ରାଞ୍ଚୀ ୧୧।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଗଲାଣି। ନିର୍ବାଚନ ପୂର୍ବରୁ ମୋଟରାଇଜ ସର୍ଭେ ଜନତାଙ୍କ ରାୟ ଜାଣିବାକୁ ଚେଷ୍ଟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ରୂପେ ଜନତାଙ୍କ ପ୍ରଥମ ପସନ୍ଦ କିଏ ଜାଣିବାକୁ ହୋଇଥିବା ଉଦ୍ୟମରେ ଚମକାଇବା ଭଳି ରିପୋର୍ଟ ଆସିଛି। ସର୍ଭେର ପରିଣାମ ଅନୁସାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଜନତା ବାବୁଲାଲ ମରାଣ୍ଡିଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ବୋଲି କହିଛନ୍ତି।
ପାଖାପାଖି ୪୪ ପ୍ରତିଶତ ଲୋକେ ବାବୁଲାଲ ମରାଣ୍ଡିଙ୍କ ନାମ ନେଇଛନ୍ତି, ଅନ୍ୟପଟେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମାତ୍ର ୩୦ ପ୍ରତିଶତ ଲୋକେ ନିଜ ପସନ୍ଦର ନେତା ବୋଲି ମାନିଛନ୍ତି। ତାଜା ସର୍ଭେରୁ ଏହା ମଧ୍ୟ ଅନୁମାନ କରାଯାଇଛି ଯେ ବିଜେପି ଓ ମେଣ୍ଟକୁ ନିର୍ବାଚନରେ ୪୫ରୁ ୫୦ଟି ଆସନ ମିଳିପାରେ। ସେହିପରି ହେମନ୍ତ ସୋରେନଙ୍କ ଜେଏମଏମ ଓ ଇଣ୍ଡିଆ ମେଣ୍ଟକୁ ୧୮ରୁ ୨୫ ଆସନ ମିଳିବାର ସମ୍ଭାବନା ରହିଛି।
୨୦୧୯ ବିଧାନସଭା ନିର୍ବାଚନରେ ଜେଏମଏମ ଓ ମେଣ୍ଟ ୪୭ଟି ଆସନ ଜିତିଥିଲା। ଏଥିରେ ଏନଡିଏକୁ ମାତ୍ର ୨୫ଟି ଆସନ ମିଳିଥିଲା। ଭୋଟ ପ୍ରତିଶତ ହିସାବରେ ବିଜେପି ଓ ମେଣ୍ଟକୁ ୫୩ ପ୍ରତିଶତରୁ ଅଧିକ ଭୋଟ ମିଳୁଥିବାର ଆକଳନ କରାଯାଇଛି। ଏଥିରେ ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟର ଭୋଟ ସେୟାର ୨୭.୯ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ ଓ ଅନ୍ୟମାନଙ୍କୁ ୧୮.୯ ପ୍ରତିଶତ ଭୋଟ ମିଳିବାର ଅନୁମାନ କରାଯାଉଛି। ଏହି ସର୍ଭେକ୍ଷଣ ୧୫ ଅକ୍ଟୋବରରୁ ନଭେମ୍ବର ୯ ତାରିଖ ମଧ୍ୟରେ କରାଯାଇଥିଲା, ଯେଉଁଥିରେ ୬୩,୮୪୨ ଭୋଟରଙ୍କ ମତାମତ ନିଆଯାଇଥିଲା।