ନୂଆଦିଲ୍ଲୀ ୧୦।୦୩: ନାଚ, ଗୀତ, ହସଖୁସି, ଥଟ୍ଟାପରିହାସ ମଧ୍ୟରେ ହୋଲିରେ ରଙ୍ଗ ଖେଳ ଜମିଯାଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆମ ଜୀବନକୁ ରଙ୍ଗିନ୍ କରୁଥିବା ଏହି ରଙ୍ଗର ମହତ୍ତ୍ୱ କ’ଣ ? ବିଭିନ୍ନ ରଙ୍ଗର ମହତ୍ତ୍ୱ ମଧ୍ୟରେ କି ବାର୍ତ୍ତା ରହିଛି ? ଲାଲ୍ ରଙ୍ଗ, ଗଭୀର ଭାବପ୍ରବଣତା ତଥା ଶ୍ରଦ୍ଧାକୁ ସୂଚାଏ । ଲାଲ୍ ମଧ୍ୟ ଶକ୍ତିର ପ୍ରତୀକ । ହୋଲିର ଉଦ୍ଦୀପନାକୁ ବିଚ୍ଛୁରିତ କରେ ଲାଲ୍ ରଙ୍ଗ । ଲାଲ୍ ରଙ୍ଗ ଗଭୀର ପ୍ରେମର ପ୍ରତୀକ ମଧ୍ୟ ।
ନୀଳ ରଙ୍ଗ ଆସ୍ଥା ଏବଂ ଶାନ୍ତିର ପ୍ରତୀକ । ହୋଲି ଖେଳରେ ଏହି ରଙ୍ଗର ଫଗୁ ଶ୍ରୀକୃଷ୍ଣଙ୍କ ଶରୀରର ରଙ୍ଗକୁ ପ୍ରତିଫଳିତ କରିଥାଏ । ଏହି ରଙ୍ଗ ଆଣିଥାଏ ସ୍ଥିରତା ଏବଂ ଆସ୍ଥା । ନୀଳ ରଙ୍ଗ ମଧ୍ୟ ବିଶାଳତାର ପ୍ରତୀକ । ଏଣୁ ଜୀବନକୁ ପ୍ରଶ୍ରସ୍ତ ଚିତ୍ତରେ ଗ୍ରହଣ କରିବାକୁ ଆହ୍ୱାନ ଦିଏ ।
ହୋଲି ଖେଳରେ ହଳଦିଆ ରଙ୍ଗକୁ ବାଦ୍ ଦେବା ଉଚିତ ନୁହେଁ । ଏହି ରଙ୍ଗ ଖୁସି, ସ୍ୱାସ୍ଥ୍ୟ ଏବଂ ଆଶାର ପ୍ରତୀକ । ଜୀବନର ସକାରାତ୍ମକତାକୁ ଗ୍ରହଣ କରିବାକୁ ହଳଦିଆ ରଙ୍ଗ ପ୍ରେରଣା ଦିଏ । ସୂର୍ଯ୍ୟ ସଦୃଶ ହଳଦିଆ ରଙ୍ଗ ବିକାଶ ଏବଂ ସମ୍ପଦର ବାର୍ତ୍ତାବହ ।
ସବୁଜ ରଙ୍ଗର ଅବିର ପ୍ରକୃତି ସହିତ ସଂଯୁକ୍ତ ହୋଇ ରହିବାକୁ ପ୍ରେରିତ କରେ । ମନକୁ ଶାନ୍ତ କରିବାର ପ୍ରଭାବ ରହିଛି ସବୁଜ ରଙ୍ଗରେ ।
ଗୋଲାପୀ ରଙ୍ଗ ବିନା ହୋଲିର ରଙ୍ଗଖେଳ ସମ୍ପୂର୍ଣ୍ଣ ହୁଏନି । ଗୋଲାପୀ ବିଶ୍ୱଜନୀନ ପ୍ରେମ ତଥା ବନ୍ଧୁତା ଏବଂ ଯତ୍ନଶୀଳତାର ପ୍ରତୀକ । ଏହା ଆମକୁ ମାନବିକ ଚେତନାର ଆପଣାପଣକୁ ସୂଚାଏ ।
ନାରଙ୍ଗୀ ବା କମଳା ରଙ୍ଗକୁ ସର୍ବଦା ଆଧ୍ୟାତ୍ମିକତାର ରଙ୍ଗ ଭାବେ ଗ୍ରହଣ କରାଯାଏ । ନାରଙ୍ଗୀ ରଙ୍ଗର ଅବିରରେ ହୋଲି ଖେଳିବା ଅର୍ଥ ଇଚ୍ଛାଶକ୍ତିକୁ ବୃଦ୍ଧି କରିବା । ନାରଙ୍ଗୀ ରଙ୍ଗ ତ୍ୟାଗ ତଥା ବଳିଦାନର ରଙ୍ଗ । ଏହି ଶକ୍ତିଶାଳୀ ରଙ୍ଗ ସାହସିକ ହେବାର ପ୍ରେରଣା ମଧ୍ୟ ଦେଇଥାଏ ।