ଦିଲ୍ଲୀରେ ଦଳାଚକଟା ପ୍ରଥମ ନୁହେଁ…ଜାଣନ୍ତୁ କେବେ କେବେ ହୋଇଛି ଦଳାଚକଟା ?

Published By : Prameya-News7 Bureau | February 16, 2025 IST

ନୂଆଦିଲ୍ଲୀ ୧୬।୦୨: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା । ସାରା ଦେଶକୁ ଦୋହଲାଇ ଦେଇଛି । କିନ୍ତୁ ଦିଲ୍ଲୀରେ ଏହି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ହୋଇଛି ଦଳଚକଟା । ଏଥିରେ ମଧ୍ୟ ଅନେକ ଯାତ୍ରୀଙ୍କର ଚାଲିଯାଇଛି ଜୀବନ । ୨୮ ସେପ୍ଟେମ୍ବର ୨୦୦୨ରେ ହୋଇଥିଲା ଏପରି ଏକ ଦଳଚକଟା । ଲକ୍ଷ୍ନୌରେ ବିଏସପିର ରାଲିରେ ହଜାର ହଜାର କର୍ମୀ ପହଞ୍ଚିଥିଲେ । 

ଏହି ସମୟରେ ଶ୍ରମିକମାନେ ଘରକୁ ଫେରୁଥିବା ବେଳେ ଷ୍ଟେସନରେ ହୋଇଥିଲା ପ୍ରବଳ ଭିଡ଼ । ଏହି ସମୟରେ କିଛି ଯାତ୍ରୀ ଟ୍ରେନର ମଝିରେ ଏବଂ ଆଉ କିଛି ଯାତ୍ରୀ ଟ୍ରେନର ଛାତ ଉପରେ ଚଢ଼ିଗଲେ । କିନ୍ତୁ ଟ୍ରେନ୍‌ର ଛାତ ଉପରେ ଚଢ଼ିଥିବା ୪ ଜଣ ଯାତ୍ରୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିଲେ । ଏମିତିକି ଦଳାଚକଟା ଯୋଗୁଁ ଆହୁରି ଅନେକ ଲୋକ ହୋଇଥିଲେ ଆହତ ।

ସେହିପରି ୧୩ ନଭେମ୍ବର ୨୦୦୪ରେ ଛଠ ପୂଜା ସମୟରେ ନୂଆଦିଲ୍ଲୀ ଷ୍ଟେସନରେ ହୋଇଥିଲା ଦଳଚକଟା । ଏହି ସମୟରେ ବିହାର ଯାଉଥିବା ଟ୍ରେନର ପ୍ଲାଟଫର୍ମ ନମ୍ବର ହଠାତ୍ ବଦଳି ଯାଇଥିଲା । ଆଉ ଯାତ୍ରୀମାନେ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଓଭରବ୍ରିଜରେ ଚଢିଥିଲେ ଆଉ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଆଉ ୧୦ ଜଣ ଆହତ ହୋଇଥିଲେ। 

୩ ଅକ୍ଟୋବର ୨୦୦୭ରେ ମଧ୍ୟ ମୁଗଲ ସରାଇ ଜଙ୍କସନରେ ହୋଇଥିଲା ଦଳାଚକଟା । ବାସ୍ତବରେ ସେହି ଦିନ ଜିଉତିଆ ଉପବାସ ରହିଥିଲା । ଏଥିପାଇଁ ବହୁ ସଂଖ୍ୟକ ଯାତ୍ରୀ ବାରାଣସୀରେ ଗଙ୍ଗା ସ୍ନାନ କରି ମୋଗଲ ସରାଇ ଜଙ୍କସନରେ ପହଞ୍ଚିଥିଲେ । ସେହି ସମୟରେ ଦଳାଚକଟା ଯୋଗୁଁ ୧୪ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

କେବଳ ଏତିକି ନୁହେଁ ୨୦୧୩ ଫେବୃଆରୀ ୧୦ରେ ହୋଇଥିଲା ଆହ୍ଲାବାଦ କୁମ୍ଭମେଳା । ଏହି ସମୟରେ ରେଳ ଜଙ୍କସନରେ ଦଳାଚକଟା ହେବାରୁ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ ଜଣ ଆହତ ହୋଇଥିଲେ। ୨୯ ସେପ୍ଟେମ୍ବର ୨୦୧୭ରେ ମୁମ୍ବାଇର ଏଲଫିନଷ୍ଟୋନ ରେଳ ଷ୍ଟେସନର ଫୁଟ ଓଭର ବ୍ରିଜରେ ଦଳାଚକଟାରେ ଚାଲିଯାଇଥିଲା ୨୨ ଜଣଙ୍କର ଜୀବନ । 

ତେବେ ୨୭ ଅକ୍ଟୋବର ୨୦୨୪ରେ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ଦୀପାବଳି ଏବଂ ଛଠରେ ଘରକୁ ଯାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳାଚକଟାରେ ୯ ଜଣ ଯାତ୍ରୀ ଆହତ ହୋଇଥିଲେ । ଏବେ ନୂଆଦିଲ୍ଲୀ ଷ୍ଟେସନରେ ହୋଇଥିବା ଦଳାଚକଟା ସମସ୍ତଙ୍କୁ ଦୋହଲାଇ ଦେଇଛି । ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଏବେ ବି ଅନେକ ଯାତ୍ରୀ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.