ଜଙ୍ଗଲରେ ବୁଲିବାକୁ ଯାଇ ହଜିଗଲେ ଜଣେ ଆମେରିକୀୟ, ଜୋତାରୁ ପାଣି ପିଇ କାଟିଲେ ଜଙ୍ଗଲରେ 10 ଦିନ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ  17/06 : ବେଳେବେଳେ ଜୀବନରେ ଏମିତି କିଛି ଘଟଣା ଘଟେ  ଯାହା ତାଜୁବ୍   ତ କରିଦିଏ । ଆଉ  ସବୁଦିନ ପାଇଁ ଅଭୁଲାସ୍ମୃତି ହୋଇ ରହିଯାଏ। ପ୍ରାୟ ସମସ୍ତଙ୍କର ଏମିତି କିଛି ଛୋଟବଡ଼ ଅନୁଭୂତି ଥିବ।  ଆମେ ବି ଆଜି ଜଣେ ଆମେରିକୀୟଙ୍କ ସହ ଘଟିଥିବା ସେମିତି ଏକ ଅଭୁଲା ଅଘଟଣା ବିଷୟରେ କହିବୁ।  

ଆମେରିକା କାଲିଫର୍ଣ୍ଣିଆରେ ୩୪ବର୍ଷୀୟ ଲୁକାସ ମାକ୍‌କ୍ଲିଶ ୧୦ଦିନ ଧରି ଜଙ୍ଗଲରେ ହୋଇଯାଇଥିଲେ ନିଖୋଜ।  ଏବେ  ସେହି ବ୍ୟକ୍ତିଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ଲୁକାସ ମାକ୍‌କ୍ଲିଶ ଜୁନ୍‌ ୧୧ତାରିଖରେ ସାନ୍ତା କ୍ରୁଜ୍‌ ପାହାଡ଼କୁ  ବୁଲିବାକୁ ଯାଇ ସେଠାରେ ହଜି ଯାଇଥିଲେ। ସେଠାରେ ପ୍ରାକୃତିକ ପରିବେଶର ଶୋଭାରେ  ଏତେ ମଜ୍ଜିଗଲେ ଯେ ୩ ଘଣ୍ଟା ଯାଏ ଆଗକୁ ଯିବା ଜାରି ରଖିଲେ ।  ଏହାପରେ ଫେରିବାକୁ ଚାହିଁବାରୁ ଜଙ୍ଗଲରେ ହୋଇଗଲେ ପଥହରା ।  ମାକ୍‌କ୍ଲିଶଙ୍କ ନିକଟରେ କିଛି ଜାମୁକୋଳି ଓ ୪ ଲିଟର ପାଣି ଥିଲା । ଏହା  ସାହାଯ୍ୟରେ ସେ ୧୦ଦିନ ଧରି କୌଣସିମତେ ଜୀବନରକ୍ଷା କରିଛନ୍ତି । 

ପରିବାରର ସଦସ୍ୟମାନେ କହିଛନ୍ତି ଯେ, ପ୍ରଥମେ ସେମାନେ ମାକ୍‌କ୍ଲିଶଙ୍କୁ  ଘର ଆଖପାଖରେ ଖୋଜିଥିଲେ । ୫ ଦିନ ପରେ ଜୁନ୍‌ ୧୬ରେ ପିତୃ ଦିବସ  ଅବସରରେ ବି ସେ ନ ମିଳିବାରୁ ସ୍ଥାନୀୟ ପୁଲିସ ନିକଟରେ ନିଖୋଜ  ହୋଇଯିବା ନେଇ ଅଭିଯୋଗ କଲେ । ଏହାପରେ ପୁଲିସ ତାଙ୍କର ସନ୍ଧାନ ଲାଗି   ୩୦୦ ଲୋକଙ୍କୁ ନେଇ ଏକ ସ୍ପେଶାଲ ଟିମ୍‌ ଗଠନ କଲା । ତାଙ୍କୁ ଖୋଜିବା ଲାଗି  ୨୬୦୦ କିମିର ଜଙ୍ଗଲରେ ଡ୍ରୋନ୍‌ ଦ୍ୱାରା ଅପରେସନ୍‌ ଚଳାଯାଇଥିଲା । ଗତ ୨୦ ତାରିଖ ଡ୍ରୋନ୍‌ ସାହାଯ୍ୟରେ ମାକ୍‌କ୍ଲିଶଙ୍କୁ ଜଙ୍ଗଲ ମଧ୍ୟରେ ସନ୍ଧାନ କରାଯାଇଥିଲା ।  ସେତେବେଳକୁ ସେ କାଦୁଅ ଜଡ଼ସଡ଼ ହୋଇ ଅତି ଦୁର୍ବଳ ହୋଇପଡି଼ଥିଲେ ବୋଲି  କାଲିଫର୍ଣ୍ଣିଆ ପୁଲିସ କହିଛି । 

ମାକ୍‌କ୍ଲିଶଙ୍କର ଦୁଇ ହାତ, କାନ୍ଧରେ ଆଘାତ ଲାଗିଛି ।  ଏବେ ତାଙ୍କର ଚିକିତ୍ସା କରାଯାଉଛି । ଉଦ୍ଧାର ଅଭିଯାନରେ ସାମିଲ ଜଣେ ବ୍ୟକ୍ତି  କହିଛନ୍ତି, ଅନେକ ଥର ଜଙ୍ଗଲ ମଧ୍ୟରେ ଆମକୁ ଉଦ୍ଧାର କର, ଉଦ୍ଧାର କର ବୋଲି  ଶବ୍ଦ ଶୁଭୁଥିଲା । କିନ୍ତୁ କିଛି ସମୟ ପରେ ତାହା ବନ୍ଦ ହୋଇଯାଉଥିଲା । ସେଥିଯୋଗୁ  ଆମେ ଦ୍ୱନ୍ଦ୍ୱରେ ପଡୁଥିଲୁ । 

ଉଦ୍ଧାର ହେବା ପରେ ଏକ ସାକ୍ଷାତକାରରେ ମାକକ୍ଲିଶ୍‌  କହିଛନ୍ତି, ‘ମୁଁ ଜଙ୍ଗଲକୁ ଯିବାର କିଛି ସମୟ ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିଥିଲା।  ତେଣୁ ରାସ୍ତା ଭୁଲିଗଲି। ଜଙ୍ଗଲରେ ରହିବା ସମୟରେ ପାଖରେ ଥିବା ପାଣି ସରିଯିବାରୁ  ଜୋତା ସାହାଯ୍ୟରେ ପାଣି ସଂଗ୍ରହ କରି ପିଉଥିଲି। ସେଥିଯୋଗୁ ହିଁ ବଞ୍ଚିଗଲି। ଏବେ ମୁଁ ଶରୀରରେ ଯନ୍ତ୍ରଣା ଅନୁଭବ କରୁଛି।’

Also Read-  ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖି ନିର୍ମାଣ କରିଥିଲେ ଚଳଚ୍ଚିତ୍ର, ଏବେ କୁଏତରେ ଅରବପତିଙ୍କ ବିଲ୍ଡିଂରେ ଗଲା ଅନେକଙ୍କ ଜୀବନ 

ମାକକ୍ଲିଶ୍‌ ଆହୁରି କହିଛନ୍ତି, ଆଉ  କିଛି ଦିନ ଧରି ସେ ଜଙ୍ଗଲକୁ ଯିବେନାହିଁ । ବର୍ଷକରେ ସେ ଯେତିକି ଚାଲିଥାନ୍ତେ,  ୧୦ଦିନ ଭିତରେ ଜଙ୍ଗଲରେ ସେତିକି ବାଟ ଚାଲିସାରିଥିବା ସେ କହିଛନ୍ତି।ତେବେ  ମାକକ୍ଲିଶ୍‌ ଙ୍କ ପରିବାର ଉଦ୍ଧାରକାରୀ ଦଳକୁ ଜଣାଇଛନ୍ତି କୃତଜ୍ଞତା ଜଣାଇବା ସହ ଜାହିର କରିଛନ୍ତି ଖୁସି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.