ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି

Published By : Prameya-News7 Bureau | July 02, 2024 IST

ପୁରୀ ୦୨।୦୭ : ରଥଯାତ୍ରା ପାଇଁ ୨ ଦିନ ଛୁଟି । ରଥଯାତ୍ରା ସମନ୍ବୟ ବୈଠକରେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ଥର ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ୭ ତାରିଖ ରବିବାର ଏବଂ ଏହା ପରଦିନ ଅର୍ଥାତ ସୋମବାର ଛୁଟି ରହିବ । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । 

ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରଥଯାତ୍ରା ସମନ୍ବୟ ବୈଠକ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ରଥଯାତ୍ରା ଆପଣ ମାନଙ୍କ ସହଯୋଗ ଦ୍ବାରା ହିଁ ସଫଳ ହୋଇପାରିବ। ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାଏଁ ବେଶ୍ ଧୁମ୍ ଧାମରେ ପାଳନ ହେଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସାରା ବିଶ୍ବ ଆଜି ଗୋଟିଏ ପରିବାର ହୋଇପାରିଛି। ମହାପ୍ରଭୁଙ୍କ ମୁଖ୍ୟ ସେବକ ହେଲେ ଆଦିବାସୀ। ମହାପ୍ରଭୁଙ୍କର ମୂଳ ସେବକ ତଥା ଜଣେ ଆଦିବାସୀ ଭାବେ ମୁଁ ତାଙ୍କ ପାଖରେ ନିଜକୁ ସମର୍ପିତ କରିଦେଇଛି। ସମସ୍ତ ସରକାରୀ ପଦାଧିକାରୀ ମାନେ ମହାପ୍ରଭୁଙ୍କ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ବ୍ରତ ଭାବେ ପାଳନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। 

ସେହିପରି ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି। ଆଜି ନୂଆ ସରକାର ଆସିଛନ୍ତି। ନୂଆ ସରକାରଙ୍କ ପାଇଁ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ଆମ ପାଇଁ ଭାଗ୍ୟର କଥା। ରଥଯାତ୍ରା ଗୋଟିଏ ଦିନ ନୁହେଁ ଦୁଇ ଦିନ ଅଛି। ଏଥିପାଇଁ  ଚଳିତ ଥର ୨ ଦିନ ଛୁଟି କରିବାକୁ ନିଆଯାଇଛି ନିଷ୍ପତ୍ତି ।ଏହି ସମୟରେ ମଧ୍ୟରେ ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ। 

ତେବେ ଚଳିତ ଥର ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି। ୬ ତାରିଖରେ ପୁରୀରେ ପହଞ୍ଚିବେ ମହାମହିମ। ଆମ ସମସ୍ତଙ୍କ ସହ ସେ ମଧ୍ୟ ରଥଯାତ୍ରାରେ ସାମିଲ୍ ହୋଇ ମହାପ୍ରଭୁଙ୍କ ରଥ ଟାଣିବେ। ଏହା ଆମ ସମସ୍ତଙ୍କ ପାଇଁ ଭାଗ୍ୟର କଥା । 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.