ଭୁବନେଶ୍ୱର ୧୪/୦୨: ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ, ପ୍ରେମ ଅମର । ପ୍ରେମ ପ୍ରେମିକର ଭାବନା । ପ୍ରେମ ଆଖିରେ ହୁଏ, ଛାତିରେ ହୁଏ । ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ । କିଏ କୁହେ ପ୍ରେମ ଅଢେଇ ଅକ୍ଷର ତ, ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ । ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ପ୍ରେମ । ତେଣୁ ତ ପ୍ରେମ ସୀମାହୀନ ସାଗର, ଆକାଶଠୁ ବିଶଳ ।
ପ୍ରେମୀ ଯୁଗଳମାନେ ନିଜ ପ୍ରେମକୁ ପରିପ୍ରକାଶ କରିବାକୁ ପାଳିଥାନ୍ତି ଭାଲେଟାଂଇନ୍ ୱିକ୍ । ଯାହାର ଆଜି ହେଉଛି ଶେଷ ଦିନ… ଆଜି ଭାଲେଟାଂଇନ୍ ଡେ । ରୋଜ ଡେ’ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ପ୍ରପୋଜ ଡେ, ଚକଲେଟ୍ ଡେ, ପ୍ରମିଜ ଡେ ଏବଂ କିସ୍ ଡେ’ ରାସ୍ତା ଡେଇଁ ଭାଲେଟାଂଇନ୍ ଡେ’ରେ ପହଞ୍ଚେ । ଯାହାକୁ ପ୍ରତିଟି ପ୍ରେମୀ ଯୁଗଳ ବେଶ ଉତ୍ସାହର ସହ ମନେଇଥାନ୍ତି ।
ଫେବୃଆରୀ ୧୪, ପ୍ରତି ପ୍ରେମିକ, ପ୍ରେମିକାଙ୍କ ପାଇଁ ଗୋଟିଏ ଅଭୁଲା ଦିନ । ପ୍ରତିବର୍ଷ ପ୍ରେମ ପକ୍ଷୀମାନେ ଏହି ଦିନଟିକୁ ପ୍ରେମର ଦିନ ଭାବେ ପାଳନ କରିଥାନ୍ତି । ନିଜର ମନର କଥା, ଛାତି ତଳର ଧକଧକ, ଲାଜ ମିଶା ଲଭ ଲେଟରରେ ଯେଉଁ କଥା ନିଜ ମନର ମଣିଷକୁ କହିପାରି ନଥାନ୍ତି ଆଜି ସେହି ଶବ୍ଦକୁ ପ୍ରେମର ସୁରରେ ସଜେଇ ଜୀବନ ସାଥୀ କହିଦିଅନ୍ତି । ସେଇଥିପାଇଁ ତ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଏହି ପ୍ରେମ ସପ୍ତାହ ବା ଭାଲେଟାଂଇନଡେକୁ ନେଇ ଆମ ଦେଶର ଯୁବପୀଢି ମାନେ ବେଶ ଉତ୍ସାହିତ ଥାନ୍ତି ।
ଫେବୃଆରୀ ମାସ ଆରମ୍ଭ ହେବା ମାତ୍ରେ ଅଧିକାଂଶ ଲୋକ ଉତ୍ସାହର ସହିତ ଭାଲେଣ୍ଟାଇନ୍ ସପ୍ତାହକୁ ଅପେକ୍ଷା କରନ୍ତି। ଏଥି ସହିତ, ଭାଲେଣ୍ଟାଇନ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କୌଣସି ସୁଯୋଗକୁ ବି ହାତଛଡା କରନ୍ତି ନାହିଁ। ଭାଲେଣ୍ଟାଇନ୍ ଡେ’କୁ ପ୍ରେମ ଦିବସ କୁହାଯାଏ।
ସେଥିପାଇଁ ଫେବୃଆରୀ ୧୪ରେ ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଏ। ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର। ତେବେ ଆସନ୍ତୁ ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ ଡେ’ ପାଳନ କରିବାର ପ୍ରକୃତ କାରଣ ଏବଂ ଏହି ଦିନ ସହିତ ଜଡିତ କିଛି ରୋଚକ ତଥ୍ୟ ଉପରେ ନଜର ପକେଇବା।
ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍ ଭାଲେଣ୍ଟାଇନ୍ ଥିଲା। ୨୭୦ ଖ୍ରୀଷ୍ଟାବ୍ଦରେ, ରୋମ୍ର ରାଜା କ୍ଲାଉଡିୟସ୍ ସମ୍ପୂର୍ଣ୍ଣ ପ୍ରେମ ବିରୋଧୀ ଥିଲେ। ସେ ମଧ୍ୟ ପ୍ରେମ ବିବାହକୁ ଦୃଢ ବିରୋଧ କରୁଥିଲେ। କ୍ଲାଉଡିୟସ୍ ବିଶ୍ୱାସ କରୁଥିଲେ ଯେ ପ୍ରେମକୁ ପ୍ରୋତ୍ସାହିତ କଲେ ଏହା ରୋମ୍ର ସୈନିକମାନଙ୍କ ଧ୍ୟାନ ଭଙ୍ଗ କରିବ। ଏଥିପାଇଁ ରୋମର ସୈନ୍ୟବଳ ଦୁର୍ବଳ ହୋଇଯିବ। ଏମିତି କି ରାଜା କ୍ଲାଉଡିୟସ୍ ମଧ୍ୟ ସୈନିକମାନଙ୍କ ବିବାହ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ଯେଉଁଠାରେ ଗୋଟିଏ ପଟେ ରାଜା କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ ସେଠାରେ ଅନ୍ୟ ପଟେ ସେଣ୍ଟ ଭାଲେଣ୍ଟାଇନ୍ ଖୋଲାଖୋଲି ଭାବରେ ପ୍ରେମର ପ୍ରଚାର କରୁଥିଲେ। ଏନେଇ ସେଣ୍ଟ୍ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସଙ୍କ ବିଚାରଧାରାକୁ ଭୁଲ ପ୍ରମାଣିତ କରିନାହାଁନ୍ତି ବରଂ ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ।