ସୋନିଆଙ୍କ ‘ପୋର୍ ଥିଙ୍ଗ୍’ ମନ୍ତବ୍ୟ ଆଦିବାସୀ ସମ୍ପ୍ରଦାୟର ଅପମାନ: ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | January 31, 2025 IST

indiatoday

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କର ରାଷ୍ଟ୍ରପତିଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟକୁ ବିଜେପି ଜୋର୍‌ସୋର୍‌ରେ ସମାଲୋଚନା କରିବା ଆରମ୍ଭ କରି ଦେଇଛି। କିଛି ନେତା ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରି ସାରିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋନିଆଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି। ସୋନିଆଙ୍କ ଏଭଳି ମନ୍ତବ୍ୟ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଜଣେ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। 

ଦିଲ୍ଲୀ ଦ୍ୱାରିକାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ନେତାମାନେ ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ସେମାନଙ୍କର ଅହଂକାର ଏବଂ ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ନାଁ ନନେଇ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରି ମୋଦୀ କହିଛନ୍ତି “ ଏହି ରାଜ ପରିବାରର ଅହଂକାର ତ ଦେଖନ୍ତୁ। ଏମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରୁଛନ୍ତି। ଯିଏ କି ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ରାଜ ପରିବାରର ଜଣେ ସଦସ୍ୟ ରାଷ୍ଟ୍ରପତିଙ୍କ ଭାଷଣକୁ ବୋରିଂ କହି ତାଙ୍କୁ ଫୋର୍ ଥିଙ୍ଗ ବୋଲି କହୁଛନ୍ତି। ଏହା ଆଦିବାସୀଙ୍କ ପ୍ରତି ଅପମାନ।”   

ସୂଚନା ଥାଉକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଜେଟ୍ ସ୍ୱାଗତ ଅଭିଭାଷଣ ସରିବା ପରେ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଥକି ଯାଇଥିଲେ ବୋଲି କହିଥିଲେ। ସେହିପରି ରାହୁଲ ଗାନ୍ଧୀ ତାଙ୍କ ଭାଷଣକୁ ବୋରିଂ ବୋଲି କହିଥିଲେ।  

ଭାଷଣ ସରିବା ପରେ ସୋନିଆ ଗାନ୍ଧୀ ରାହୁଲଙ୍କୁ କହିଥିଲେ “ଶେଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ବହୁତ ଥକି ଯାଇଥିଲେ। ବିଚାରି ସେ ବଡ଼ କଷ୍ଟରେ କହୁଥିଲେ।” ସୋନିଆଙ୍କର ଏହି ମନ୍ତବ୍ୟକୁ ତାଙ୍କ ପାଖରେ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସ୍ପଷ୍ଟ ଶୁଭିଥିଲା। ରାଷ୍ଟ୍ରପତିଙ୍କୁ ‘ବିଚାରି’ ଶବ୍ଦ ବ୍ୟବହାର କରିବାକୁ ବିଜେପି ଲୋକଙ୍କ ସମ୍ମୁଖକୁ ଆଣିବାକୁ ଚେଷ୍ଟା କରି ଉଭୟ ସୋନିଆ ଓ ରାହୁଲଙ୍କୁ ସମାଲୋଚନା କରିବା ଜାରି ରଖିଛି। 

ସେପଟେ ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ ବିବୃତ୍ତିରେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ କରିବା ପାଇଁ ଘଣ୍ଟାଏ ବ୍ୟାପୀ ଅଭିଭାଷଣ ଦେଇଥିବା ସତ୍ତ୍ୱେ ସେ କୌଣସି ସମୟରେ କ୍ଳାନ୍ତ ନଥିଲେ। ଏଭଳି ମନ୍ତବ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମର୍ଯ୍ୟାଦାକୁ ଆଘାତ ଦେବା ସହିତ ଏହା ସତ ଠାରୁ ବହୁ ଦୂରରେ ଥିଲା। ରାଷ୍ଟ୍ରପତି କୌଣସି ସମୟରେ ଥକି ନଥିଲେ ବୋଲି ବିବୃତ୍ତିରେ କୁହାଯାଇଛି। 

ସେପଟେ ମା’ ସୋନିଆଙ୍କ ସମର୍ଥନରେ ବାହାରିଛନ୍ତି ୱାୟନଡ଼ ସାଂସଦ ଝିଅ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି “ମୋ ମାଆ ଜଣେ ୭୦-୮୦ ବର୍ଷ ବୟସ୍କା ମହିଳା। ସେ କେବଳ କହିଥିଲେ ଯେ ରାଷ୍ଟ୍ରପତି ଏକ ବଡ଼ ସ୍ପିଚ୍ ପଢ଼ୁଥିଲେ। ସେ ଥକି ଯାଇଥିବେ ନିଶ୍ଚୟ। ପୋର ଥିଙ୍ଗ୍।”

ସେହିପରି ବିଜେପିର କ୍ଷମା ଦାବିକୁ ନେଇ ପ୍ରିୟଙ୍କା କହିଛନ୍ତି “ଦେଶକୁ ନଷ୍ଟ କରୁଥିବାରୁ ପ୍ରଥମେ ସେମାନେ (ବିଜେପି) କ୍ଷମା ମାଗିବା ଉଚିତ। ତାଙ୍କ(ସୋନିଆ ଗାନ୍ଧୀ) ମନ୍ତବ୍ୟକୁ ଏଭଳି ବିକୃତ କରାଯିବ ଦୁର୍ଭାଗ୍ୟଜନକ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.