ଭୁବନେଶ୍ୱର ୨୭।୦୩ : ଦିନ ତାପମାତ୍ରା କ୍ରମଶଃ ଉପରମୁହାଁ ହେଉଛି । ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରୀ ବଢ଼ିଛି । କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତି କମ୍ ରହୁଥିଲା। କିନ୍ତୁ ଏବେ ଖରା ବଢ଼ିବା ସହ ୨୯ରୁ ପୁଣି ଜଳାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ ।
ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ୩୯.୮ ଡିଗ୍ରୀ ଥିଲା । ଆସନ୍ତା ୨୯ ଓ ୩୦ ତାରିଖରେ ଗ୍ରୀଷ୍ମପ୍ରବାହ ହେବ। ଆସନ୍ତା ୪ରୁ ୫ ଦିନରେ ଓଡ଼ିଶା ସମେତ ଦେଶର ପୂର୍ବଭାଗରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୯ରୁ ୩୧ ତାରିଖ ଭିତରେ କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ । ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୩୯ ଡିଗ୍ରୀ, ଟିଟିଲାଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ଯାଜପୁର, ଭୁବନେଶ୍ୱର, ଢେଙ୍କାନାଳ, ନୟାଗଡ. ଫୁଲବାଣୀ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ଅନୁଗୁଳରେ ତାତି ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମଙ୍ଗଳବାର ଝାରସୁଗୁଡ଼ାର ଦିନ ତାପମାତ୍ରା ୩୯.୫, ହୀରାକୁଦର ତାପମାତ୍ରା ୩୯.୧, ସମ୍ବଲପୁର ଓ ବଲାଙ୍ଗିରର ୩୯ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୮.୮, ସୋନପୁର ଓ ଢେଙ୍କାନାଳରେ ୩୮.୩, ମାଲକାନଗିରିରେ ୩୮.୧, ଭବାନୀପାଟଣାରେ ୩୮, ବରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରୀ ରେକର୍ଡ ହୋଇଛି ।
ସୋମବାର ବୌଦ୍ଧର ତାପମାତ୍ରା ୩୮ ଡିଗ୍ରୀ ଥିଲା । ବୁଧବାର ପାଖାପାଖି ୨ ଡିଗ୍ରୀ ବଢ଼ିଛି । ସୋନପୁରରେ ୩୭.୬ ଡିଗ୍ରୀ ଥିବାବେଳେ ଏଠାରେ ତାପମାତ୍ରା ବଢ଼ି ୩୮.୩ ଡିଗ୍ରୀ ହୋଇଛି । ଝାରସୁଗୁଡ଼ାରେ ସୋମବାର ତୁଳନାରେ ମଙ୍ଗଳବାର ତାପମାତ୍ରା ୨ ଡିଗ୍ରୀ ବଢ଼ିଯାଇଛି । ୩୭.୫ ଡିଗ୍ରୀରୁ ବଢ଼ି ୩୯.୫ ଡିଗ୍ରୀ ରହିଛି । ସମ୍ବଲପୁରରେ ୩୭.୪ ଡିଗ୍ରୀରୁ ୩୯ ଡିଗ୍ରୀ ଓ ମାଲକାନଗିରିରେ ୩୭.୩ ଡିଗ୍ରୀରୁ ବଢ଼ି ୩୮.୧ ଡିଗ୍ରୀ ରହିଛି ।