ପାନକାର୍ଡ ପରି ଏବେ ଆଧାର ସହ ଲିଙ୍କ ହେବ ଭୋଟର ଆଇକାର୍ଡ, ପ୍ରସ୍ତୁତିରେ ନିର୍ବାଚନ ଆୟୋଗ

Published By : Prameya-News7 Bureau | March 15, 2025 IST

ନୂଆଦିଲ୍ଲୀ: ନିର୍ବାଚନୀ ପାରଦର୍ଶିତା ବଢାଇବା ଉଦ୍ଦେଶ୍ୟରେ ଏବେ ଭୋଟର ଆଇଡିକୁ ଆଧାର ସହ ସଂଯୋଗ କରିବା ପ୍ରକ୍ରିୟା ଜୋରଦାର କରାଯାଇଛି । ପାନକାର୍ଡ ପରି ଏବେ ଭୋଟ ପରିଚୟ ପତ୍ରକୁ ମଧ୍ୟ ଆଧାର ସହ  ସଂଯୋଗ କରିବା ଯୋଜନା ଉପରେ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ କାମ କରୁଛନ୍ତି । ଏହି କ୍ରମରେ ଆଗାମୀ ସପ୍ତାହରେ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । 

ଏଥିରେ ଗୃହ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ ଓ ଆଧାର ଜାରି କରୁଥିବା ସଂସ୍ଥା ୟୁଆଇଡିଏଆଇର ଶୀର୍ଷ ଅଧିକାରୀ  ଯୋଗ ଦେବେ । ନକଲି କାର୍ଡ ଓ ଡୁପ୍ଲିକେଟ୍ ମତଦାତାଙ୍କୁ ଚିହ୍ନଟ କରି ମତଦାତା ତାଲିକାକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ୨୦୨୧ ଜନପ୍ରତିନିଧି ଅଧିନିୟମ, ୧୯୫୧ରେ ସଂଶୋଧନ ପରେ ନିର୍ବାଚନ ଆୟୋଗ ମତଦାତାଙ୍କୁ ସ୍ୱେଚ୍ଛାରେ ଆଧାର ନମ୍ବର ସଂଯୋଗ କରିବା ଆରମ୍ଭ କରିଥିଲା । ତେବେ ଏ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଆଧାର ଓ ଭୋଟର କାର୍ଡର ଡାଟାବେସକୁ ସଂଯୋଗ କରି ନ ଥିଲା । କିନ୍ତୁ ଏବେ ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଆୟୋଗ । 

Also read: ‘ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ପାଖରେ ଅଛି ପର୍ଯ୍ୟାପ୍ତ ପୁଞ୍ଜି, ଜମାକାରୀଙ୍କୁ ଚିନ୍ତା କରିବାର ଆବାଶ୍ୟକତା ନାହିଁ’: RBI

ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର, ନିର୍ବାଚନ ଆୟୋଗ ସୁଖବୀର ସିଂ ସନ୍ଧୁ ଓ ମୁଖ୍ୟ ନିର୍ବାଚନ ଆୟୋଗ ବିବେକ ଯୋଶୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମାର୍ଚ୍ଚ ୧୮ରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ବିଧାୟୀ ବିଭାଗର ସଚିବ ରାଜୀବ ମଣି ଓ ୟୁଆଇଡିଏଆଇର ସିଇଓ ଭୁବନେଶ କୁମାରଙ୍କୁ ସାକ୍ଷାତ କରିବେ । 

ଏହି ବୈଠକ ସେହି ସମୟରେ ହେବାକୁ ଯାଉଛି ଯେବେ ତୃଣମୂଳ କଂଗ୍ରେସର ସାଂସଦ ପଶ୍ଚିମବଙ୍ଗ ସହିତ କିଛି ରାଜ୍ୟରେ ଭୋଟରକାର୍ଡ ପ୍ରସଙ୍ଗ ଉଠାଇଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ନିଜର ଭୁଲ୍ ଜାଣି ପାରିଛନ୍ତି ଯେ, କିଛି ରାଜ୍ୟରେ ଭୁଲ ଆଲଫାନ୍ୟୁମେରିକ ସିରିଜ୍ କାରଣରୁ ଗୋଟିଏ ନମ୍ବରକୁ ପୁନର୍ବାର ଜାରି କରାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.