ରିଟାୟରମେଣ୍ଟ ପରେ କିପରି କଟିବ ଚନ୍ଦ୍ରଚୂଡ଼ଙ୍କ ଦ୍ୱିତୀୟ ଇନିଂସ୍, ଜାଣନ୍ତୁ ପୂର୍ବ CJIଙ୍କୁ ମିଳେ କେଉଁସବୁ ସୁବିଧା?

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ  ୨୭।୧୦: ଭାରତର ପ୍ରଧାନ ବିଚାରପତି  (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ ନଭେମ୍ବର ୧୦ ତାରିଖରେ ତାଙ୍କ ପଦରୁ ଅବସର ଗ୍ରହଣ କରିବେ। ତେବେ ରିଟାୟରମେଣ୍ଟ ପରେ ସିଜେଆଇଙ୍କୁ କେଉଁ ସବୁ ସୁବିଧା ମିଳେ ସେ ନେଇ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ। ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ନ୍ୟାୟପାଳିକାର ସର୍ବୋଚ୍ଚ ପଦବୀରେ ଥିବା ପ୍ରଧାନ ନ୍ୟାୟାଧୀଶ  ପଦରୁ ଅବସର ନେଲେ ସରକାରଙ୍କ ପକ୍ଷରୁ ତାଙ୍କୁ ଅନେକ ସୁବିଧା ଯୋଗାଇ ଦିଆଯାଇଥାଏ। 

ଦେଶର ନ୍ୟାୟ ବ୍ୟବସ୍ଥାରେ ତାଙ୍କ ଭୂମିକା ଓ ଯୋଗଦାନକୁ ନଜରରେ ରଖି ଅବସର ପରେ ଯେପରି ତାଙ୍କୁ ପର୍ଯ୍ୟାପ୍ତ ସମ୍ମାନ ଓ ସୁବିଧା ମିଳିବ ତାହା ସୁନିଶ୍ଚିତ କରାଯାଏ। ଏଣୁ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ମଧ୍ୟ ରିଟାୟରପରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ପ୍ରଦାନ କରାଯିବ। କେନ୍ଦ୍ରୀୟ ଆଇନ ମନ୍ତ୍ରାଳୟଙ୍କ ଅନୁସାରେ ରିଟାୟରମେଣ୍ଟ ପରେ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ ଉପଲବ୍ଧ କରାଯିବ। ଏହା ଛଡା ତାଙ୍କ ଘର ବାହାରେ ୨୪ ଘଣ୍ଟା ସୁରକ୍ଷା କର୍ମୀ ମୁତୟନ ରହିବେ। 

ଏହା ବାଦେ ରିଟାୟରମେଣ୍ଟର ୬ ମାସ ପର୍ଯ୍ୟନ୍ତ ଦିଲ୍ଲୀରେ ସିଜେଆଇଙ୍କୁ ରେଣ୍ଟ ଫ୍ରି ଟାଇପ-୭ କ୍ୱାର୍ଟର ଉପଲବ୍ଧ କରାଯିବ। ଏପରି କ୍ୱାର୍ଟର ସାଧାରଣତଃ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀମାନଙ୍କୁ ମିଳିଥାଏ। ଏପରି କ୍ୱାର୍ଟରରେ ୨ଟି ଗ୍ୟାରେଜ ଓ ଗୋଟିଏ ଲନ ଥାଏ। ଯାହା ସିଜେଆଇଙ୍କ ସମ୍ମାନପୂର୍ଣ୍ଣ ଜୀବନଶୈଳୀକୁ ସୁହାଇବ। ଏହା ଛଡା ଅବସର ପରେ ସିଜେଆଇଙ୍କୁ ମାସିକ ୭୦ ହଜାର ଟଙ୍କା ପେନସନ ମିଳିବ। ପେନସନ ବ୍ୟତୀତ ସିଜେଆଇଙ୍କୁ ସାରା ଜୀବନ ଜଣେ ଡ୍ରାଇଭର ଓ ଜଣେ ଚାକର ଯୋଗାଇ ଦିଆଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.