ନୂଆଦିଲ୍ଲୀ(ବିଜନେଶ ବିଶେଷ): ଦିନେ ଭାରତକୁ ସୁନାର ଚଢ଼େଇ ବୋଲି କୁହାଯାଉଥିଲା। ଭୌଗଳିକ ଅବସ୍ଥିତି ଦୃଷ୍ଟିରୁ ହେଉ କିମ୍ବା ଆମ ରାଜାଙ୍କର ପରାକ୍ରମ, ଭାରତକୁ କରିଥିଲା ଧନଧାନ୍ୟ ବୈଭବପୂର୍ଣ୍ଣ ଦେଶ। ହେଲେ ମୋଗଲଙ୍କ ଠାରୁ ଆରମ୍ଭ କରି ଇଂରେଜମାନେ, ଭାରତକୁ ଦୀର୍ଘ ବର୍ଷ କରି ଶାସନ କଲେ। ଶାସନ ତ ନୁହେଁ, ଲୁଟ୍ ତରାଜ ଅତ୍ୟାଚାର। ବିଦେଶୀ ଶାସନରେ ଦୀର୍ଘ ବର୍ଷ ଶାସିତ ହେବା ପରେ ଭାରତ ଠାରୁ କିଏ କେତେ ଯେ ଲୁଟ୍ କରିଛି ତା’ର ହିସାବ ନାହିଁ। ହେଲେ ବ୍ରିଟିସ କରିଥିବା ୨୦୦ ବର୍ଷ ଶାସନରେ ଯେତେ ଲୁଟ୍ କରିଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଦେଶ ୫ ଟ୍ରିଲିଅନ ଇକୋନୋମି ପାଇଁ ସଂଘର୍ଷ କରୁଥିବା ବେଳେ ବ୍ରିଟିସ୍ ଭାରତ ଠାରୁ ଲୁଟି ନେଇଛି ୬୪.୮୨ ଟ୍ରିଲିୟନ ଡଲାରର ସମ୍ପତ୍ତି। ଆଶ୍ଚର୍ଯ୍ୟ ହୋଇଗଲେ ନା ? ପଢ଼ନ୍ତୁ ରିପୋର୍ଟ।
ଭାରତକୁ ଲୁଟି ଲୁଟି ଶ୍ରୀହୀନ କରିଦେଇ ଚାଲି ଯାଇଥିଲେ ଇଂରେଜ୍। ସାଂଗରେ ନେଇ ଯାଇଥିଲେ ଟ୍ରିଲିଅନ ଟ୍ରିଲିଅନ ଡଲାର ସମ୍ପତ୍ତି, ଧନରତ୍ନ, ଦାମୀ ଦାମୀ କଳା ଭାସ୍କରର୍ଯ୍ୟ। ଯାହା ଭାରତକୁ କେବଳ ସାମାଜିକ ସ୍ତରରେ ନୁହେଁ ବରଂ ଆର୍ଥିକ ସ୍ତରରେ ଭାଙ୍ଗି ଦେଇଥିଲା। ଏହି କାରଣରୁ ଏକଦା ସୁନାର ଚଢ଼େଇ ବୋଲି କୁହାଯାଉଥିବା ଭାରତର, ମୁଣ୍ଡ ପିଛା ଆୟରେ ହୋଇଥିଲା ବଡ଼ ହ୍ରାସ। ଦୁନିଆ ଆଗରେ ଭାରତ ହୋଇଯାଇଥିଲା ଗରିବ ଦେଶ।
ବ୍ରିଟିସ ଏତେ ଅର୍ଥ ଲୁଟି ଥିଲେ ଯେ ଯଦି ୫୦ ପାଉଣ୍ଡର ବ୍ରିଟିଶ ନୋଟରେ ବ୍ରିଟେନର ରାଜଧାନୀ ଲଣ୍ଡନକୁ କଭର କରାଯାଏ, ତେବେ ୪ ଥର କଭର କରାଯାଇପାରିବ। ଖୋଦ୍ ବ୍ରିଟିଶ୍ ସଂସ୍ଥା ଅକ୍ସଫାମ୍ ଏହି ରିପୋର୍ଟ ଦେଇଛି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଲଣ୍ଡନର ୧୦ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଭାରତରୁ ଲୁଟ ହୋଇଥିବା ସବୁଠୁ ଅଧିକ ସମ୍ପତ୍ତି। ଅକ୍ସଫାମ ଏକ ବ୍ରିଟିସ୍ ସଂସ୍ଥା। ଯାହା ଦାରିଦ୍ୟ, ଅନ୍ୟାୟ ଓ ଆର୍ଥିକ ଅସମାନତା ଦିଗରେ ସଚେତନତା ସୃଷ୍ଟି କରିବାକୁ ଲଢ଼େଇ କରିଥାଏ।
ନିକଟରେ ଅକ୍ସଫାମ ‘ଟେକର୍ସ, ନଟ୍ ମେକର୍ସ’ ନାମକ ରିପୋର୍ଟ ଜାରି କରିଥିଲା। ଏଥିରେ ସେ ଭାରତରୁ ଇଂରେଜମାନେ ଲୁଟ୍ କରିଥିବା ସମ୍ପତ୍ତି ବିଷୟରେ ତଥ୍ୟ ଜାରି କରିଛି। ଅନେକ ଅଧ୍ୟୟନ ଏବଂ ରିସର୍ଚ୍ଚ ପେପରର ତଥ୍ୟକୁ ଆଧାର କରି ସଂସ୍ଥା ଏଭଳି ରିପୋର୍ଟ ଜାରି କରିଥିବା କହିଛି।
ରିପୋର୍ଟରେ କୁହାଯାଇଛି, ଇଂରେଜମାନେ ୧୭୬୫ରୁ ୧୯୦୦ ମଧ୍ୟରେ ଉପନିବେଶବାଦ ସମୟରେ ଭାରତରୁ ୬୪.୮୨ ଟ୍ରିଲିୟନ ଡଲାରର ସମ୍ପତ୍ତି ଲୁଟି କରିଛନ୍ତି। ଆପଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ଠାରୁ ଲୁଟ୍ ହୋଇଥିବା ମୋଟ ସମ୍ପତ୍ତିରୁ ୫୨ ପ୍ରତିଶତ ବା ୩୩.୮ ଟ୍ରିଲିୟନ ଡଲାର କେବଳ ୧୦ ପ୍ରତିଶତ ବ୍ରିଟେନ୍ ଧନୀମାନଙ୍କ ପାଖକୁ ଯାଇଥିଲା। ଏହାପରେ ୩୨ ପ୍ରତିଶତ ସମ୍ପତ୍ତି ବ୍ରିଟେନର ମଧ୍ୟମବର୍ଗ ଭାଗରେ ପଡ଼ିଥିଲା।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ୧୭୫୦ରେ ଦୁନିଆର ଔଦ୍ୟୋଗିକ ଉତ୍ପାଦନରେ ଭାରତର ଯୋଗଦାନ ଥିଲା ୨୫ ପ୍ରତିଶତ। ହେଲେ ୧୯୦୦ ମସିହା ବେଳକୁ ଏହା ୨ ପ୍ରତିଶତକୁ ଖସି ଆସିଥିଲା। ତାହାର ବଡ଼ କାରଣ ଥିଲା ଇଂରେଜ ଶାସନ ସମୟରେ ଏସୀୟ ବସ୍ତ୍ର ଉଦ୍ୟୋଗ ବା ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରୀ ବିରୋଧରେ ଲଗାଯାଇଥିବା ବ୍ରିଟେନର ସଂରକ୍ଷଣବାଦୀ ନୀତି। ଯାହା ଭାରତର ଔଦ୍ୟୋଗିକ ବିକାଶ କ୍ଷମତାକୁ ଦୁର୍ବଳ କରିଥିଲା।
ଏ ବିଷୟରେ ଉଲ୍ଲେଖ କରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂ ଥରେ କହିଥିଲେ, 'ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଆମେ ଯେଉଁ ଅଭିଯୋଗ ଆଣୁଛୁ ତାର ଦୃଢ଼ ପ୍ରମାଣ ଆମ ପାଖରେ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। ୧୭୦୦ ମସିହାରେ ଭାରତ ଏକାକୀ ବିଶ୍ୱର ୨୨.୬ ପ୍ରତିଶତ ସମ୍ପତ୍ତି ଉତ୍ପାଦନ କରୁଥିଲା, ଯାହା ସମଗ୍ର ୟୁରୋପରେ ମିଳିତ ଉତ୍ପାଦନ ଧନ ସହିତ ପ୍ରାୟ ସମାନ ଥିଲା। କିନ୍ତୁ ୧୯୫୨ ବେଳକୁ ଏହା ୩.୮ ପ୍ରତିଶତକୁ ହ୍ରାସ ପାଇଥିଲା। ଆଉ ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ଭାରତ ମୁଣ୍ଡପିଛା ଆୟ ହିସାବରେ ସବୁଠାରୁ ଗରିବ ଦେଶ ହୋଇଗଲା।
ଆଜି ୟୁକେ ସାରା ଦେଶରେ ଏକ ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପରିଚିତ। ଯାହାର ମୁଦ୍ରା ମୂଲ୍ୟ ଆମେରିକା ମୁଦ୍ରା ଠାରୁ ବି ଅଧିକ। ଭାରତୀୟ ମୁଦ୍ରା ସହ ତୁଳନା କଲେ ସେମାନଙ୍କର ଗୋଟିଏ ପାଉଣ୍ଡ ଆମର ପ୍ରାୟ ୧୦୭ ଟଙ୍କାରୁ ବି ଅଧିକ ହେବ। ଆଜି ବ୍ରିଟେନରେ ଯେଉଁ ମଲ୍ଟି ନ୍ୟାସ୍ନାଲ କମ୍ପାନୀ ରହିଛି, ଯେଉଁ ଧନିକ ବ୍ୟକ୍ତିମାନେ ରହିଛନ୍ତି ତାହା କେବଳ ଉପନିବେଶବାଦ ଓ ଲୁଟ୍ କାରଣରୁ.।
ଅକ୍ସଫାମ ରିପୋର୍ଟରେ ଆହୁରି କୁହାଯାଇଛି, ଲଣ୍ଡନରେ ଆଜି ଯେଉଁ ମଲ୍ଟିନ୍ୟାସନାଲ କମ୍ପାନୀ ରହିଛି, ସେଥିରୁ ଅଧିକାଂଶ କେବଳ ଉପନିବେଶବାଦ କାରଣରୁ ହିଁ ସୃଷ୍ଟି ହୋଇଥିଲା। ଉପନିବେଶବାଦ ସମୟରେ ଦୁନିଆରେ ଯେଉଁ ଅସମାନତା ଏବଂ ଲୁଟ୍ର ଚଳନ ଥିଲା, ତାହା ଆଜିର ଆଧୁନିକ ଜୀବନକୁ ଆକାର ଦେଉଛି। ସେଥିପାଇଁ ବ୍ରିଟେନ୍ ଆଜି ଏତେ ଧନୀ ହୋଇପାରିଛି। ସେତେବେଳେ ବର୍ଣ୍ଣବୈଷମ୍ୟ ଏବଂ ବିଭାଜନ ଚରମରେ ଥିଲା। ଏହି ସମୟରେ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ଲୁଟ ହୋଇଥିବା ସମ୍ପତ୍ତିର ଫାଇଦା ଏବେ ଆମେରିକା ୟୂରୋପର ବିକଶିତ ଦେଶର ସବୁଠୁ ଧନୀମାନେ ଉଠାଉଛନ୍ତି। ସେହିପରି ଇଂରେଜମାନେ ଅନ୍ୟ ଦେଶରେ ଗୁଲାମୀ ଓ ଉପନିବେଶବାଦ ଛିଡ଼ା କରି ଯେଉଁ ଲୁଟ ଓ ଶୋଷଣ କରିଛିନ୍ତି ସେଥିପାଇଁ ବ୍ରିଟେନ ଧନୀଙ୍କ ସମ୍ପତ୍ତି ଆଜି ଏତେ ବୃଦ୍ଧି ହୋଇଛି।
ଅକ୍ସଫାମ କହିଛି, ବ୍ରିଟେନ୍ରେ ଦେଖା ଯାଉଥିବା ଆଜିର ବଡ଼ ମଲ୍ଟିନାସନାଲ କମ୍ପାନି ମଧ୍ୟ ଏହି ଉପନିବେଶବାଦ କାରଣରୁ ତିଆରି ହୋଇଛି। ଯାହାର ନେତୃତ୍ୱ ଏକଦା ଇଷ୍ଟ ଇଣ୍ଡିଆ କମ୍ପାନି ନେଇଥିଲା। ଏହି କମ୍ପାନିମାନେ ନିଜର ଆଇନ ସୃଷ୍ଟି କରିଥିଲେ। ସେମାନେ ଉପନିବେଶବାଦ ସମୟରେ ଅନେକ ଅପରାଧ କରିଥିଲେ। ତା' ସହିତ ଯଦି କେତେବେଳେ ବିଦ୍ରୋହ ତେଜିଲା ତାକୁ ଦମନ କରିବାକୁ ନିଜର ସ୍ୱତନ୍ତ୍ର ସେନା ରଖିଥିଲେ। ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନିର ସେନାରେ ପାୟ ୨ ଲକ୍ଷ ୬୦ ହଜାର ସୈନିକ ଥିଲେ। ଏହି ସଂଖ୍ୟା ବ୍ରିଟେନରେ ସେନାର ଆକାର ଠାରୁ ଦୁଇଗୁଣା ବଡ଼ ଥିଲା। ଏହି ସୈନିକମାନେ ଜମି ଦଖଲ, ହିଂସା, ଏବଂ ଅଧିଗ୍ରହଣରେ ସାମିଲ ଥିଲେ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୧୮୩୦ରୁ ୧୯୨୦ ପର୍ଯ୍ୟନ୍ତ ୩.୭ ବିଲିୟନ ଭାରତୀୟ, ଚାଇନିଜ୍, ଆଫ୍ରିକୀୟ, ଜାପାନିଜ, ମେଲାନେସିଆନ ଭଳି ନାଗରିକଙ୍କୁ ବ୍ରିଟେନ ପଠାଯାଇଥିଲା। ତାହାବି ଖଣି ଭଳି ସ୍ଥାନରେ କାମ କରିବା ପାଇଁ। ତେଣୁ ଆଜି ଏହି ଦେଶଗୁଡ଼ିକରେ ଯେଉଁ ଅସମାନତା ରହିଛି, ତାହା ମୁଖ୍ୟତଃ ଉପନିବେଶ କାରଣରୁ ହିଁ ରହିଛି।
ତେବେ ଦୁଃଖର କଥା ହେଲା ଆଜିର ଆଧୁନିକ ସମୟରେ ବି ଏପରି ଅନେକ କମ୍ପାନୀ ରହିଛନ୍ତି ଯେଉଁମାନେ କେବଳ ଶୋଷଣ କରୁଛନ୍ତି। ଅନେକ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ବଜାରରେ ଏକାଧିକାର ରହିଛି। ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏବେବି ଶୋଷଣ ଜାରି ରହିଛି । ବିଶେଷ କରି ଶ୍ରମିକ ଏବଂ ମହିଳା ଅଧିକ ଶୋଷଣର ଶିକାର ହେଉଛନ୍ତି ବୋଲି ଅକ୍ସଫାମ କହିଛି। ଏଠାରେ ସପ୍ଲାଏ ଚେନରେ କାମ କରୁଥିବା ଶ୍ରମିକ ସବୁବେଳେ ଖରାପ ସ୍ଥିତିରେ କାମ କରିଥାନ୍ତି । ସେମାନଙ୍କ ଅଧିକାରକୁ ଅଣଦେଣା କରାଯାଇଥାଏ। ସେମାନଙ୍କୁ ଖୁବ୍ କମ୍ ସାମାଜିକ ସୁରକ୍ଷା ମିଳିଥାଏ।
ଅର୍ଥନୀତିଜ୍ଞମାନେ କୁହନ୍ତି ବ୍ରିଟିଶଙ୍କ ଅଧୀନରେ ଆସିବା ପୂର୍ବରୁ ଭାରତ ବିଶ୍ୱର ଏକ ଧନୀ ଦେଶ ଭାବରେ ପରିଚିତ ଥିଲା। ଏଠାରେ ଉର୍ବର ଜମି ସହ ସମସ୍ତ ପ୍ରକାର ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଥିଲା। ସମଗ୍ର ବିଶ୍ୱରେ ଭାରତୀୟ ସୂତା ପୋଷାକ ଏବଂ ମସଲିନର ବହୁତ ଚାହିଦା ଥିଲା। ଜାହାଜ ପରିବହନ ଏବଂ ଇସ୍ପାତ ଶିଳ୍ପରେ ମଧ୍ୟ ଭାରତର ପ୍ରଭାବ ରହିଥିଲା।