ଭୁବନେଶ୍ଵର: କନ୍ଧମାଳ ଆମ୍ବ ଟାକୁଆ ଟାଜେଡି ପଲିଟିକ୍ସ ଭିତରେ ଏଣ୍ଟ୍ରି ମାରିଲେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଲୋକଙ୍କ ମୃତ୍ୟୁ ହେବା ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ବୋଲି କହିଲେ ବିଜୟ ମହାପାତ୍ର । ବିଜୟଙ୍କ ବୟାନ ପରେ ସାମ୍ନାକୁ ଆସିଲା ବିଜେଡି-ବିଜେପି ଓ କଂଗ୍ରେସ ନେତାଙ୍କ ବୟାନ୍ । ଏହି ଘଟଣାକୁ ନେଇ ବିରୋଧୀ ପୁଣି ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜୟଙ୍କ ସହ ବିରୋଧୀ ନେତାଙ୍କ ଅଭିଯୋଗର ଜବାବ୍ ରଖିଛନ୍ତ ଶାସକ ଦଳର ନେତା ।
କନ୍ଧମାଳ ଆମ୍ବ ଟାକୁଆ ଟ୍ରାଜେଡି । ଘଟଣାର RDC ତଦନ୍ତ ରିପୋର୍ଟ ସାମ୍ନାକୁ ଆସିନଥିବା ବେଳେ ଏପଟେ ଥମୁନି ରାଜନୈତିକ ବୟାନବାଜି । ଆଜି ଏହି ବିତର୍କରେ ଏଣ୍ଟ୍ରି ମାରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଲି ଲୋକଙ୍କ ମୃତ୍ୟୁ ଘଟଣା ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ମୃତକଙ୍କ ଗାଁରେ ୩ମାସ ଧରି ଲୋକଙ୍କୁ ରାସନ ମିଳିନଥିଲା ।କେବଳ ରାସନ ନୁହେଁ, ମଧ୍ୟାହ୍ନ ଭୋଜନ ଚାଉଳ ମଧ୍ୟ ୪ ମାସ ହେଲା ସ୍କୁଲକୁ ଯାଇନାହିଁ । ସରକାର ପ୍ରତି ମାସରେ କାହିଁକି ଚାଉଳ ନ ଦେଇ ୩ ମାସରେ ଥରେ ଚାଉଳ ଦେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର ।
ସେ ଆହୁରି କହିଛନ୍ତି ଯେ, କିଛି ନେତା ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି କହୁଛନ୍ତି । କିନ୍ତୁ ଆମ୍ବ ଟାକୁଆ କେବେ ବି ତାଙ୍କର ପାରମ୍ପରିକ ଖାଦ୍ୟ ନୁହେଁ । ଅଭାବରେ, ଭୋକ ବିକଳରେ ସେମାନେ ଆମ୍ବ ଟାକୁଆ ଖାଆନ୍ତି । ବହୁତ ଦିନ ପରେ ଏ ଘଟଣା ପୁଣି ଘଟିଲା ।ସେ ଗାଁର ଅଧିକାଂଶ ପୁରୁଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଗାଁ ଲୋକଙ୍କର ନିଜର ଚାଷ ଜମି ମଧ୍ୟ ନାହିଁ । ଯେଉଁମାନେ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ରିଲିଫ ଫଣ୍ଡରୁ ସହାୟତା ଦିଆଯାଇପାରିବ । କିନ୍ତୁ ସରକାର ଆଜି ଯାଏଁ ଦେଇନାହାନ୍ତି । ସରକାର ସେହି ଅଞ୍ଚଳରେ ରିଲିଫ କ୍ୟାମ୍ପ କରିବା ଦରକାର ।
ବିଜୟ ମହାପାତ୍ର କହିଛନ୍ତି, ସରକାରୀ ଅଫିସର ମାନେ ଭୁବନେଶ୍ବରରୁ ବିବୃତ୍ତି ନଦେଇ ଗାଁକୁ ଯିବା ଦରକାର । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ । ସେଠାରେ ଲୋକଙ୍କୁ ରାସନ ଆଣିବା ପାଇଁ ୧୦ କିମି ଚାଲି ଚାଲି ଯିବାକୁ ପଡୁଛି । ସେଠାରେ ସ୍ବଚ୍ଛ ପିଇବା ପାଣି ନାହିଁ । ସରକାର ଗାଁରେ କେମିତି ରାସନ ଓ ସ୍ବଚ୍ଛ ପାନୀୟ ଜଳ ମିଳିବ ସେ ନେଇ ବ୍ୟବସ୍ଥା କରନ୍ତୁ । ନିକଟସ୍ଥ ମେଡିକାଲରେ ଡାକ୍ତର ନାହାନ୍ତି । ତଦନ୍ତ ରିପୋର୍ଟ ଆସିଲେ ସତ ଜଣାପଡ଼ିବ ।
ସେପଟେ ବିଜୟ ମହାପାତ୍ରଙ୍କ ଏସବୁ ଅଭିଯୋଗର ଜବାବ୍ ରଖି ଯୋଗାଣମନ୍ତ୍ରୀ କହିଛନ୍ତି ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇଥିବା ଲୋକଙ୍କୁ ସୁସ୍ଥ କରି ଘରକୁ ଫେରାଇଛନ୍ତି ସରକାର । RDC ଘଟଣାର ତଦନ୍ତ କରୁଛନ୍ତି, ରିପୋର୍ଟ ଆସିଲେ ସହାୟତା ପ୍ରଦାନ କରାଯିବ ।୨୦୧୬ ରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ତାଙ୍କ ନେତା କେତେ ଯାଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।