ନୂଆଦିଲ୍ଲୀ; ହିଣ୍ଡନବର୍ଗ ରିସର୍ଚ୍ଚ ସଟ୍ ଡାଉନ । ସର୍ଟ ସେଲିଂ କମ୍ପାନିରେ ପଡ଼ିଲା ସଟ୍ଟର । ପ୍ରତିଷ୍ଠାତା ନାଥନଙ୍କ ଫାର୍ମ ବନ୍ଦ ଘୋଷଣା । ସୋସିଆଲ୍ ମିଡିଆ ଏକ୍ସରେ ଭାବବିହ୍ୱଳ ପୋଷ୍ଟ । ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ, ନାଁ ଶୁଣିବା ମାତ୍ରେ ପୁଞ୍ଜି ବଜାର ହେଉଥିଲା ହଲଚଲ । ବ୍ୟବସ୍ଥିତ କମ୍ପାନିମାନଙ୍କ ମଧ୍ୟରେ ପଶୁଥିଲା ଛନକା । ମନରେ ପ୍ରଶ୍ନ ଉଠୁଥିଲା ଏବେ କୌଣସି ଏକ ବଡ଼ ଖୁଲାସା ହେବ । ସେୟାର ମାର୍କେଟରେ ଠକେଇର ଗୁମର ଖୋଲିବା ସହ ସାମ୍ନାକୁ ଆସିବ ଆକାଉଣ୍ଟ ହେରଫେରର କଳା ଚିଠା । କେବଳ ଛୋଟ କମ୍ପାନି ନୁହେଁ, ଗୌତମ ଆଦାନୀ, ସେବୀ ଚିଫ୍ ମାଧବୀ ବୁଚଙ୍କ ଭଳି ବଡ଼ ବଡ଼ ହସ୍ତୀ ହିଣ୍ଡନବର୍ଗର ଶିକାର ହୋଇଛନ୍ତି । ରିସର୍ଚ୍ଚ ରିପୋର୍ଟରେ ଫସିଛନ୍ତି ବହୁ ବିଦେଶୀ କମ୍ପାନି । ହେଲେ ନିଜ ରିସର୍ଚ୍ଚର ବୁଡ଼ିଆଣୀ ଜାଲରେ ଅନ୍ୟକୁ ଛନ୍ଦୁଥିବା ସର୍ଟ ସେଲିଂ କମ୍ପାନିରେ ଏବେ ସଟ୍ଟର ପଡ଼ିବାକୁ ଯାଉଛି । ହିଣ୍ଡନବର୍ଗ ବନ୍ଦ ନେଇ ଘୋଷଣା କରିଛନ୍ତି କମ୍ପାନି ପ୍ରତିଷ୍ଠାତା ।
୨୦୧୭ରେ ଆମେରିକାରେ ପ୍ରତିଷ୍ଠା ହୋଇଥିଲା ସର୍ଟ ସେଲିଂ କମ୍ପାନି । ସଂସ୍ଥାପକ ନାଥନ ଆଣ୍ଡରସର ଏହାର ନାଁ ରଖିଥିଲେ ହିଣ୍ଡନବର୍ଗ ରିସର୍ଚ୍ଚ । ପୁଞ୍ଜି ବଜାର, ବଡ଼ ବଡ଼ ଇଣ୍ଡଷ୍ଟ୍ରୀରେ ହେଉଥିବା ଠକେଇ । ଏପରିକି ଭ୍ରଷ୍ଟାଚାର ଏବଂ ମିସ୍ ମ୍ୟାନେଜମେଣ୍ଟକୁ ନେଇ କରୁଥିଲା ଖୁଲାସା । ପ୍ରଥମେ ଏହାକୁ ନେଇ ପ୍ରତିଷ୍ଠିତ ହେବା ପରେ ସର୍ଟ ସେଲିଂ ଟ୍ରେଡିଂକୁ ଅସ୍ତ୍ର କରି ଆରବ ଆରବ ଡଲାର ଛାପୁଥିଲା ହିଣ୍ଡନବର୍ଗ । ବର୍ତ୍ତମାନ ନାଥମ ଅଣ୍ଡରସରଙ୍କ ରସର୍ଚ୍ଚ ବହି ବନ୍ଦ ହୋଇଛି । ପ୍ରତିଷ୍ଠାତା ଏକ୍ସରେ ଘୋଷଣା କରିବା ସହିତ ଭାବବିହ୍ୱଳ ହୋଇ କହିଛନ୍ତି, ଆମର କମିଟମେଣ୍ଟ ପୂର୍ଣ୍ଣ ହୋଇଛି । ଏବେ ଏହାକୁ ବନ୍ଦ କରିବାର ସମୟ ଆସିଯାଇଛି ବୋଲି ମାଲିକ ନାଥନ ଆଣ୍ଡରସନ କହିଛନ୍ତି । ଏନେଇ ସେ ନିଜ ପରିବାର, ସାଙ୍ଗ ଏବଂ କମ୍ପାନିର କୋର୍ କମିଟି ଆଲୋଚନା କରିଛନ୍ତି ।
ହିଣ୍ଡନବର୍ଗ ରିସର୍ଚ୍ଚ ଜାଲରେ ଛନ୍ଦି ହୋଇଥିଲା ଆଦାନୀ ସମୂହ । ୨୦୨୩ ଜାନୁଆରୀରେ ଆଦାନୀ ଗ୍ରୁପର ଷ୍ଟକ୍ ସର୍ଟ ସେଲିଂ କରିଥିଲା । ହେଲେ କମ୍ପାନି ନିଜ ଷ୍ଟକକୁ ଉଚିତ୍ ମୂଲ୍ୟାଙ୍କନ ଅପେକ୍ଷା ୮୫ ପ୍ରତିଶତ ମହଙ୍ଗାରେ ବିକ୍ରି କରୁଥିବା ନେଇ ଅଭିଯୋଗ ଆଣିଥିଲା ହିଣ୍ଡନବର୍ଗ । ଏହାଛଡ଼ା ଆଦାନୀ ସମୂହ କମ୍ପାନି ବଜାର ହେରଫେର ଏବଂ ଆକାଉଣ୍ଟିଂ ଠକେଇରେ ଲିପ୍ତ ଥିବା ରିସର୍ଚ୍ଚ ରିପୋର୍ଟରେ ପ୍ରକାଶ କରିଥିଲା । ଏହି ଅଭିଯୋଗ ପରେ ଆଦାନୀ ଗ୍ରୁପର ସେୟାରରେ ଲଗାତାର ହ୍ରାସ ପାଇଥିଲା । ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବୁଡ଼ି ଯାଇଥିଲା ଏବଂ ୨୦ ହଜାର କୋଟିର ଫଲୋ-ଅନ୍ ପବ୍ଲିକ୍ ଅଫର ବାତିଲ୍ କରିବାକୁ ପଡିଲା । ପରେ ସୁପ୍ରିମକୋର୍ଟରୁ ଅଦାନୀ ଗ୍ରୁପରୁ ଆଶ୍ବସ୍ଥି ମିଳିଥିଲା । କେବଳ ଆଦନୀ ଗ୍ରୁପ ନୁହେଁ, ସେବୀ ଚିପ୍ ମାଧବୀ ବୁଚ୍ ମଧ୍ୟ ହିଣ୍ଡନବର୍ଗର ଶିକାର ହୋଇଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ବଡ ସର୍ଟ ସେଲିଂ କମ୍ପାନି ରାତାରାତି କାହିଁକି ହେଉଛି ବନ୍ଦ ? ରିସର୍ଚ୍ଚ ରିପୋର୍ଟରେ ବଡ଼ ବଡ଼ କମ୍ପାନିଙ୍କୁ ଘାଇଲା କରୁଥିବା ହିଣ୍ଡନବର୍ଗ ପ୍ରତିଷ୍ଠାତା ତରବରିଆ ଭାବେ ନିଷ୍ପତ୍ତି ନେଇଛନ୍ତି କି ? ନା କମ୍ପାନି ବନ୍ଦ ନେଇ କାହାର ଚାପ ପଡ଼ୁଥିଲା ? ଏଭଳି କିଛି ପ୍ରଶ୍ନ ହେବେ ଅର୍ଥନୈତିକ, ନିବେଶକଙ୍କ ମନରେ ଉଙ୍କୁ ମାରୁଛି । ହେଲେ ଏହାର ସ୍ପଷ୍ଟ ଉତ୍ତର କାହାରି ପାଖରେ ନାହିଁ ।..