ଦଲାଇ ଲାମାଙ୍କୁ ଭେଟିଲେ ଏବଂ ଚୀନକୁ ଚ୍ୟାଲେଞ୍ଜ ବି ଦେଲେ, ଭାରତ ମାଟିରୁ ଡ୍ରାଗନକୁ କଡ଼ା ସନ୍ଦେଶ ଦେଲା ଆମେରିକା

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ: ଚୀନର ଆପତ୍ତି ସତ୍ତ୍ୱେ ଆମେରିକୀୟ ସାଂସଦଙ୍କ ଏକ ଟିମ୍ ତିବ୍ବତର ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ସାକ୍ଷାତ କରିଛନ୍ତି । ବୁଧବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାଂସଦଙ୍କ ଏହି ଟିମରେ ଆମେରିକୀୟ ସଂସଦର ପୂର୍ବତନ ବାଚସ୍ପତି ନାନ୍ସି ପେଲୋସୀ ମଧ୍ୟ ସାମିଲ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦମାନେ କହିଥିଲେ ଯେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନରେ ଚୀନର କୌଣସି ଭୂମିକା ରହିପାରିବ ନାହିଁ । ଆମେରିକା ସେପରି କରିବାକୁ ଦେବ ନାହିଁ । ଆମେରିକୀୟ ସାଂସଦଙ୍କ ଏହି ବୟାନ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି କାରଣ କରମାୟପା ଲାମା ରୂପେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନରେ ଚୀନ ଦଖଲ ଦେବା ପାଇଁ ଉଦ୍ୟମ କରୁଛି ।

ନାନ୍ସି ପେଲୋସୀ କହିଛନ୍ତି ଯେ ଦଲାଇ ଲାମାଙ୍କୁ ତାଙ୍କର ଶାନ୍ତି ସନ୍ଦେଶ, ଆଧ୍ୟାତ୍ମିକତା, ଦୟାଭାବ ପାଇଁ ମନେ ରଖାଯିବ । କିନ୍ତୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯେବେ ଦୁନିଆରୁ ଚାଲିଯିବେ ତାଙ୍କୁ କେହି ମନେ ରଖିବେ ନାହିଁ । ତାଙ୍କୁ କୌଣସି କାମ ପାଇଁ କ୍ରେଡିଟ୍ ଦିଆଯିବ ନାହିଁ । ସେ କହିଛନ୍ତି ଯେ ତିବ୍ବତୀ ଲୋକ ଦୟାର ପ୍ରତୀକ । ସେ କହିଛନ୍ତି ଯେ ଆମେରିକୀୟ ସଂସଦରେ ତିବ୍ବତ-ଚୀନ ବିବାଦ ଉପରେ ଆକ୍ଟ ଆଗତ କରାଯାଇଛି, ଯାହା ସମାଧାନର ସଠିକ୍ ବାଟ ଦେଖାଉଛି । ପେଲୋସୀ କହିଛନ୍ତି ଯେ ଆମେ ଏହି ବିଲ୍ ଜରିଆରେ ଚୀନକୁ ସ୍ପଷ୍ଟ ସନ୍ଦେଶ ଦେଇଛୁ । ଏହି ବିଲ୍ ଚୀନକୁ ସନ୍ଦେଶ ଦେଉଛି ଯେ ସ୍ଥିତ ବଦଳି ଯାଇଛି ଏବଂ ତୁମେ ପ୍ରସ୍ତୁତ ରହିବା ଦରକାର ।

ଆମେରିକୀୟ ସଂସଦର ବିଦେଶ ମାମଲାର ସମିତି ଅଧ୍ୟକ୍ଷ ମାଇକେଲ୍ ମେକଲଙ୍କ ନେତୃତ୍ୱରେ ଆମେରିକୀୟ ସାଂସଦଙ୍କ କମିଟି ଭାରତ ଆସିଛି । ଏହି କମିଟିରେ ଏମି ବେରା, ଗ୍ରେଗୋରୀ ମିକ୍ସ ଏବଂ ନାନ୍ସି ପେଲୋସୀ ସମେତ ମୋଟ ୭ ସାଂସଦ ଭାରତ ଆସିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ତାଇୱାନ ଏବଂ ତିବ୍ବତକୁ ଚୀନ ନିଜର ବୋଲି ଦାବି କରିଆସୁଛି । ୱାନ୍ ଚାଇନା ପଲିସିରେ ସେ ଏହି ଦାବି କରୁଛି ଏବଂ ଅନ୍ୟ କୌଣସି ଦେଶର ଦଖଲକୁ ବରଦାସ୍ତ କରାଯିବନି ବୋଲି କହିଛି । ଚୀନ ପ୍ରାୟ ୭୦ ବର୍ଷ ପୂର୍ବେ ତିବ୍ବତ ଉପରେ କବଜା କରିଥିଲା । ସେବେଠାରୁ ହଜାର ହଜାର ତିବ୍ବତୀୟ ଶରଣାର୍ଥୀ ଦଲାଇ ଲାମାଙ୍କ ନେତୃତ୍ୱରେ ଭାରତରେ ରହି ଆସୁଛନ୍ତି । ଏହି ତିବ୍ବତୀୟମାନେ ନିଜ ଦେଶକୁ ସ୍ୱାଧୀନ କରିବା ପାଇଁ ସଂକଳ୍ପ ନେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.