ନୂଆଦିଲ୍ଲୀ: ସର୍ଟ ସେଲିଂ କମ୍ପାନି ହିଣ୍ଡନବର୍ଗ ରିସର୍ଚ୍ଚ ବନ୍ଦ । ଆଉ ଅର୍ଥନୈତିକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବନି କମ୍ପାନି । ସଂସ୍ଥା ବନ୍ଦ କରିବାକୁ ସଂସ୍ଥାପକ ନାଥନ ଅଣ୍ଡରସନ ଏକ୍ସରେ ଘୋଷଣା କରିଛନ୍ତି । ସେ ଭାବବିହ୍ୱଳ ହୋଇ ନିଜ ସଂଘର୍ଷର କାହାଣୀ, କମ୍ପାନି ପରିଚାଳନା ଏବଂ ଉପଲବ୍ଧିକୁ ବିସ୍ତାରରେ ଉଲ୍ଲେଖ କରିଛନ୍ତି । ନାଥନ ଅଣ୍ଡରସନ ଲେଖିଛନ୍ତି, ଗତ ବର୍ଷ ଶେଷରେ ନିଜ ପରିବାର, ସାଙ୍ଗ ଏବଂ କମ୍ପାନିର କୋର୍ କମିଟି ସହିତ କମ୍ପାନି ବନ୍ଦ କରିବା ନେଇ ଆଲୋଚନା କରିଛନ୍ତି । ଆଉ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଯେଉଁ ଯୋଜନାରେ କମ୍ପାନି କାମ କରୁଥିଲା, ତାହା ପୂରଣ ହୋଇଛି । ଏବେ ଏହାକୁ ବନ୍ଦ କରାଯିବ, ଏହାର ସମୟ ମଧ୍ୟ ଆସିଯାଇଛି ବୋଲି ନାଥନ ଆଣ୍ଡରସନ କହିଛନ୍ତି ।
ଜାନୁଆରୀ ୨୦୨୩ରେ ଆଦାନୀ ଗ୍ରୁପର ଷ୍ଟକ୍ ସର୍ଟ ସେଲିଂ ନେଇ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ଦାବି ହୋଇଥିଲା । ସେମାନେ ନିଜ ଷ୍ଟକକୁ ଉଚିତ୍ ମୂଲ୍ୟାଙ୍କନ ଠାରୁ ୮୫ ପ୍ରତିଶତ ମହଙ୍ଗା କରିଥିଲେ । ଏହାଛଡ଼ା ଆଦାନୀ ସମୂହ କମ୍ପାନି, ବଜାର ହେରଫେର ଏବଂ ଆକାଉଣ୍ଟିଂ ଠକେଇରେ ଲିପ୍ତ ଥିବା ହିଣ୍ଡନବର୍ଗ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ଅଭିଯୋଗ ପରେ ଆଦାନୀ ଗ୍ରୁପର ସେୟାରରେ ଲଗାତାର ନିମ୍ନଗାମୀ ହୋଇଥିଲା । ପୁଞ୍ଜି ବଜାରରେ ସେୟାର ପାଇଥିଲା । ଆଦାନୀ ଗ୍ରୁପ ସେୟାର ବଜାର ମୂଲ୍ୟ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଥିଲା। ଏହାଛଡ଼ା ରିପୋର୍ଟ ଆସିବା ପରେ, ଆଦାନୀ ଏଣ୍ଟରପ୍ରାଇଜେସର ୨୦,୦୦୦ କୋଟି ଟଙ୍କାର ଫଲୋ-ଅନ୍ ପବ୍ଲିକ୍ ଅଫର ବାତିଲ୍ କରିବାକୁ ପଡିଲା ।