ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ଏବଂ ଇସ୍କନ ସହ ଜଡ଼ିତ ଚିନ୍ମୟ କୃଷ୍ଣ ଦାସଙ୍କୁ ଜେଲ ପଠାଯିବା ମାମଲାରେ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇଛନ୍ତି । ବାଂଲାଦେଶର ବର୍ତ୍ତମାନ ସ୍ଥିତି ଉପରେ ସେ ଚିନ୍ତା ବ୍ୟକ୍ତ କରିବା ସହ ଏହା ଉପରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ ଆମେ କେନ୍ଦ୍ର ସରକାରଙ୍କ ସହ ଅଛୁ, ସେ ଯେଉଁ ପଦକ୍ଷେପ ନେବେ ସେଥିରେ ଆମ ସମର୍ଥନ ରହିଛି । ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ ଏହା ଅନ୍ୟ ଦେଶର ମାମଲା, ତେଣୁ ଏହା ଉପରେ କୌଣସି ଟିପ୍ପଣୀ କରିବାକୁ ଚାହୁଁ ନାହିଁ । ମମତା ବାନାର୍ଜୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ସମଧାନ କରିବେ ଏବଂ ରାଜ୍ୟ ସରକାର କେନ୍ଦ୍ର ନିଷ୍ପତ୍ତିକୁ ପାଳନ କରିବେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ବାଂଲାଦେଶ ଏକ ଅଲଗା ଦେଶ । ଭାରତ ସରକାର ଏହା ଉପରେ ପଦକ୍ଷେପ ନେବେ । ଏହା ଆମ ଅଧିକାର କ୍ଷେତ୍ରରେ ଆସୁ ନାହିଁ । ତେଣୁ ଆମେ ଏହା ଉପରେ କୌଣସି ବୟାନ ନଦେବା ଦରକାର ଏବଂ ଏଥିରେ ଆମେ ହସ୍ତକ୍ଷେପ କରିବାକୁ ଚାହୁଁନି । ଆମେ ଦୁଃଖିତ, କିନ୍ତୁ କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ନୀତିକୁ ଆମେ ପାଳନ କରୁଛୁ ।' ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ଇସ୍କନ ପ୍ରତିନିଧିଙ୍କ କଥା ହୋଇଛି । ତେବେ କଥାବର୍ତ୍ତା ବିଷୟରେ ସେ ଅଧିକ ସୂଚନା ଦେଇନାହାନ୍ତି ।
ମମତା ବାନାର୍ଜୀ କହିଛନ୍ତି, କୌଣସି ବି ଧର୍ମର ଲୋକଙ୍କୁ ଆଘାତ ପହଞ୍ଚୁ ତାହା ଆମେ ଚାହୁଁନୁ । ମମତାଙ୍କ ପୂର୍ବରୁ ପୁତୁରା ଅଭିଷେକ ବାନାର୍ଜୀ ବାଂଲାଦେଶ ଘଟଣାରେ ଚିନ୍ତା ବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାର ଏହି ମାମଲାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି କହିଥିଲେ ।