କାହିଁକି ଘଟିଲା ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ? ସାମ୍‌ନାକୁ ଆସିଲା କାରଣ...

Published By : Prameya-News7 Bureau | February 16, 2025 IST

ନୂଆଦିଲ୍ଲୀ: ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳଚକଟା କାରଣରୁ ୧୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଦଳାଚକଟାରେ ଶତାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାରି ମଧ୍ୟରେ ଘଟଣାର କିଛି କାରଣ ସାମ୍‌ନାକୁ ଆସିଛି। କୁହାଯାଉଛି ଟ୍ରେନର ନାଁକୁ ନେଇ ଦ୍ବନ୍ଦ୍ବ କାରଣରୁ ପ୍ଲାଟଫର୍ମରେ ହଇଚଇ ସୃଷ୍ଟି ହୋଇଥିଲା। ଯାହା ପରେ ସ୍ଥିତି ଅଣାୟତ୍ତ ହୋଇଥିଲା। ଆଉ ଏତେ ବଡ଼ ଘଟଣା ଘଟିଗଲା। 

ପ୍ରକୃତରେ ପ୍ଲାଟଫର୍ମ ନମ୍ବର ୧୪ରୁ ପ୍ରୟାଗରାଜ ଯିବାକୁ ଏକ ଟ୍ରେନ ପୂର୍ବରୁ ହିଁ ଛିଡ଼ା ହୋଇଥିଲା। ଏହି ଟ୍ରେନ୍‌ ପ୍ରତିଦିନ ନୂଆଦିଲ୍ଲୀରୁ ପ୍ରୟାଗରାଜ ଯାଇଥାଏ। ଏଥିପାଇଁ କୁମ୍ଭ ମେଳାକୁ ଯିବାକୁ ପ୍ଲାଟଫର୍ମ ନମ୍ବର ୧୪ରେ ବହୁ ସଂଖ୍ୟାରେ ଯାତ୍ରୀ ଉପସ୍ଥିତ ଥିଲେ। ହେଲେ ଏହି ସମୟରେ ଘୋଷଣା ହୋଇଥିଲାକି, ପ୍ରୟାଗରାଜ ପାଇଁ ୧୬ ନମ୍ବର ପ୍ଲାଟଫର୍ମରୁ ସ୍ବତନ୍ତ୍ର ଟ୍ରେନ ଟ୍ରେନ୍‌ ଛାଡ଼ିବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘୋଷଣା ପରେ ପରେ ୧୪ ନମ୍ବର ପ୍ଲାଟଫର୍ମରେ ଥିବା ଯାତ୍ରରମାନେ ପ୍ଲାଟଫର୍ମ ନମ୍ବର ୧୬ ଆଡ଼କୁ ଯିବାକୁ ଲାଗିଥିଲେ।

କୁହାଯାଉଛି, ଯାତ୍ରୀଙ୍କୁ ଏଥିପାଇଁ ଦ୍ବନ୍ଦ୍ବ ହୋଇଥିଲା ଯେ, ସେମାନେ ପ୍ଲାଟଫର୍ମ ନମ୍ବରରୁ ୧୬ରୁ ସ୍ପେଶାଲ ଟ୍ରେନ ଯାଉଥିବା କଥା ଶୁଣିନଥିଲେ।ସେମାନେ କେବଳ ଏତିକି ଶୁଣିଥିଲେ ଯେ, ପ୍ରୟାଗରାଜ ଯାଉଥିବା ଟ୍ରେନ ପ୍ଲାଟଫର୍ମ ନମ୍ବର ୧୬ରୁ ଯିବ। ଯେତେବେଳେକି ରେଗୁଲାର ଟ୍ରେନ ୧୪ ନମ୍ବର ପ୍ଲାଟଫର୍ମରୁ ପ୍ରୟାଗରାଜ ଯାଉଥିଲା।

ପ୍ଲାଟଫର୍ମ ନମ୍ବର ୧୩-୧୪ରେ ପୂର୍ବରୁ ହିଁ ଭିଡ଼ ଥିଲା

ଘଟଣାର ଆଉ ଏକ କାରଣ ହେଉଛି ପ୍ଲାଟଫର୍ମ ନମ୍ବର ୧୩ ଏବଂ ୧୪ରେ ପୂର୍ବରୁ ହିଁ ଦୁଇ ଟ୍ରେନ ବିଳମ୍ବିତ ଥିଲା। ଏଥିପାଇଁ ପ୍ଲାଟଫର୍ମରେ ଭିଡ଼ ମଧ୍ୟ ଅଧିକ ଥିଲା। ଆଉ ସ୍ବତନ୍ତ୍ର ଟ୍ରେନ ଛାଡ଼ିବା ଘୋଷଣା ମାତ୍ରେ, ମହାକୁମ୍ଭ ଯିବା ପାଇଁ ବାହାରିଥିବା ଲୋକେ ପ୍ଲାଟଫର୍ମ ୧୬ ଆଡ଼କୁ ଧାଇଁଥିଲେ। ଫଳରେ ହଇ ଚଇ ସୃଷ୍ଟି ହୋଇଥିଲା। ଆଉ ଏତେ ବଡ଼ ଦୁର୍ଘଟଣା ଘଟିଥିଲା।

ମୃତକଙ୍କ ପରିବାରକୁ କ୍ଷତିପୂରଣ

ଦଳଚକଟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛି ଭାରତୀୟ ରେଲଓ୍ବେ । ଏହା ସହ ଗୁରୁତର ଆହତଙ୍କୁ ୨.୫-୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଲୋକଙ୍କୁ ୫୦-୫୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ନେଇ ଘୋଷଣା କରାଯାଇଛି। ରେଲଓ୍ବେ ଏହି ଘଟଣାର ଯାଞ୍ଚ ପାଇଁ ଦୁଇ ସଦସ୍ୟ ଟିମ୍‌ର ଗଠନ କରିଛି। 

ପୂର୍ବରୁ ଉତ୍ତର ରେଲଓ୍ବେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଥିଲେ ଯେ, ଘଟଣା ସମୟରେ ପାଟନା ଯାଉଥିବା ମଗଧ ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୧୪ରେ ଛିଡ଼ା ହୋଇଥିଲା। ଯେତେବେଳେକି ଜମ୍ମୁ ଯାଉଥିବା ଉତ୍ତର ସମ୍ପର୍କ କ୍ରାନ୍ତି ପ୍ଲାଟଫର୍ମ ନମ୍ବର ୧୫ରେ ଥିଲା। ତେବେ ପ୍ଲାଟଫର୍ମ ୧୪ରୁ ୧୫କୁ ଆସୁଥିବା ଜଣେ ଯାତ୍ରୀ ପଡ଼ିଯାଇଥିଲେ। ଆଉ ତାଙ୍କ ପଛରେ ଆସୁଥିବା ଅନେକ ଯାତ୍ରୀ ପଡ଼ିଯାଇଥିଲା। ଏହି କାରଣରୁ ଦଳ ଚକଟା ହୋଇଥିଲା। ମାମଲାରେ ଉଚ୍ଚସ୍ତରୀୟ କମିଟି ଯାଞ୍ଚ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.