କିଏ ସମ୍ଭାଳିବେ ରତନ ଟାଟାଙ୍କର ୩୦ ଲକ୍ଷ କୋଟି ଟଙ୍କାର ବିଶାଳ ସାମ୍ରାଜ୍ୟ ?

Published By : Prameya-News7 Bureau | October 10, 2024 IST

INTERNET

ମୁମ୍ବାଇ: ଗୋଟିଏ ଯୁଗର ଅବସାନ ଘଟିଛି। ଭାରତର ସେହି କୋହିନୁର ହୀରା, ସେହି ଅମୂଲ୍ୟ ରତ୍ନ ରତନ ଟାଟାଙ୍କର ବିୟୋଗ ହୋଇଛି। ବୁଧବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ସନ୍ଥ ସେହି ଶିଳ୍ପପତି ରତନ ଟାଟା। 

ରତନ ଟାଟାଙ୍କ ବିୟୋଗରେ ତାଙ୍କର ୩୦ ଲକ୍ଷ କୋଟି ଟଙ୍କାର ଟାଟା ଗ୍ରୁପର ବିଶାଳ ସମ୍ପତ୍ତିକୁ କିଏ ଚଳାଇବେ ଏବେ ସେ ନେଇ ପ୍ରଶ୍ନ ଉଠିଛି। କାରଣ ରତନ ଟାଟା ବିବାହ କରିନଥିଲେ। ତେଣୁ ତାଙ୍କର କୌଣସି ସନ୍ତାନସନ୍ତତୀ ନାହାନ୍ତି।

ବର୍ତ୍ତମାନ ଟାଟା ଗ୍ରୁପ୍‌ର ନେତୃତ୍ୱ ଏନ. ଚନ୍ଦ୍ରଶେଖରନଙ୍କ ହାତରେ ରହିଛି। ସିଏ ୨୦୧୭ ମସିହାରୁ ଟାଟା ସନ୍ସର ଚେୟାରମ୍ୟାନ୍ ରହିଛନ୍ତି। ଏହାପୂର୍ବରୁ ଚନ୍ଦ୍ରଶେଖରନ୍ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ର ସିଇଓ ଥିଲେ। ସାରା ବିଶ୍ୱରେ ଟିସିଏସର ବିସ୍ତାର ଓ ଅଭିବୃଦ୍ଧିରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ତାଙ୍କର ଶାନ୍ତ ସ୍ୱଭାବ, ଦକ୍ଷ ପରିଚାଳନା କ୍ଷମତା ଯୋଗୁ ଟାଟା ଗ୍ରୁପର ସେ ଖୁବ ଭରସାଯୋଗ୍ୟ ବ୍ୟକ୍ତି।  

କୋଭିଡ୍ ଭଳି ସ୍ଥିତିରେ ସେ ଅନେକ ଗୁରୁତ୍ୱପୂଣ୍ଣ ଆହ୍ୱାନକୁ ସମ୍ନା କରି କମ୍ପାନୀକୁ ଆଗେଇ ନେଇଥିଲେ। ତେଣୁ ଅନେକେ ତାଙ୍କୁ ଟାଟା ସାମ୍ରାଜ୍ୟର ମଙ୍ଗୁଆଳ ଭାବେ ଦେଖୁଛନ୍ତି। ଏହାସତ୍ତ୍ୱେ ବି ଟାଟା ଗ୍ରୁପର ଉତ୍ତରାଧିକାରୀ ଭାବରେ ଏକାଧିକ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାରେ ରହିଛି। 

ଟାଟା ଗ୍ରୁପର ଉତ୍ତରାଧିକାରୀ ପାଇଁ ଚର୍ଚ୍ଚାରେ ଏମାନଙ୍କ ନାଁ

ନୋଏଲ ଟାଟା- ରତନ ଟାଟାଙ୍କ ସାବତ ଭାଇ ହେଉଛନ୍ତି ନୋଏଲ ଟାଟା। ରତନ ଟାଟାଙ୍କ ବାପା ନାଭାଲ ଟାଟା ଦୁଇଟି ବିବାହ କରିଥିଲେ। ପ୍ରଥମେ ସୁନୀ ଟାଟାଙ୍କୁ ବିବାହ କରିବା ପରେ ସ୍ୱିଜରଲ୍ୟାଣ୍ଡର ସିମନ ଟାଟାଙ୍କୁ ବିବାହ କରିଥିଲେ। ସିମନଙ୍କ ଗର୍ଭରୁ ଜନ୍ମ ନେଇଥିଲେ ନୋଏଲ ଟାଟା। ସୁନୀଙ୍କ ପୁଅ ହେଉଛନ୍ତି ରତନ ଟାଟା ଓ ଜିମ୍ମି ଟାଟା। 

ନୋଏଲ ଟାଟା ଗ୍ରୁପର ବିଭିନ୍ନ ପଦରେ କାମ କରୁଛନ୍ତି। ବର୍ତ୍ତମାନ ତାଙ୍କୁ ହି ଟାଟା ଗ୍ରୁପର ମୁଖ୍ୟ ରୁପେ ଦେଖାଯାଉଛି। ଟାଟାର ରିଟେଲ କମ୍ପାନୀ ଟ୍ରେଣ୍ଟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ନୋଏଲ ଟାଟା। ବ୍ୟବସାୟରେ ତାଙ୍କର ବି ଅଭିଜ୍ଞତା ରହିଛି। ତେଣୁ ରତନଙ୍କ ବିଶାଳ ସାମ୍ରାଜ୍ୟକୁ ସେ ତୁଲାଇ ପାରିବେ ବୋଲି ଚର୍ଚ୍ଚା ହେଉଛି।  

ପରବର୍ତ୍ତି ପିଢ଼ି ଲିହା, ମାୟା, ଏବଂ ନେଭିଲ୍ଲେ ଟାଟା 

ଟାଟା ପରିବାରରେ ପରବର୍ତ୍ତି ପିଢ଼ିଙ୍କ ଉପରେ ନଜର ରହିଛି। ନୋଏଲ ଟାଟାଙ୍କର ତିନି ସନ୍ତାନସନ୍ତତୀ ହେଲେ ଲେହ, ମାୟା, ଏବଂ ନେଭିଲ୍ଲେ ଟାଟା।

ଲିହା ଟାଟାଲିହା ହେଉଛନ୍ତି ନୋଏଲଙ୍କ ସବୁଠାରୁ ବଡ଼ ଝିଅ। ସେ ମାଦ୍ରିଦର ଆଇ. ବିଜନେଶ ସ୍କୁଲ୍‌ରେ ମାର୍କେଟିଂରେ ମାଷ୍ଟର କରିବା ପରେ ୨୦୦୬ରେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲିମିଟେଡ୍(IHCL)ର ଉପାଧ୍ୟକ୍ଷ ଅଛନ୍ତି। IHCL ହେଉଛି ଟାଟା ଗ୍ରୁପର ହୋଟେଲ ଶିଳ୍ପ ଶାଖା। ଯାହାକୁ ବଡ଼ ଦକ୍ଷତାର ସହ ସାମ୍ଭାଲୁଛନ୍ତି। ତେଣୁ ତାଙ୍କୁ ଟାଟା ଗ୍ରୁପର ଉତ୍ତରାଧିକାରୀ ବୋଲି ମଧ୍ୟ କୁହାଯାଉଛି। 

ମାୟା ଟାଟା-ନୋଏଲ ଟାଟାଙ୍କ ଦ୍ୱିତୀୟ ଝିଅ ମାୟା ଟାଟା କ୍ୟାପିଟାଲରୁ ହିଁ ତାଙ୍କ କ୍ୟାରିୟର ଆରମ୍ଭ କରିଛନ୍ତି। ଟାଟା କ୍ୟାପିଟେଲ୍‌ରେ ସେ ବିଶ୍ଳେଷକ ଭାବେ କାମ କରୁଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କୁ ବଡ଼ ପଦବୀ ମିଳିପାରେ ବୋଲି କୁହାଯାଉଛି।

ନେଭିଲ ଟାଟା- ନୋଏଲ ଟାଟାଙ୍କର ସଭା ସାନ ପୁଅ ନେଭିଲ ଟ୍ରେଣ୍ଟରୁ ତାଙ୍କ କ୍ୟାରିୟର ଆରମ୍ଭ କରିଛନ୍ତି। ଗ୍ରୁପର ରିଟେଲ ସେକ୍ଟରରେ ତାଙ୍କର ଯୋଗଦାନ ରହିଛି। ତେଣୁ ରତନ ଟାଟାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଉପରେ ବି ଆଖି ରହିଛି।

୧୯୯୩ରେ ଜହାଙ୍ଗୀର ରତନ ଜୀ ଦାଦାଭାଏ ଟାଟା(ଜେଆର୍‌ଡି ଟାଟା)ଙ୍କ ବିୟୋଗ ପରେ ରତନ ଟାଟା ଗ୍ରୁପ ଅଫ୍ କମ୍ପାନୀର ମଙ୍ଗ ଧରିଥିଲେ। ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ ସାରା ବିଶ୍ୱରେ ବିସ୍ତାରଲାଭ କରିଥିଲା। ତାଙ୍କରି ନେତୃତ୍ୱରେ ଟିସିଏସ୍‌ର ବିକାଶ ହେବା ସହ ଟାଟା ମୋଟର ଲ୍ୟାଣ୍ଡ ରୋଭର ଓ ଜାଗୁଆର ଭଳି ବ୍ରାଣ୍ଡ କାର କମ୍ପାନୀ କିଣିଥିଲା। 

ରତନ ଟାଟା ଦୀର୍ଘଦିନ ଧରି ଗ୍ରୁପର ଦାୟିତ୍ୱ ସମ୍ଭାଳିବା ପରେ ୨୦୧୨ରେ ସେ ଟାଟା ଗ୍ରୁପ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ହେଲେ ସେ ଟାଟା ସନ୍ସ ଏମିରେଟ୍ସ ଚେୟାରମ୍ୟାନ ଭାବେ କାମ କରୁଥିଲେ। ଆବଶ୍ୟକ ବେଳେ ପାରମର୍ଶ ଦେଉଥିଲେ। ରତନଙ୍କ ନେତୃତ୍ୱରେ ଟାଟା ଟ୍ରଷ୍ଟ ଏକାଧିକ ସମାଜସେବା- ବିଶେଷ କରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଲିପ୍ତ ଥିଲା। ସମାଜ ପ୍ରତି କମ୍ପାନୀର ଏହି ସେବାମନୋବୃତ୍ତି ପାଇଁ ଭାରତୀୟମାନେ ରତନ ଟାଟାଙ୍କୁ ଖୁବ୍ ଭଲପାଉଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.