେକ ଦୃତ ଗତିରେ ମଧ୍ୟ ଆଗେଇ ଚାଲିଛି । ଯାହାଫଳରେ ଓଡ଼ିଶାବାସୀ ଉପକୃତ ହେଉଥିବା ବେଳେ ଅର୍ଥନୀତି ଅଭିବୃଦ୍ଧି ମଧ୍ୟ ହୋଇ ଚାଲିଛି । ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ୨୦୧୯ରେ ପୁରୀରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ଆଗାମୀ ନିର୍ବାଚନରେ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଥିଲେ । 

ପୁରୀ ଶରଧାବାଲି ଠାରେ ଅନୁଷ୍ଠିତ ବିଜେପିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ନେତା ଆଶ୍ରିତ ପଟ୍ଟନାୟକ, ଓମପ୍ରକାଶ ମିଶ୍ର, ବିଜେପି ନେତ୍ରୀ ଉପାସନା ମହାପାତ୍ର, ପ୍ରଭାତୀ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଜେପି ପକ୍ଷରୁ ଆୟୋଜିତ ଏହି ସଭାରେ ପୁରୀ ଜିଲ୍ଲାର ୬ଟି ଯାକ ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା, ହଜାର ହଜାର ବିଜେପି କର୍ମୀମାନେ ସାମିଲ୍ ହୋଇଥିଲେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ କିଭଳି ବିଜେପି ସଫଳତା ପାଇବ ସେଦିଗରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ । 

You Can Read :

wp:embed {"url":"https://www.prameyanews7.com/union-minister-nitin-gadkari-inaugurates-and-lays-the-foundation-stone-of-28-projects-in-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/union-minister-nitin-gadkari-inaugurates-and-lays-the-foundation-stone-of-28-projects-in-puri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.