ଭୁବନେଶ୍ବର ୨୧।୦୨: ଏବେ ଯୁଗ ଡିଜିଟାଲ୍ । ଲାପଟପ୍ ବା କମ୍ପ୍ୟୁଟର ପାଲଟିଛି ଜୀବନର ଅଭିନ୍ନ ଅଙ୍ଗ । ଅଫିସ୍ କାମ, ଅନ୍ଲାଇନ୍ କ୍ଲାସ୍ ଓ ପଢିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ସ୍କ୍ରିନ୍ ଆଗରେ ବସିବାକୁ ବାଧ୍ୟ ହେଉଛନ୍ତି । ଫଳରେ ହାତରେ ଯନ୍ତ୍ରଣା, ପବନ ଅଟକିବା ବା ଦୁର୍ବଳ ଲାଗିବା ପରି ସମସ୍ୟା ବଢିଚାଲିଛି । ଲଗାତାର ଟାଇପିଂ କରିବା ସହ ମାଉସ୍ ଚଳାଇବା ଦ୍ୱାରା ମାଂସପେଶୀ ଉପରେ ଚାପ ପଡିଥାଏ । ଫଳରେ ହାତ ନିଷ୍କ୍ରିୟ ହେବା ସହ ଜ୍ୱଳନ ଓ ପବନ ଅଟକିବା ପରି ଅନୁଭବ ହୋଇଥାଏ ।
ଯଦି ଏପରି ସମସ୍ୟା ହେଉଥାଏ, ତେବେ ଆରମ୍ଭରୁ ଧ୍ୟାନ ଦିଅନ୍ତୁ, ନଚେତ୍ କ୍ରମଶଃ ସ୍ଥାୟୀ ରୂପେ ରହିଯାଇଥାଏ । ଶେଷରେ କାର୍ପଲ୍ ଟନଲ୍ ସିଣ୍ଡ୍ରୋମ୍ ପରି ସମସ୍ୟା ସୃଷ୍ଟି କରିଥାଏ । ବରଂ ଏଭଳି ସମସ୍ୟାର ସମାଧାନ ପାଇଁ ଅରମ୍ଭରୁ ହାଲ୍କା ବ୍ୟାୟାମ କରିବା ଦ୍ୱାରା ହାତର ମାଂସପେଶୀକୁ ମଜଭୁତ କରିବା ସହ ଯନ୍ତ୍ରଣାକୁ ନିୟନ୍ତ୍ରଣ କରିପାରିବେ । ଲାପଟପ୍ ଚଳାଇଲେ କାହିଁକି ହୁଏ ହାତ ଯନ୍ତ୍ରଣା?
ଦୀର୍ଘ ସମୟ ଟାଇପିଂ କରିବା ଦ୍ୱାରା ମାଂସପେଶୀ ଉପରେ ଅଧିକ ଚାପ ପଡିଥାଏ । ଏହାଦ୍ୱାରା ହାତରେ ଯନ୍ତ୍ରଣା ହୋଇଥାଏ । ହାତ ଓ ମଣିବନ୍ଧର ଭୁଲ୍ ସ୍ଥିତି ଯୋଗୁ ମଧ୍ୟ ସ୍ନାୟୁ ଉପରେ ପ୍ରଭାବ ପଡିଥାଏ । ଫଳରେ ସ୍ନାୟୁରେ ଯନ୍ତ୍ରଣା ହୋଇଥାଏ । ଅଧିକ ସମୟ କାମ କରିବା ଦ୍ୱାରା ହାତକୁ ଠିକ୍ ଭାବେ ରକ୍ତ ସଞ୍ଚାଳନ ନ ହେବା ଯୋଗୁ ଯନ୍ତ୍ରଣା ଅନୁଭବ ହୋଇଥାଏ । ଲଗାତାର ଗୋଟିଏ ଶୈଳୀରେ ବସି ରହିବା ଅଭ୍ୟାସ ମାଂସପେଶୀକୁ ଶକ୍ତ କରିଦେଇଥାଏ । ଅଧିକ ସମୟ ଟାଇପିଂ କରିବା ଦ୍ୱାରା ଆଙ୍ଗୁଠି ଓ ମଣିବନ୍ଧରେ କାର୍ପଲ୍ ଟନଲ୍ ସିଣ୍ଡ୍ରୋମ୍ ସମସ୍ୟା ଦେଖା ଦେଇଥାଏ । ଫଳରେ ଆଙ୍ଗୁଳି ଓ ମଣିବନ୍ଧରେ ଝିମ୍ଝିମ୍ ହେବା ସହ ନିସ୍ତେଜ ଅନୁଭବ ହୋଇଥାଏ ।
ଟେବଲ ପ୍ରେସ୍ ବ୍ୟାୟାମ:
ଟେବଲ୍ ଉପରେ ହାତକୁ ସିଧା ରଖନ୍ତୁ । ହାତକୁ ହାଲ୍କା ଭାବେ ୫ରୁ ୧୦ ସେକେଣ୍ଡ ଯାଏ ଚାପ ଦିଅନ୍ତୁ । ଏବେ ଧୀରେ ଧୀରେ ଛାଡନ୍ତୁ । ଏହାକୁ ୧୦ରୁ ୧୫ ଥର ଯାଏ ଦେହରାନ୍ତୁ । ଏହି ବ୍ୟାୟାମ କରିବା ଦ୍ୱାରା ମଣିବନ୍ଧ ଓ ହାତର ମାଂସପେଶୀ ମଜଭୁତ ହୋଇଥାଏ । ହାତ ଆଙ୍ଗୁଳିର ଯନ୍ତ୍ରଣା କମିବା ସହ ହାତର ଶକ୍ତି ବଢିଥାଏ ।
ରିଷ୍ଟ ରୋଟେସନ୍ ବ୍ୟାୟାମ:
ହାତକୁ ସାମ୍ନାକୁ ପ୍ରସାରିତ କରିବା ସହ ଘଣ୍ଟାକଣ୍ଟା ଦିଗରେ ଘୂରାନ୍ତୁ । ଘଣ୍ଟାକଣ୍ଟା ଦିଗରେ ୧୦ ଥର ଘୂରାଇବା ପରେ ଠିକ୍ ବିପରୀତ ଦିଗରେ ୧୦ ଥର ଘୂରାନ୍ତୁ । ଏହି ବ୍ୟାୟାମକୁ ୨ରୁ୩ ମିନିଟ୍ ଯାଏ କରନ୍ତୁ । ଏହି ବ୍ୟାୟାମ ମଣିବନ୍ଧ ଯନ୍ତ୍ରଣାକୁ କମ୍ କରିଥାଏ । ମାଂସପେଶୀକୁ ମଧ୍ୟ ମଜଭୁତ କରିଥାଏ । ଏହା କର୍ପଲ ଟନଲ୍ ସିଣ୍ଡ୍ରୋମକୁ ମଧ୍ୟ କମ୍ କରିଥାଏ ।