କେବେ ହଁ ତ କେବେ ନାଁ: ପାଲଟା ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିଲେ ଟ୍ରମ୍ପ, ଚୀନ ଉପରେ ପୁଣି ବଢାଇଲେ ଶୁଳ୍କ

Published By : Prameya-News7 Bureau | April 09, 2025 IST

indiatoday

ନୂଆଦିଲ୍ଲୀ: କେବେ ହଁ ତ କେବେ ନାଁ, ଟ୍ରମ୍ପ ନିଷ୍ପତ୍ତି କେତେ ବେଳେ ଯେ କୁଆଡ଼େ ଯାଉଛି ତାହା କେହି ଆକଳନ କରିପାରୁ ନାହାନ୍ତି। ଏପ୍ରିଲ ୨ ତାରିଖରେ ୬୦ରୁ ଅଧିକ ଦେଶ ଉପରେ ପଲଟା ଶୁଳ୍କ ଲାଗୁ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଉ ଏହା ଏପ୍ରିଲ ୯ ତାରିଖରୁ ବିଭିନ୍ନ ଦେଶ ଉପରେ ଲାଗୁ ବି ହୋଇଥିଲା। ହେଲେ ଏବେ ପୁଣି ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ଟ୍ରମ୍ପ। ତାଙ୍କ ଦ୍ୱାରା ଲଗାଯାଇଥିବା ରାସିପ୍ରୋକାଲ ଟାରିଫ ବା ପାଲାଟ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ଖୋଦ୍ ଟ୍ରମ୍ପ ବୁଧବାର ଏହି ଘୋଷଣା କରିଛନ୍ତି। ତେବେ ଚୀନ ଉପରେ ଶୁଳ୍କ ଘୋଷଣା କରିଥିବା ୧୦୪ ପ୍ରତିଶତ ଶୁଳ୍କକୁ ତୁରନ୍ତ ୧୨୫ ପ୍ରତିଶତ ବଢାଇବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। 

ଶୁଳ୍କ ସ୍ଥଗିତ କରିବା ନେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ୭୫ ରୁ ଅଧିକ ଦେଶ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେଇ ନାହାଁନ୍ତି, ତେଣୁ ସେ ପଲାଟ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିବାକୁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ଆମେରିକା ସହିତ ବାଣିଜ୍ୟ ଅସନ୍ତୁଳନ ନେଇ ହେଉଥିବା ଅଭିଯୋଗର ସମାଧାନ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି। 

ରାଷ୍ଟ୍ରପତି କହିଛନ୍ତି ଯେ ବାଣିଜ୍ୟ ବାଣିଜ୍ୟ ସମ୍ପର୍କିତ ସମସ୍ୟା ପାଇଁ ଆଲୋଚନା କରି ସମାଧାନ କରିବାକୁ ୭୫ ରୁ ଅଧିକ ଦେଶ ଆମେରିକାର ପ୍ରତିନିଧିମାନଙ୍କୁ ଡାକିଛନ୍ତି। ଏବଂ ଏହି ଦେଶଗୁଡ଼ିକ ମୋର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେଇନାହାଁନ୍ତି। ତେଣୁ ଏହି ତଥ୍ୟ ଉପରେ ଆଧାର କରି ମୁଁ ୯୦ ଦିନର ଶୁଳ୍କ ରହିତାଦେଶକୁ ଅନୁମୋଦନ କରିଛି। ବୋଲି ଟ୍ରମ୍ପ ଟ୍ରୁଥସୋସାଲ୍‌ରେ ପୋଷ୍ଟ କରି ଲେଖିଛନ୍ତି। ତେବେ ଏହି ୯୦-ଦିନର ଅବଧି ମଧ୍ୟରେ, ମାତ୍ର ୧୦ ପ୍ରତିଶତର ପଲଟା ଶୁଳ୍କ ଲାଗୁ ରହିବ ବୋଲି ଟ୍ରମ୍ପ କହିଛନ୍ତି। 

ହେଲେ ଚୀନ୍ ଉପରେ ଶୁଳ୍କକୁ ପୂର୍ବରୁ ୧୦୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ଦେଇଥିବା ଟ୍ରମ୍ପ ଘୋଷଣା କରିଛନ୍ତି। ଏନେଇ ଟ୍ରମ୍ପ କହିଛନ୍ତି ବିଶ୍ୱ ବଜାର ପ୍ରତି ଚୀନ୍ ଯେଉଁ ସମ୍ମାନର ଅଭାବ ଦେଖାଇଛି, ତାହାକୁ ଆଧାର କରି ମୁଁ ଆମେରିକା ଦ୍ୱାରା ଚୀନ୍ ଉପରେ ଆଦାୟ କରାଯାଇଥିବା ଶୁଳ୍କକୁ ୧୨୫% ପର୍ଯ୍ୟନ୍ତ ବୃଦ୍ଧି କରୁଛି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ। ତେବେ ଆମେରିକା ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକୁ ଠକିବାର ଦିନ ଆଉ ସ୍ଥାୟୀ କିମ୍ବା ଗ୍ରହଣୀୟ ନୁହେଁ ବୋଲି ଦିନେନା ଦିନେ ଚୀନ ଅନୁଭବ କରିବ ବୋଲି ମୋର ଆଶା ଅଛି ବୋଲି ଟ୍ରମ୍ପ କହିଛନ୍ତି। ଚୀନ୍ ମଧ୍ୟ ଟ୍ରମ୍ପଙ୍କ ଟାରିଫ ଜବାବରେ ଆମେରିକା ଉପରେ ୮୪ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏବଂ ଶେଷ ପର୍ଯ୍ୟନ୍ତ ଶୁଳ୍କ ଯୁଦ୍ଧ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଚୀନ କହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.