ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟା ଭିତରେ ଦୁଇ ଦୁଇଟି ହତ୍ୟାକାଣ୍ଡ। କାହାକୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରି ହତ୍ୟା ତ ଆଉ କାହାକୁ ଗୁଳି କରି ହତ୍ୟା। ଦିନ ଦ୍ବିପ୍ରହରରେ ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। କବିସୂର୍ଯ୍ୟନଗର ଥାନା ପଥରାପଲ୍ଲି ଗାଁର ମୁଖ୍ଯ ସଡକ ଉପରେ ଘଟିଯାଇଛି ଏକ ଗୁଳିମାଡ ଘଟଣା । ଗୁଳିମାଡରେ କବିସୂର୍ଯ୍ୟନଗର ଆଠଗଡପାଟଣା ଗ୍ରାମର ବିଜେପି ନେତା ଭାବରେ ପରିଚିତ ଥିବା ଲକ୍ଷ୍ମୀ ନାରାୟଣ ଓରଫ କୁନା ପାଇକରାୟଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ଅତି ନିକଟରୁ ଗୁଳିମାଡ କରି ହତ୍ୟା କରାଯାଇଥିବା ଜଣାପଡିଛି ।
ମୃତକ ଲକ୍ଷ୍ମୀ ପାଇକରାୟଙ୍କ ନାମରେ ମଧ୍ଯ ଜିଲ୍ଲା ଏବଂ ଜିଲ୍ଲା ବାହାରର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡିଛି। ମୃତକ ଲକ୍ଷ୍ମୀ କବିସୂର୍ଯ୍ୟନଗର ବିଧାୟକଙ୍କ ଦୃଢ ସମର୍ଥକ ଥିଲେ । ଏପରି କି ସେ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରର ବିଭିନ୍ନ ଅଂଚଳରେ ଠିକାଦରି କାର୍ଯ୍ଯ କରୁଥିବା ବେଳେ କିଏ କାହିଁକି ଏଭଳି ତାଙ୍କୁ ଗୁଳି କରି ହତ୍ୟା କରିଛି ତାହାର ଅସ୍ପଷ୍ଟ ରହିଛି । ସେହିପରି ୨୮ ତାରିଖ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ନିକଟରେ ଶିକୁଳା ଗାଁର ସୁମନ୍ତ ମହାପାତ୍ର ନାମକ ଜୈନିକ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ହତ୍ୟା କରିଥିଲେ। ୧୦ ରୁ ୧୨ ଜଣ ଯୁବକ ସଙ୍ଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ସିକୁଳା ଗାଁ ରୁ ସମା ମେଡିକାଲକୁ ବଡ଼ ଭାଇଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସୁଥିବା ବେଳେ ହତ୍ୟା କରିଥିଲେ ବୋଲି ମୃତକଙ୍କ ବଡ଼ ଭାଇ କହିଛନ୍ତି। ତେବେ ୨୪ ଘଣ୍ଟା ମଧ୍ଯରେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟଣା ଘଟିଥିବା ବେଳେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି।
Also read: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ତେବେ ଏହି ହତ୍ୟାକାଣ୍ଡ ପରେ ହତ୍ୟାକାରୀ ମାନେ ଫେରାର ହୋଇଯାଇଥିବା ବେଳେ ପୁରୁଷୋତ୍ତମପୁର SDPO ଓ ଅତିରିକ୍ତ SP ଙ୍କ ନେତୃତ୍ବ ରେ ଏକ ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଯିଏବି ଏହି ହତ୍ୟାକାଣ୍ଡ ରେ ଜଡିତ ଥିବ ତୁରନ୍ତ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ କିନ୍ତୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟାକାଣ୍ଡ ପଛରେ ବିଜେଡିର ହାତ ଥିବାର ରୋକଠୋକ କହିଛନ୍ତି । ଯାହାକି ଏବେ ଘଟଣା ଆଲୋଚନାର ପ୍ରମୁଖ କାରଣ ହୋଇଛି । ଅପର ପକ୍ଷରେ ଘଟଣାକୁ ନେଇ ପରିବାରବର୍ଗ ମୁହଁ ଖୋଲି ନାହାନ୍ତି l କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀରେ ଦୁଇ ଦିନ ଭିତରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସର କାର୍ଯ୍ୟାନୁଷ୍ଠାନ କଣ ରହିବ ତା ଉପରେ ରହିଛି ସମସ୍ତଙ୍କର ନଜର।