ନୂଆଦିଲ୍ଲୀ ୨୫।୦୧: ପିଲାଦିନର ବନ୍ଧୁ, ଆଉ ପରେ ହେଲେ ଜୀବନସାଥୀ । ଅମଙ୍ଗ ଥିଲେ ପରିବାର, ତଥାପି ପରସ୍ପରର ହାତ ଧରି ଚାଲିବାକୁ କଥା ଦେଇଥିଲେ ଦୁହେଁ । କିନ୍ତୁ ସେହି କଥାରେ ପଡିଛି ପୂର୍ଣ୍ଣଚ୍ଛେଦ । ଦିନେ ସାତଜନ୍ମର ସାଥି ହେବାକୁ ଦେଇଥିଲେ ପ୍ରତିଶ୍ରୁତି । ଆଉ ଆଜି ପରସ୍ପର ହାତ ଛାଡିବାକୁ ନେଇଛନ୍ତି ନିଷ୍ପତ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗ ।
ଦୀର୍ଘ ୨୧ ବର୍ଷ ପରେ ପତ୍ନୀ ଆରତୀ ସେହୱାଗଙ୍କ ଠାରୁ ହେବେ ଅଲଗା। ଦୁହେଁ କିଛି ସମୟ ଧରି ରହୁଛନ୍ତି ଅଲଗା । ଏମିତିକି ଇନଷ୍ଟାଗ୍ରାମରେ ପରସ୍ପରକୁ ମଧ୍ୟ କରିଛନ୍ତି ଅନଫଲୋ । ବୀରୁ-ଆରତୀଙ୍କ ପ୍ରାୟ ୨୧ ବର୍ଷର ବିବାହ ହଠାତ୍ ଭାଙ୍ଗିଯିବା ଖବର ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । କାରଣ ଉଭୟ ନିଜ ବିବାହକୁ ନେଇ ଅନେକ ଅସୁବିଧାର କରିଥିଲେ ସାମ୍ନା । ଏମାନଙ୍କ ଲଭଷ୍ଟୋରୀ ରହିଥିଲା ବେଶ୍ ଚର୍ଚ୍ଚିତ ।
ବାସ୍ତବରେ ଏମାନେ ପିଲାଦିନରୁ ଥିଲେ ପରିଚିତ । ଯେତେବେଳେ ଏମାନେ ପ୍ରଥମେ ଦେଖା ହୋଇଥିଲେ ସେତେବେଳେ ସେହଓ୍ବାଗଙ୍କ ବୟସ ଥିଲା ୭ ବର୍ଷ । ଆଉ ଆରତୀଙ୍କ ବୟସ ଥିଲା ମାତ୍ର ୫ ବର୍ଷ । ଉଭୟଙ୍କ ସାକ୍ଷାତ ସେହୱାଗଙ୍କ ସମ୍ପର୍କୀୟ ଭାଇ ଏବଂ ଆରତୀଙ୍କ ପିଉସୀଙ୍କ ବିବାହ ସମୟରେ ହୋଇଥିଲା । ସେଠାରୁ ହିଁ ଉଭୟଙ୍କର ଆରମ୍ଭ ହୋଇଥିଲା ବନ୍ଧୁତା । ସେମାନେ ଘନିଷ୍ଠ ବନ୍ଧୁ ହୋଇଯାଇଥିଲେ ।
ପାରିବାରିକ ସମାବେଶରେ ସେମାନଙ୍କର ଦେଖାସାକ୍ଷାତ ହେଉଥିଲା । ଏହାପରେ ବୀରୁ ୧୪ ବର୍ଷ ଧରି ଆରତୀଙ୍କୁ ଜାଣିଥିଲେ । ୨୧ ବର୍ଷ ବୟସରେ ସେହୱାଗ ଆରତୀଙ୍କୁ କରିଥିଲେ ପ୍ରପୋଜ । ଆଉ ବିବାହ ପ୍ରସ୍ତାବକୁ ସାଙ୍ଗେ ସାଙ୍ଗେ ଆକ୍ସେପ୍ଟ କରିଥିଲେ ଆରତୀ । ଏହାପରେ ଦୁହେଁ ତିନି ବର୍ଷ ଧରି ପରସ୍ପରକୁ କରିଥିଲେ ଡେଟ୍ । କିନ୍ତୁ ଏହି ସମ୍ପର୍କକୁ ପରିବାର ଲୋକ କରିନଥିଲେ ଆକସେପ୍ଟ ।
ସେମାନେ ଉଭୟଙ୍କ ସମ୍ପର୍କକୁ କରିଥିଲେ ବିରୋଧ । ଏହାର ପ୍ରମୁଖ କାରଣ ଥିଲା ଏମାନେ ପରସ୍ପର ସମ୍ପର୍କୀୟ ଥିଲେ । କିନ୍ତୁ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଏମାନେ ରାଜି ହୋଇଯାଇଥିଲେ । ଆଉ ଏପ୍ରିଲ୍ ୨୦୦୪ରେ କରିଥିଲେ ବିବାହ । ହରିୟାଣଭି ପରମ୍ପରା ଅନୁସାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ନୂଆଦିଲ୍ଲୀ ବାସଭବନରେ ହୋଇଥିଲା ଏମାନଙ୍କର ବିବାହ । ବିବାହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଥିଲା । ଅତିଥିମାନଙ୍କୁ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣର ଆବଶ୍ୟକ ଥିଲା।
ଦମ୍ପତି ୨୦୦୭ରେ ପ୍ରଥମ ସନ୍ତାନ ଆର୍ଯ୍ୟବୀରକୁ ସ୍ବାଗତ କରିଥିଲେ । ଏହାପରେ ୨୦୧୦ରେ ଦ୍ୱିତୀୟ ପୁଅ ବେଦାନ୍ତ ଜନ୍ମ ହୋଇଥିଲେ । ତେବେ ଏହି ଲଭବାର୍ଡ ଗତ କିଛି ମାସ ଧରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରସ୍ପରକୁ ଅନଫଲୋ କରିବା ପରେ ସେମାନଙ୍କ ବୈବାହିକ ଜୀବନରେ ଅସୁବିଧା ହୋଇଥିବା ଗୁଜବ ହୋଇଛି । ତେବେ ଉଭୟ ନିଜ ସମ୍ପର୍କକୁ ନେଇ କୌଣସି ବି ସ୍ପଷ୍ଟିକରଣ ରଖିନାହାନ୍ତି । ତେବେ ସମୟ କହିବ ଏହି ଚର୍ଚ୍ଚା କେତେ ସତ କେତେ ମିଛ…