ଭୁବନେଶ୍ୱର ୨୮/୧୧: ରାଜ୍ୟରେ ବଢିବ ଆଳୁ ଦର । କାରଣ ଓଡିଶାକୁ ଆଳୁ ରପ୍ତାନି ଉପରେ ରୋକ ଲଗାଇଲେ ପଶ୍ଚିମବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଗତ ବୁଧବାର ମଧ୍ୟ ରାତ୍ରିରୁ ଜାତୀୟ ରାଜପଥ ଉପରେ ନାକା ପଏଣ୍ଟ କରି ଚେକିଂ ଜୋରଦାର । ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ ଟଙ୍କା ଓ ୪୦ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି ଦିଦି ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ବୁଧବାର ରାତିରୁ ଅଟକି ରହିଛି ଶତାଧିକ ଆଳୁ ବୋଝେଇ ଟ୍ରକ୍। ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଂଚ୍ କରାଯାଉଛି। ଆନ୍ତଃରାଜ୍ୟ ସୀମା ଦେଇ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରାଯାଇଛି। ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ ରୁ ୪୦ ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଆଳୁ ରପ୍ତାନି ଉପରେ ମମତା ବାନାର୍ଜୀ ରୋକ ଲଗାଇଛନ୍ତି।
ତେବେ, ମମତା ବାନାର୍ଜୀ ରାଜ୍ୟରେ ଆଳୁ ପିଆଜ ଦର ନେଇ ନବାନ୍ନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଥିଲେ। ଆଳୁ ପିଆଜ ଦର ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ସେପଟେ ସୀମାରେ ଆଳୁ ଗାଡି ଅଟକିବା ପରେ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଶୀତଳଭଣ୍ଡାରରୁ ଆଳୁ ଷ୍ଟକ୍ ସରି ଆସୁଥିବାରୁ ସରକାର ଏହାକୁ ଗୁରୁତର ସହ ନେବାକୁ ଓଡ଼ିଶା ବ୍ୟବସାୟୀ ମହାସଙ୍ଘ ସାଧାରଣ ସମ୍ପାଦକ କହିଛନ୍ତି।