'ଆମେରିକା-ବ୍ରିଟେନ୍ ଉପରେ ବି ଆକ୍ରମଣ କରିବୁ', ୟୁକ୍ରେନର ସହଯୋଗୀଙ୍କୁ ପୁଟିନଙ୍କ କଡ଼ା ଚେତାବନୀ

Published By : Prameya-News7 Bureau | November 22, 2024 IST

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଂଘର୍ଷ ଭୟଙ୍କର ମୋଡ଼ ନେବାରେ ଲାଗିଛି । ୟୁକ୍ରେନକୁ ସହାୟତା କରୁଥିବା ଆମେରିକା ଏବଂ ବ୍ରିଟେନ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି । ରୁଷର ଅଭ୍ୟନ୍ତରୀଣ କ୍ଷେତ୍ରକୁ ଟାର୍ଗେଟ୍ କରିବା ପାଇଁ ଆମେରିକା ଏବଂ ବ୍ରିଟେନ ନିର୍ମିତ ମିସାଇଲ୍ ପ୍ରୟୋଗ କରୁଛି ୟୁକ୍ରେନ । ରିପୋର୍ଟ ଅନୁସାରେ ଏକ ଟିଭି ସମ୍ୱୋଧନରେ ପୁଟିନ କହିଛନ୍ତି ଯେ ଯେଉଁମାନେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ବଡ଼ ଆକ୍ରମଣ କରାଯିବ । ସେ କହିଛନ୍ତି ଯେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପୂର୍ବରୁ ଚେତାବନୀ ଦିଆସରିଛି ।

ଏକ ଟିଭି ବାର୍ତ୍ତାରେ ପୁଟିନ କହିଛନ୍ତି ଯେ ଗୁରୁବାର ୟୁକ୍ରେନ ଉପରେ କରାଯାଇଥିବା ଆକ୍ରମଣ, ଆମେରିକା ଏବଂ ବ୍ରିଟେନ ମିସାଇଲ ପ୍ରୟୋଗର ଜବାବରେ କରାଯାଇଛି । ରାଷ୍ଟ୍ରପତି ପୁଟିନ ଚେତାବନୀ ଦେଇ କହିଛନ୍ତି ଯେ ଆମେରିକାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରୁଷ ମିସାଇଲ୍ ରୋକିବାରେ ସକ୍ଷମ ହେବ ନାହିଁ । ୟୁକ୍ରେନ ଗୁରୁବାର ଦାବି କରିଥିଲା ଯୁଦ୍ଧରେ ରୁଷ ପ୍ରଥମ ଥର ପାଇଁ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଅନ୍ୟପଟେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଆକଳନରୁ ସଂକେତ ମିଳିଛି ଯେ ଏହି ଆକ୍ରମଣ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲରେ କରାଯାଇଛି ।

ୟୁକ୍ରେନ କହିଛି ଯେ ଆଠ ଅନ୍ୟ ମିସାଇଲ୍ ସହ ନିପ୍ରୋ ସହରର ଏକ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ମାଡ଼ ହୋଇଛି ଏବଂ ଏଥିରୁ ୬ ମିସାଇଲକୁ ଆକାଶରେ ହିଁ ନଷ୍ଟ କରାଯାଇଛି । ଆଇସିବିଏମର ମାରକ ପରିଧି ୟୁକ୍ରେନ ବିରୋଧରେ ଉପଯୋଗ ପାଇଁ ଅତ୍ୟଧିକ ବୋଲି କୁହାଯାଉଛି । ଏଭଳି କ୍ଷେପଣାସ୍ତ୍ରକୁ ପରମାଣୁ ହତିଆର ନେବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏହାର ପ୍ରୟୋଗ ରୁଷର ପରମାଣୁ କ୍ଷମତାର ଶକ୍ତିଶାଳୀ ସନ୍ଦେଶ ରୂପେ କାମ କରିବ । ଏହି ଆକ୍ରମଣ ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ସଂଶୋଧିତ ପରମାଣୁ ନୀତି ଉପରେ ହସ୍ତାକ୍ଷରର ଦୁଇ ଦିନ ପରେ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.