ନୂଆଦିଲ୍ଲୀ,୩୧/୦୧: ୟୁନିୟନ ବଜେଟ୍-୨୦୨୫-୨୬ । ସଂସଦରେ ଜାନୁଆରୀ ୩୧ ତାରିଖ ବା ଆଜିଠୁ ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ବସିବ । ଶୁକ୍ରବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହରେ ବ୍ୟୟ ବରାଦ ନେଇ ସମ୍ବୋଧନ ଭାଷଣ ଦେବେ । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫ ଆଗତ କରିବେ ।
ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ସଂସଦରେ ସାଧାରଣ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିବେ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଘରୋଇ ଅର୍ଥ ବ୍ୟବସ୍ଥା କିଭଳି ଥିଲ। ତାହା ନେଇ ଏକ ମୂଲ୍ୟାୟନ ତଥ୍ୟ ସ୍ଥାନ ପାଇବ । ବଜେଟ୍ ଅଧିବେଶନରେ ସର୍ବମୋଟ୍ ୨୭ଟି ବୈଠକ ରହିବ । ପ୍ରଥମ ଭାଗରେ ୯ଟି ଓ ଦ୍ୱିତୀୟ ଭାଗରେ ୧୮ଟି ରହିବ । ଏଥର ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି ବିଲ୍ ଆଣିପାରନ୍ତି । ସେଥିମଧ୍ୟରୁ ୱାକଫ୍ ସଂଶୋଧନ ବିଲ୍ ସମେତ ୧୨ଟି ବିଲ୍କୁ ଗତବର୍ଷ ମୌସୁମୀ ଓ ଶୀତ ଅଧିବେଶନରେ ଅଣାଯାଇଥିଲା । ୪ଟି ନୂଆ ବିଲ୍ ମଧ୍ୟରେ ଫାଇନାନ୍ସ ବିଲ୍, ୨୦୨୫ ବ୍ୟତୀତ ପ୍ରୋଟେକ୍ସନ୍ ଅଫ୍ ଇଣ୍ଟରେଷ୍ଟ ଇନ୍ ଏୟାରକ୍ରାଫ୍ଟ ଅବଜେକ୍ଟସ, ତ୍ରିଭୁବନ ସହକାରୀ ୟୁନିଭର୍ସିଟି ଓ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍ ଅନ୍ତର୍ଭୁକ୍ତ । ପୁରୁଣା ବିଲ୍ ମଧ୍ୟରୁ ୱାକଫ୍ ସଂଶୋଧନ ବିଲ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗତ ବର୍ଷ ଅଗଷ୍ଟ ୮ରେ ସଂସଦରେ ଉପସ୍ଥାପନ କରାଯାଇଥିଲା ।
ବଜେଟ୍ ଅଧିବେଶନ ପୂର୍ବରୁ ଗୁରୁବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩୬ଦଳର ୫୨ ପ୍ରତିନିଧି ସାମିଲ୍ ହୋଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ଦଳୀୟ ସାଂସଦ ଗୌରବ ଗୋଗୋଇ, ସପା ସାଂସଦ ରାମଗୋପାଳ ଯାଦବ ପ୍ରମୁଖ ସାମିଲ ହୋଇଥିଲେ ।