ଡେବ୍ୟୁ ମ୍ୟାଚ୍‌ରେ ଭିଗ୍ନେଶଙ୍କ ସୁପର ଶୋ, ତାରିଫ କଲେ ମାହୀ, ପିଠି ଥାପୁଡାଇଲେ

Published By : Prameya-News7 Bureau | March 25, 2025 IST

ମୁମ୍ୱାଇ ୨୫/୦୩: ରୋମାଞ୍ଚକର ହେଉଛି ଆଇପିଏଲ ୨୦୨୫ । ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ଆଗରେ ମୁମ୍ୱାଇ ଚିତ୍ । ଚାଲିପାରିଲାନି ଷ୍ଟାର ବ୍ୟାଟରଙ୍କ ଯାଦୁ ।ସିନିୟର ବୋଲର ସିନା ଫେଲ୍ ମାରିଲେ । କିନ୍ତୁ ଚମକିଲେ ଡେବ୍ୟୁଟାଣ୍ଟ । ଚେପକରେ ଚାଲିଲା ମୁମ୍ୱାଇ ଇମ୍ପାକ୍ଟ ପ୍ଲେୟାରଙ୍କ ଯାଦୁ । ୨୪ ବର୍ଷୀୟ ଲେଫ୍ଟି ଟିମ୍ ପାଇଁ ସାଜିଥିଲେ ବରଦାନ ।  ପ୍ରଥମ ଥର ସିନିୟର କ୍ରିକେଟ୍ ଖେଳୁଥିବା ଏହି ଖେଳାଳି ୩ ଓଭରରେ ନେଇଥିଲେ ୩ ୱିକେଟ୍ । ତେବେ କିଏ ଏହି ବୋଲର, ଯାହାକୁ ଖୋଜି ଆଣିଥିଲା ମୁମ୍ୱାଇ । ଆଉ ରୋହିତଙ୍କ ବଦଳ ଖେଳାଳି ଭାବେ ମୈଦାନରେ ଦେଖାଇଥିଲେ ଜଲଓ୍ୱା । 

ନା ଭିଗ୍ନେଶ ପୁଥୁର, ଘର କେରଳରେ । କେବଳ ଅଣ୍ଡର-୧୪ ଓ ଅଣ୍ଡର- ୧୯ ସ୍ତରରେ ରାଜ୍ୟ ପାଇଁ ଖେଳିଛନ୍ତି ପୁଥୁର । ଏହା ବ୍ୟତୀତ, କେରଳ କ୍ରିକେଟ୍ ଲିଗ୍‌ରେ ଆଲେପି ରିପଲ୍ସ ପାଇଁ ବି ଖେଳିଛନ୍ତି । ୩ ଟି ମ୍ୟାଚ୍‌ରେ ହାତେଇଥିଲେ କେବଳ ଦୁଇଟି ୱିକେଟ୍ । ଏହା ବ୍ୟତୀତ ସେ ତାମିଲନାଡୁ ପ୍ରିମିୟର ଲିଗର ଥିଲେ ଅଂଶଧନ । ହେଲେ ଏଯାଏଁ କୌଣସି ସିନିୟର ସ୍ତରରେ କେରଳର ପ୍ରତିନିଧିତ୍ୱ କରିନାହାଁନ୍ତି। ତଥାପି ଖେଳ ଦେଖି ଭରସିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୩୦ ଲକ୍ଷ ଟଙ୍କାରେ କିଣି ଦଳରେ ସାମିଲ କଲା। ଫ୍ରାଞ୍ଚାଇଜ୍ ଭିଗ୍ନେଶଙ୍କୁ ଚୟନ କରିବା ପରେ ତାଲିମ ନେବାକୁ ପଠାଇଥିଲା ଦକ୍ଷିଣ ଆଫ୍ରିକା । 


ଆଇପିଏଲ୍ ଡେବ୍ୟୁଟାଣ୍ଟ ପୁଥୁରଙ୍କ ଜୀବନି ବେଶ ସଂଘର୍ଷମୟ । ଅତି ସାଧାରଣ ପରିବାରରୁ ଆସିଥିବା ଭିଗ୍ନେଶଙ୍କ ବାପା ପେସାରେ ଜଣେ ଅଟୋ ଡ୍ରାଇଭର । ସ୍ଥିତି ସ୍ୱଚ୍ଛଳ ନଥିଲେ ବି ଭିଗ୍ନେଶଙ୍କ ଜିଦ୍ ଆଗରେ ହାର ମାନିଥିଲା ଦାରିଦ୍ର୍ୟତା । ପ୍ରାରମ୍ଭିକ କ୍ରିକେଟ୍ କ୍ୟାରିୟରରେ, ଭିଗ୍ନେଶଙ୍କ ଶୈଳୀ ଥିଲା ମିଡିୟମ ପେସର । କିନ୍ତୁ କ୍ରିକେଟର ମହମ୍ମଦ ସରିଫ୍ ତାଙ୍କୁ ଲେଗ୍ ସ୍ପିନ୍ କରିବାକୁ ପରାମର୍ଶ ଦେଇଥିଲେ । ସରିଫଙ୍କ ପରାମର୍ଶ ବଳରେ ପଲଟିଯାଇଥିଲା ଭିଗ୍ନେଶଙ୍କ କ୍ରିକେଟ କ୍ୟାରିୟର ।

ଭଲ ସୁଯୋଗ ଆଶାରେ ତ୍ରିସୂର ଚାଲିଯାଇଥିଲେ ଭିଗ୍ନେଶ ପୁଥୁର । ଯେଉଁଠି ସେ ସେଣ୍ଟ ଥମାସ କଲେଜ ପାଇଁ ଖେଳି, ବନିଗଲେ ସଫଳ ବୋଲର । ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ହେତୁ ଜଲି ରୋଭର୍ସ କ୍ରିକେଟ୍ କ୍ଲବ ପାଇଁ ସେ କେରଳ କ୍ରିକେଟ୍ ଲିଗ୍ ରେ ଆଲେପି ରିପଲ୍ସର ଟିମ୍‌ରେ ସ୍ଥାନ ପାଇଲେ। ବଦଳିଥିଲା ତାଙ୍କ ଜୀବନର ଗତିପଥ, ପାଇଗଲେ IPLରେ ଚାନ୍ସ । ଏବେ ସେ ମୁମ୍ୱାଇ ଇଣ୍ଡିଆର ଉଦୀୟମାନ ତାରକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.