ଋଷିଆ ସହ ଯୁଦ୍ଧରେ ଆମେରିକାର ସୈନ୍ୟ ସହାୟତାକୁ ଋଣ ଭାବୁନି ୟୁକ୍ରେନ, ଜାଣନ୍ତୁ କ’ଣ କହିଛନ୍ତି ଜେଲେନସ୍କି

Published By : Prameya-News7 Bureau | March 30, 2025 IST

କିଭ ୩୦।୩: ଆମେରିକା ରାଷ୍ଟ୍ରପତି ହେବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ଲଗାତାର ଋଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଚାପ ସୃଷ୍ଟି କରି ଆସୁଛନ୍ତି। ଏଥି ପାଇଁ ଟ୍ରମ୍ପଙ୍କ ପ୍ରଶାସନ ଲଗାତାର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ସମ୍ପର୍କରେ ରହିଛି। ତେବେ ହ୍ୱାଇଟ୍ ହାଉସରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଓ ଟ୍ରମ୍ପଙ୍କ ଉତ୍ତେଜନାପୂର୍ଣ୍ଣ କଥାବାର୍ତ୍ତା ପରେ ପରିସ୍ଥିତି ବିଗିଡି ଯାଇଛି। ଏଥିରେ ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ସହାୟତାରେ ଋଷିଆ ବିପକ୍ଷରେ ଯୁଦ୍ଧ ଲଢୁଥିବା ୟୁକ୍ରେନ ଏବେ ପାଲା ବଦଳେଇ ଦେଇଛି। 

ଆମେରିକା ଓ ଋଷିଆର ନିକଟତାକୁ ନଜରରେ ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେନସ୍କି ଆମେରିକା ରାଷ୍ଟ୍ରପତିଙ୍କୁ ଦୁଇ ପଦରେ ଜବାବ ଦେଇଛନ୍ତି। ଯୁଦ୍ଧରେ ଆମେରିକାରୁ ମିଳିଥିବା ସୈନ୍ୟ ସହାୟତାକୁ ୟୁକ୍ରେନ କୌଣସି ରୂପରେ ଋଣ ମନେ କରେ ନାହିଁ ବୋଲି ଜେଲେନସ୍କି ସ୍ପଷ୍ଟ କରିଦେଇଛନ୍ତି। ଜେଲେନସ୍କି ଏକ ସାକ୍ଷାତକାରରେ କହିଛନ୍ତି ଯେ ୟୁକ୍ରେନ ଏହି ସହାୟତା ନିମନ୍ତେ ଆମେରିକା ପ୍ରତି କୃତଜ୍ଞ ହେଲେ କେବେବି ଆମେରିକାର ଏହି ସହାୟତାକୁ ଆମେ ଋଣ ରୂପେ ସ୍ୱୀକାର କରି ନାହୁଁ। 

ଜେଲେନସ୍କି କହିଛନ୍ତି ଯେ ଆମେ ଆମର ସ୍ୱାଧୀନତା ଓ ଗଣତନ୍ତ୍ର ନିମନ୍ତେ ଲଢେଇ ଲଢୁଛୁ। ଏଥିରେ ଆମେରିକାର ଏହି ସମର୍ଥନ କେବଳ ୟୁକ୍ରେନ ନିମନ୍ତେ ନୁହେଁ ବରଂ ସାରା ବିଶ୍ୱର ସ୍ଥିରତା ନିମନ୍ତେ ବୋଲି କହିଛନ୍ତି। ଋଷିଆ ବିପକ୍ଷରେ ୟୁକ୍ରେନର ଏହି ଯୁଦ୍ଧରେ ଆମେରିକା ଯାହା ବି ସହାୟତା କରିଛି ଏହା ଦେଶ ଉପରେ ଋଣ ନୁହେଁ ଓ ଆମେ ଏ ବାବଦେ ଟଙ୍କାଟିଏ ବି ଫେରାଇବୁ ବି ନାହିଁ ବୋଲି ଜେଲେନସ୍କି ଏବେ ସ୍ପଷ୍ଟ କରିଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧୨ ତାରିଖରେ ପ୍ରକାଶିତ ଏକ ପ୍ରେସ ବିବୃତ୍ତିରେ ଆମେରିକା ବୈଦେଶିକ ବିଭାଗ କହିଥିଲା ଯେ ୨୦୨୨ ମସିହାରେ ଋଷିଆର ଆକ୍ରମଣ ପରଠାରୁ ୱାସିଂଟନ ୟୁକ୍ରେନକୁ ୬୬.୫ ବିଲିୟନ ଡଲାରର ସାମରିକ ସହାୟତା ପ୍ରଦାନ କରିଛି। ଏଥିରେ କୁହାଯାଇଛି ଯେ ୟୁକ୍ରେନକୁ ୨୦୧୪ ମସିହାରୁ ୬୯.୨ ବିଲିୟନ ଡଲାରର ସାମରିକ ସହାୟତା ପ୍ରଦାନ କରାଯାଇଛି। ତେବେ ସାମ୍ବାଦିକଙ୍କ ସହ ଆଲୋଚନାରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଯେ କୌଣସି ଋଷୀୟ ପ୍ରତିନିଧିଙ୍କ ସହ ଆଲୋଚନା ନିମନ୍ତେ ପ୍ରସ୍ତୁତ ହେଲେ ଭ୍ଲାଦିମୀର ପୁଟିନଙ୍କ ସହିତ ନୁହେଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.