ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣାର ଭାରତ ପ୍ରତ୍ୟର୍ପଣ ହୋଇଛି । ଏବେ ଏହି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ପୀଡ଼ିତଙ୍କୁ ନ୍ୟାୟ ଦେବାର ଦାୟିତ୍ୱ ବରିଷ୍ଠ ଓକିଲ ଦୟାନ କୃଷ୍ଣନଙ୍କ ଉପରେ ରହିବ । ଦୟାନ କୃଷ୍ଣନ ଏନଆଇଏ ପାଇଁ କୋର୍ଟରେ ପକ୍ଷ ରଖିବା ସହ ସରକାରୀ ପକ୍ଷର ବି ନେତୃତ୍ୱ ନେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ଏହି ମାମଲା ସହ ୨୦୧୦ ମସିହାରୁ ଜଡିତ ଅଛନ୍ତି । ରାଣାର ପ୍ରତ୍ୟର୍ପଣ ପ୍ରକ୍ରିୟାରେ ବି ଆମେରିକୀୟ କୋର୍ଟରେ ସେ ଭାରତର ପକ୍ଷ ରଖିଥିଲେ ।
ଆମେରିକାରେ ରାଣା ପାଇଁ ବ୍ରିଟିଶ ବାରିଷ୍ଟର ପଲ୍ ଗାର୍ଲିକ ଲଢୁଥିଲେ । ଅନ୍ୟପଟେ ବରିଷ୍ଠ ଆଇନଜୀବୀ ଦୟାନ କୃଷ୍ଣନ ପ୍ରତ୍ୟର୍ପଣ ପାଇଁ ରାଣା ବିରୋଧରେ ଆମେରିକୀୟ ଆଇନଜୀବୀଙ୍କୁ ନିଃଶୁଳ୍କ ସହାୟତା କରିଥିଲେ । ଦୟାନ କୃଷ୍ଣନ ପୂର୍ବରୁ ଦିଲ୍ଲୀ ଗଣଦୁଷ୍କର୍ମ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି ମାମଲା ପରି ସମ୍ୱେଦନଶୀଳ ମାମଲାରେ ପକ୍ଷ ରଖିସାରିଛନ୍ତି ।
ଦୟାନ କୃଷ୍ଣନଙ୍କ ଗଣତି ଦେଶର ସବୁଠାରୁ ପ୍ରତିଷ୍ଠିତ ଆଇନଜୀବୀଙ୍କ ମଧ୍ୟରେ ହୁଏ । ୧୯୯୩ ମସିହାରେ ଭାରତର ପ୍ରଥମ ନ୍ୟାସନାଲ୍ ଲ୍’ ୟୁନିଭର୍ସିଟିରୁ ସ୍ନାତ୍ତକ କରିଥିଲେ । ସେ ବିଶ୍ୱବିଦ୍ୟଳୟର ପ୍ରଥମ ବ୍ୟାଚ୍ରେ ସାମିଲ ଥିଲେ । ୧୯୯୯ରେ ସେ ନିଜର ସ୍ୱତନ୍ତ୍ର ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ୨୦୦୧ ସଂସଦ ଆକ୍ରମଣ, କାବେରୀ ଜଳ ବିବାଦ ଓ ଅନେକ ବଡ଼ ମାମଲାରେ ନିଜ ପ୍ରତିଭା ଦେଖାଇଥିଲେ । ୧୯୯୯ରେ ସେ ନ୍ୟାୟମୂର୍ତ୍ତି ଜେଏସ୍ ବର୍ମାଙ୍କ ଆୟୋଗ ସହ ଯୋଡ଼ି ହୋଇଥିଲେ । ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ସରକାରଙ୍କ ପକ୍ଷ ରଖିଥିଲେ ।
ଏବେ ତହବୁର ରାଣା କେସରେ ସରକାରଙ୍କ ତରଫରୁ ଦୟାନ କୃଷ୍ଣନଙ୍କ ସହ ଆଇନଜୀବୀ ନରେନ୍ଦ୍ର ମାନ, ଆଇନଜୀବୀ ସଞ୍ଜୀବୀ ଶେଷାନ୍ଦ୍ରି ଓ ଶ୍ରୀଧର କାଲେ ରହିବେ । କେନ୍ଦ୍ର ସରକାର ଏହି ମୋକଦ୍ଦମା ପାଇଁ ନରେନ୍ଦ୍ର ମାନଙ୍କୁ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର ନିଯୁକ୍ତ କରିଛନ୍ତି । ଏହି ଟିମ୍ ରାଣା ବିରୋଧରେ ପ୍ରମାଣ ଉପସ୍ଥାପନା କରିବା ସହ ଜଘନ୍ୟ ଅପରାଧର ମାଷ୍ଟର ମାଇଣ୍ଡକୁ କୋଠର ଦଣ୍ଡ ପାଇଁ ଯୁକ୍ତି ରଖିବେ । ଅନ୍ୟପଟେ ପୀୟୁଷ ସଚଦେବଙ୍କୁ ରାଣାର ଓକିଲ ନିଯୁକ୍ତ କରାଯାଇଛି ।