ଦଳାଚକଟାରେ ପ୍ରାଣ ହରାଇଥିବା ୧୮ ଜଣ କିଏ? ଜଣ ଜଣ କରି ଆସିଲା ସମସ୍ତଙ୍କ ବିବରଣୀ, ଜାଣନ୍ତୁ କେଉଁ ରାଜ୍ୟର ସବୁଠୁ ଅଧିକ

Published By : Prameya-News7 Bureau | February 16, 2025 IST

ନୂଆଦିଲ୍ଲୀ ୧୬।୨: ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୯ଜଣ ମହିଳା ଓ ୫ ଜଣ ପିଲା ଅଛନ୍ତି। ପ୍ରଶାସନ ରବିବାର ମୃତକଙ୍କ ସୂଚୀ ଜାରି କରିଛି। ଏହି ଦଳାଚକଟାରେ ହରିୟାଣାର ଜଣକର ମୃତ୍ୟୁ ହୋଇଥିବା ବେଳେ  ଦିଲ୍ଲୀ ଓ ବିହାରର ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ପ୍ରୟାଗରାଜରେ ସଙ୍ଗମ ସ୍ନାନ ନିମନ୍ତେ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଦଳାଚକଟା ହୋଇଛି। ଆସନ୍ତୁ ଦେଖିବା ଦଳାଚକଟା ମୃତକଙ୍କ ନେଇ ଆସିଥିବା ତାଲିକା। 

ଏହି ତାଲିକାରେ ବକ୍ସର ବିହାରର ରବିନ୍ଦି ନାଥଙ୍କ ପତ୍ନୀ ଆହା ଦେବୀ (୭୯) ଥିବା ବେଳେ ଦିଲ୍ଲୀ ସଙ୍ଗମ ବିହାରର ଉପେନ୍ଦ୍ର ଶର୍ମାଙ୍କ ପତ୍ନୀ ପିଙ୍କି ଦେବୀ (୪୧), ଦିଲ୍ଲୀ ସରିତା ବିହାର ଉମେଶ ଗିରିଙ୍କ ପତ୍ନୀ ଶିଲା ଦେବୀ (୫୦), ବଭାନା ଦିଲ୍ଲୀର ଧର୍ମବୀରଙ୍କ ପୁଅ ବ୍ୟୋମ (୨୫),  ସାରଣ ବିହାରର ମେଘନାଥଙ୍କ ପତ୍ନୀ ପୁନମ ଦେବୀ(୪୦), ପରନା ବିହାରର ସନ୍ତୋଷଙ୍କ ପତ୍ନୀ ଲଳିତା ଦେବୀ (୩୫), ମୁଜଫରପୁର ବିହାରର ମନୋଜ ଶାହଙ୍କ ଝିଅ ସୁରୁଚୀ (୧୧), ସମସ୍ତିପୁର ବିହାରର ବିଜୟ ଶାହଙ୍କ ପତ୍ନୀ କୃଷ୍ଣା ଦେବୀ (୪୦), ସମସ୍ତିପୁର ବିହାରର ରାମସ୍ୱରୂର ସାହାଙ୍କ ପୁଅ ବିଜୟ ସାହା (୧୫) ଚିହ୍ନଟ ହୋଇଛନ୍ତି। 

ସେହିପରି ବାକି ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ ବୈଶାଳୀ ବିହାରର ଇନ୍ଦ୍ରଜିତ ପାସୱାନଙ୍କ ପୁଅ ନିରଜ (୧୨), ନଭାଦା ବିହାରର ରାଜକୁମାର ମାଁଝୀଙ୍କ ପତ୍ନୀ ଶାନ୍ତି ଦେବୀ (୪୦), ନଭାଦା ବିହାରର ରାଜକୁମାର ମାଁଝୀଙ୍କ ଝିଅ ପୂଜା କୁମାର (୮), ଭିବାନୀ ହରିୟାଣାର ମୋହିତ ମଲ୍ଲିକଙ୍କ ପତ୍ନୀ ସଙ୍ଗୀତା ମଲ୍ଲିକ (୩୫), ମହାବୀର ଏନକ୍ଲେଭର ବୀରେନ୍ଦ୍ର ସିଂହଙ୍କ ପତ୍ନୀ ପୁନମ (୩୫), ନାଙ୍ଗଲୋଇ ଦିଲ୍ଲୀର ବିପିନ ଝାଙ୍କ ପତ୍ନୀ ମମତା ଝା (୪୦), ସାଗରପୁର ଦିଲ୍ଲୀର ଓପିଲ ସିଂହଙ୍କ ଝିଅ ରିୟା ସିଂହ (୭), ବିଜଭାସନ ଦିଲ୍ଲୀର ପ୍ରଭୁ ସାହଙ୍କ ଝିଅ ବେବି କୁମାରୀ (୨୪) ଓ ନାଙ୍ଗଲୋଇ ଦିଲ୍ଲୀର ପଞ୍ଚଦେବ କୁଶବାହଙ୍କ ପୁଅ ମନୋଜ (୪୭) ଚିହ୍ନଟ ହୋଇଛନ୍ତି। 

ନୂଆଦିଲ୍ଲୀ ରେଳ ଷ୍ଟେସନ ଦୁର୍ଘଟଣା ପ୍ରଭାବିତ ଲୋକଙ୍କ ନିକଟସମ୍ପର୍କୀୟଙ୍କ ନିମନ୍ତେ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକ ଚିହ୍ନଟ ପ୍ରତି ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ମୃତକଙ୍କ ପରିଜନଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ଦିଆଯାଉଛି। ସେହିପରି ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ ଅଢେଇ ଲକ୍ଷଟଙ୍କା ଓ ମାମୁଲି ଆହତ ଲୋକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.