ନୂଆଦିଲ୍ଲୀ ୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ବିୟୋଗରେ ଦେଶ ଏବେ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଏବେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ନିମନ୍ତେ ମୋତିଲାଲ ନେହେରୁ ରୋଡର ବଙ୍ଗଳା ନମ୍ବର ୩ରେ ରଖା ଯାଇଛି। ତାଙ୍କ ଅନ୍ତ୍ୟେଷ୍ଟି ୨୮ ଡିସେମ୍ବର ଶନିବାର ଅନୁଷ୍ଠିତ ହେବ। ଏବେ ତାଙ୍କ ମୁଖାଗ୍ନିକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ପରମ୍ପରା ଅନୁସାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପୁଅ ଅନ୍ତିମ ସଂସ୍କାର କରନ୍ତି। ତେବେ ମନମୋହନ ସିଂହଙ୍କ ୩ ଝିଅ ଅଛନ୍ତି।
ଝିଅ ଦେବେ କି ମୁଖାଗ୍ନି?
ମନମୋହନ ସିଂହଙ୍କ ୩ ଝିଅ ଅଛନ୍ତି। ୩ ଜଣଙ୍କ ବୟସ ୬୦ ବା ତା ପାଖାପାଖି ହେବ। ତାଙ୍କ ବଡ଼ ଝିଅ ଉପିନ୍ଦର ସିଂହଙ୍କ ବୟସ ୬୫ ବର୍ଷ। ତାଙ୍କର ୨ ପୁଅ ଅଛନ୍ତି। ଦ୍ୱିତୀୟ କନ୍ୟା ଦମନ ସିଂହଙ୍କ ବୟସ ୬୧ ବର୍ଷ। ତାଙ୍କର ଗୋଟିଏ ପୁଅ ଅଛି ଓ ତାଙ୍କ ନାମ ରୋହନ ପଟ୍ଟନାୟକ। ତୃତୀୟ ଝିଅ ଅମୃତା ସିଂହଙ୍କ ବୟସ ୫୮ ବର୍ଷ, ତେବେ ତାଙ୍କ ପରିବାର ସମ୍ପର୍କରେ ଅଧିକ ସୂଚନା ନାହିଁ। ମନମୋହନ ସିଂହଙ୍କ ଅନ୍ତ୍ୟେଷ୍ଟି ଶନିବାର ଅନୁଷ୍ଠିତ ହେବ। ତେବେ ତାଙ୍କ ସଂସ୍କାରରେ ମୁଖାଗ୍ନି କିଏ ଦେବ ସେ ନେଇ ଏବେ ପ୍ରଶ୍ନ ଉଠୁଛି।
ତାଙ୍କ ୩ ଝିଅ ଅଛନ୍ତି, ଏଣୁ ମୁଖାଗ୍ନି ଦାୟିତ୍ୱ ଏବେ ସେମାନଙ୍କର। ତେବେ ଏ ନେଇ ଶାସ୍ତ୍ର କଣ କହୁଛି ଆସନ୍ତୁ ଜାଣିବା। ବଡ଼ ଝିଅ ମୁଖାଗ୍ନି ଦେବେ ନା ଏହି ଦାୟିତ୍ୱ ଆଉ କେହି ନିର୍ବାହ କରିବେ ତାହା ଶନିବାର ଜଣାପଡିବ। ତେବେ ଶାସ୍ତ୍ର ଅନୁସାରେ ମୃତ୍ୟୁ ପରେ ପାର୍ଥିବ ଶରୀରକୁ ମୁଖାଗ୍ନି ଦେବା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ। ଏହି ଦାୟିତ୍ୱ ପରମ୍ପରାଗତ ରୂପେ ପୁତ୍ର ଅଥବା ନିକଟତମ ପୁରୁଷ ହିଁ ନିର୍ବାହ କରନ୍ତି। ଏଥିରେ ଯଦି କୌଣସି ବ୍ୟକ୍ତିଙ୍କର କେବଳ ଝିଅ ଅଛନ୍ତି ତେବେ ଏ ନେଇ ଅନ୍ୟ ପରମ୍ପରା ଦେଶରେ ଆରମ୍ଭ ହୋଇସାରିଲାଣି, ଯାହାକୁ ଏବେ ସ୍ୱୀକାର ମଧ୍ୟ କରାଯାଉଛି।
ଶିଖ ଧର୍ମ ଅନୁସାରେ ହେବ ଅନ୍ତ୍ୟେଷ୍ଟି
ଯେହେତୁ ମନମୋହନ ସିଂହ ଶିଖ ଧର୍ମର ଏଣୁ ତାଙ୍କର ଅନ୍ତ୍ୟେଷ୍ଟି ଶିଖ୍ ଧର୍ମ ଅନୁସାରେ ହେବ। ଏହାକୁ ଅନ୍ତିମ ଅରଦାସ କୁହାଯାଏ। ଶିଖ ଧର୍ମର ଅନ୍ତ୍ୟେଷ୍ଟି ପରମ୍ପରା ଓ ବିଧି ହିନ୍ଦୁ ଧର୍ମଠାରୁ ଅନେକ ପୃଥକ। ଶିଖ୍ ଧର୍ମରେ ମୃତ୍ୟୁ ପରେ ଅନ୍ତିମ ସଂସ୍କାରକୁ ଅଧିକ ସାଧାରଣ ଓ ଶ୍ରଦ୍ଧାର ସହିତ ସମ୍ପନ୍ନ କରାଯାଏ। ଶିଖ୍ ଧର୍ମ ଅନୁସାରେ ମୁଖାଗ୍ନି କେହି ବି ନିକଟ ପରିଜନ ଦେଇ ପାରନ୍ତି। ଶିଖ ଧର୍ମରେ ଝିଅମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆଯାଇଛି। ଏଣୁ ଝିଅ ମଧ୍ୟ ମାତା,ପିତାଙ୍କୁ ମୁଖାଗ୍ନି ଦେଇ ପାରିବେ।
ତେବେ ଯେଉଁ ପର୍ଯ୍ୟନ୍ତ ଆଇନର କଥା ଉଠୁଛି ଭାରତରେ ଅନ୍ତିମ ସଂସ୍କାର ନିମନ୍ତେ ସେପରି କୌଣସି ଆଇନଗତ ବାଧ୍ୟବାଧକତା ନାହିଁ। ଏହା କେବଳ ପୁଅ ଯେ କରିବ ତାହା ମଧ୍ୟ ବିଧି ନିର୍ଦ୍ଧାରିତ ନୁହେଁ। ପତ୍ନୀ, କନ୍ୟା ଯେ କେହିବି ଏହି କର୍ତ୍ତବ୍ୟ କରିପାରନ୍ତି। ଅନେକ ସ୍ଥଳରେ ଏହି କର୍ତ୍ତବ୍ୟ ନାତିଙ୍କ ଦ୍ୱାରା ମଧ୍ୟ ସମ୍ପାଦିତ କରାଯାଏ। ଏଣୁ ମନମୋହନ ସିଂହଙ୍କ ଅନ୍ତ୍ୟେଷ୍ଟିରେ ଯଦି ନାତି କି ନାତୁଣୀ ମୁଖାଗ୍ନି ଦିଅନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହା ଶିଖ୍ ଧର୍ମ ଅନୁସାରେ ମଧ୍ୟ ଧର୍ମସଙ୍ଗତ। ନାତିଙ୍କୁ ପରିବାରର ଅଙ୍ଗ ମନେ କରାଯାଏ। ଧାର୍ମିକ ଦୃଷ୍ଟିରୁ ନିଜ ଅଜାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ସହ ସେ ଏହି କାମ କରିପାରନ୍ତି।