ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ହେବାକୁ ଯାଉଛି BJP ସରକାର! କିଏ ହେବେ ମୁଖ୍ୟମନ୍ତ୍ରୀ? ଦୌଡ଼ରେ ୫ ନାମ

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ ୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଏଗଜିଟ୍ ପୋଲ ବିଜେପିକୁ ବିଜେତା ଘୋଷିତ କରୁଛି। ପାଖାପାଖି ସବୁ ଏଗଜିଟ୍ ପୋଲ ୨୭ ବର୍ଷ ପରେ ଦିଲ୍ଲୀ ଶାସନରେ ବିଜେପିର ପ୍ରତ୍ୟାବର୍ତ୍ତନ ଆକଳନ କରୁଛନ୍ତି। ସବୁ ନିର୍ବାଚନ ସର୍ଭେ ବିଜେପିର ଜିତ୍ ଓ ଆମ ଆଦମୀ ପାର୍ଟି (ଆପ)ର ହାର ଆକଳନ କରୁଛନ୍ତି। ଏଥିରେ କଂଗ୍ରେସ ଲାଗି ଖାତା ଖୋଲିବା ବି ଅସମ୍ଭବ ଦେଖାଯାଉଛି। ଯଦି ଏଗଜିଟ ପୋଲ ଅନୁମାନ ଠିକ୍ ହୁଏ ଓ ଫେବୃଆରୀ ୮ରେ ଫଳାଫଳରେ ପରିଣତ ହୁଏ ତେବେ ବିଜେପି କାହାକୁ କରିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

ପାର୍ଟି ଭିତରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକଙ୍କ ନାମ ଚର୍ଚ୍ଚା ହେଉଛି। ତେବେ ନିଷ୍ପତ୍ତି ନିର୍ବାଚନ ଫଳାଫଳ ଆସିବା ପରେ ହେବ। ହେଲେ ଏବେ ଦୌଡରେ ୫ ଜଣଙ୍କ ନାମ ଆଗରେ ଚାଲୁଛି। ଚାଲନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ। 

ପ୍ରବେଶ ବର୍ମା
ଯଦି ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଜିତେ ତେବେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସବୁଠୁ ଆଗରେ ପ୍ରବେଶ ବର୍ମାଙ୍କ ନାମ ରହିଛି। କାରଣ ଦିଲ୍ଲୀ ସିଟରେ ତାଙ୍କର ସିଧା ମୁକାବିଲା ଆପ ମୁଖିଆ ଅରବିନ୍ଦ କେଜରୀୱାଲ ଓ କଂଗ୍ରସର ସନ୍ଦୀପ ଦୀକ୍ଷିତଙ୍କ ସହିତ ହୋଇଛି। ଚଳିତ ନିର୍ବାଚନରେ ଏହି ଆସନଟି ଜାତୀୟ ରାଜଧାନୀର ସବୁଠୁ ଚର୍ଚ୍ଚିତ ସିଟ୍ ପାଲଟିଥିଲା। ବର୍ମା କେଜରିୱାଲ ହଟାଓ ଦେଶ ବଚାଓ ଅଭିଯାନ ଚଳାଇ ଆକ୍ରମକ ଢଙ୍ଗରେ ପ୍ରଚାର ମଧ୍ୟ କରିଛନ୍ତି। ସେ ପ୍ରଦୂଷଣ, ମହିଳା ସୁରକ୍ଷା ଓ ଯମୁନା ନଦୀ ପ୍ରସଙ୍ଗରେ କେଜରିୱାଲଙ୍କୁ ନିର୍ବାଚନରେ ଘେରିଥିଲେ। 

କପିଳ ମିଶ୍ର
ହିନ୍ଦୁବାଦୀ ନେତାର ଛବି ରଖୁଖିବା କପିଳ ମିଶ୍ର ଦିଲ୍ଲୀ ବିଜେପିର ଉପାଧ୍ୟକ୍ଷ ଅଛନ୍ତି। ରାଜଧାନୀରେ ପାର୍ଟିର ପ୍ରମୁଖ ପୂର୍ବାଞ୍ଚଳ ଚେହେରା ଭାବେ ତାଙ୍କୁ ଦେଖାଯାଏ। ତେବେ ଫେବୃଆରୀ ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗାରେ ତାଙ୍କ ବିରୋଧରେ ଘୃଣାସ୍ପଦ ଭାଷଣ ଦେବାର ଅଭିଯୋଗ ହୋଇଥିଲା। 

ରବିନ୍ଦର ସିଂହ ନେଗୀ
ପଟପଡଗଞ୍ଜ ସିଟରୁ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀ ଗତ ଦିନରେ ଅଚାନକ ଚର୍ଚ୍ଚାକୁ ଆସିଥିଲେ। ଘୋଣ୍ଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ଥିଲା। ମଞ୍ଚକୁ ବିଜେପି ପ୍ରାର୍ଥୀଙ୍କୁ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ ନେଗୀ ମଧ୍ୟ ଜଣେ ଥିଲେ। ସେ ଅଚାନକ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ଏହା ବଦଳେ ପ୍ରଧାନମନ୍ତ୍ରୀ ୩ ଥର ନେଗୀଙ୍କ ଚରଣ ସ୍ପର୍ଷ କରିଥିଲ, ଯାହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନେଗୀ ୨୦୨୦ ବିଧାନସଭା ନିର୍ବାଚନେ ମନିଷ ସିସୋଦିଆଙ୍କଠାରୁ ମାତ୍ର ୩୮୦୭ଟି ଭୋଟରେ ହାରି ଯାଇଥିଲେ। 

ସତୀଶ ଉପାଧ୍ୟାୟ
ଦିଲ୍ଲୀ ବିଜେପି ମୁଖ୍ୟଥିବା ସତୀଶ ଉପାଧ୍ୟାୟ ମାଲବୀୟ ନଗର ସିଟରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ୬୨ ବର୍ଷ ବୟଷ୍କ ଉପାଧ୍ୟାୟ ପ୍ରଥମ ଥର ନିର୍ବାଚନ ଲଢିଛନ୍ତି। ଆରଏସଏସ ଓ ଏବିଭିପିରେ ଦୀର୍ଘ ସମୟ ଧରି କାମ କରିଥିବା ଉପାଧ୍ୟାୟ ସଙ୍ଗଠନରେ ଦୀର୍ଘ ସମୟ ଧରି କାମ କରି ଆସୁଛନ୍ତି।  ଏହି ବ୍ୟାକ୍ ଗ୍ରାଉଣ୍ଡ ତାଙ୍କୁ ଜଣେ ମଜଭୁତ ମୁଖ୍ୟମନ୍ତ୍ରୀ ଚେହେରା ଦେଉଛି। 

ରମେଶ ବିଧୁଡୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ କାଲକାଜୀ ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ରମେଶ ବିଧୁଡୀ ଜଣେ ଫାୟାର ବ୍ରାଣ୍ଡ ନେତାଭାବେ ଜଣାଶୁଣା। ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଯିବାମାତ୍ରେ ସେ ଆତିଶୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଥିଲେ। ବିଧାନସଭା ନିର୍ବାଚନ ପ୍ରଚାର କାଳରେ ଦୁଇ ନେତାଙ୍କ ଭିତରେ ରିତିମତ ଯୁଦ୍ଧ ଚାଲିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.