ନୂଆଦିଲ୍ଲୀ: ୫ ବର୍ଷ ପୂର୍ବେ ଚୀନରୁ ବାହାରିଥିବା କରୋନା ଭାଇରାସ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚିଥିଲା । ଏବେ ପୁଣି ଥରେ ଚୀନରୁ ଏକ ନୂଆ ଭାଇରସ ବ୍ୟାପିଥିବା ଦାବି କରାଯାଉଛି । ହ୍ୟୁମନ ମେଟାନ୍ୟୁମୋଭାଇରସ (HMPV) ନାମକ ଏହି ଭାଇରସରେ କୋଭିଡ୍-୧୯ ପରି ଲକ୍ଷଣ ଦେଖାଯାଏ, ମୁଖ୍ୟତଃ ଛୋଟ ପିଲାଙ୍କ ମଧ୍ୟରେ ।
ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଚୀନ ମହାମାରୀର ସାମନା କରୁଛି । ଦୁନିଆରେ ଦ୍ୱିତୀୟ ସବୁଠୁ ଜନସଂଖ୍ୟା ଥିବା ଚୀନ ମହାମାରୀର ପ୍ରକୋପର କେନ୍ଦ୍ର ହୋଇସାରିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଚୀନରେ ହିଁ କାହିଁକି ଏପରି ହେଉଛି ? ଚୀନରୁ କାହିଁକି ମାରାତ୍ମକ ଭୂତାଣୁ ସାମନାକୁ ଆସୁଛି ?
୨୦୦୩: ସାର୍ସ
୨୦୦୨ ନଭେମ୍ୱର ଚୀନରୁ SARS ଭାଇରସ ଅର୍ଥାତ୍ ସିଭିୟର ଏକ୍ୟୁଟ ରେସ୍ପିରେଟରୀ ସିଣ୍ଡ୍ରୋମ ଆରମ୍ଭ ହୋଇଥିଲା । ଦାବି କରାଯାଉଛି ଏହା ସମ୍ଭବତଃ ବାଦୁଡ଼ିଙ୍କ ଠାରୁ ଆରମ୍ଭ ହୋଇଥିବ । ପରେ ବିଲେଇକୁ ବ୍ୟାପିଥିଲା ଏବଂ ଏହାପରେ ମଣିଷଙ୍କୁ ସଂକ୍ରମିତ କରିଥିଲା । ଏହି ଭୂତାଣୁ ୨୬ ଦେଶକୁ ବ୍ୟାପିଥିଲା ଏବଂ ୮ ହଜାରରୁ ଅଧିକ ସଂକ୍ରମିତ ହୋଇଥିଲେ ଏବଂ ୭୭୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୩ ଜୁଲାଇ ଯାଏ ଏହି ଭାଇରସକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ପ୍ରକୋପ ଆରମ୍ଭରେ ଭାଇରସ ବିଷୟରେ ସୂଚନା ଚୁଲାଇବାକୁ ଉଦ୍ୟମ କରିଥିବାରୁ ଚୀନକୁ ସମାଲୋଚନା କରାଯାଇଥିଲା । ନୂଆ କରୋନା ଭାଇରସ ବି ସାର୍ସ ପରିବାରର ସଦସ୍ୟ ଥିଲା ।
ବାର୍ଡ ଫ୍ଲୁ
AVIAN ଫ୍ଲୁ ବାର୍ଡ ଫ୍ଲୁ ଏକ ଭାଇରାଲ ସଂକ୍ରମଣ, ଯାହା ପକ୍ଷୀଙ୍କଠାରୁ ପକ୍ଷୀଙ୍କୁ ବ୍ୟାପିଥାଏ । ଏହି ରୋଗ ସଂକ୍ରମିକ କୁକୁଡା କିମ୍ୱା ଅନ୍ୟ ପକ୍ଷୀଙ୍କ ସଂସ୍ପର୍ଶରେ ରହିଲେ ବ୍ୟାପିଥାଏ । ମୁଖ୍ୟତଃ କୁକୁଡାଙ୍କ ଭିନ୍ନ ଭିନ୍ନ ପ୍ରଜାତି ସହ ସିଧା ସଂସ୍ପର୍ଶରେ ଆସିବା ପରେ ରୋଗ ବ୍ୟାପିଥାଏ । ମଣିଷଙ୍କ ଶରୀରକୁ ଏହି ଭୂତାଣୁ ମୁହଁ, ଆଖି ଏବଂ ନାକ ଜରିଆରେ ପ୍ରବେଶ କରିଥାଏ । ଏହି ମହାମାରୀର ଅନେକ ସ୍ୱରୂପ ଦୁନିଆ ସାମନାକୁ ଆସିସାରିଛି, କିନ୍ତୁ ବର୍ତ୍ତମାନ ସମୟରେ ସକ୍ରିୟ H5N1 ୧୯୯୬ ମସିହାରେ ଚୀନରୁ ସାମନାକୁ ଆସିଥିଲା । ଏହାକୁ ହାଇ ପ୍ୟାଥୋଜିନେସିଟିର ଭାଇରସ ବୋଲି କୁହାଯାଏ । ଏହାର ମୃତ୍ୟୁ ହାର ପ୍ରାୟ ୬୦ ପ୍ରତିଶତ, ଅର୍ଥାତରେ ଏଥିରେ ସଂକ୍ରମିତ ୧୦ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଚୀନରେ କାହିଁକି ବ୍ୟାପୁଛି ଭାଇରସ
ଚୀନ ମହାମାରୀର କେନ୍ଦ୍ର ହେବା ପଛରେ ଅନେକ ଭୌତିକ ଏବଂ ସାଂସ୍କୃତିକ କାରଣ ରହିଛି । ଏଥିରେ ଜନସଂଖ୍ୟାର ଘନତ୍ୱ, ଜଙ୍ଗଲ ଜୀବଜନ୍ତୁଙ୍କୁ ଖାଦ୍ୟ ରୂପେ ଗ୍ରହଣ ଏବଂ ଅତ୍ୟଧିକ ସହରୀକରଣ ପରି ଦିଗ ସାମିଲ ରହିଛି । ବିଶେଷଜ୍ଞଙ୍କ ମତେ ସାରା ଦୁନିଆରେ ମାଂସର କାରବାର ବଢୁଛି । ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି ଏବଂ ଫାର୍ମିଂ ବଢିବାରେ ଲାଗିଛି । ଏହି କାରଣରୁ ଜଙ୍ଗଲୀ ଜୀବଜନ୍ତୁଙ୍କଠାରୁ ଭୂତାଣୁ ଫାର୍ମିଂ କରାଯାଉଥିବା ଜୀବଙ୍କ ନିକଟକୁ ଆସିଥାଏ । ଏହାପରେ ମଣିଷଙ୍କ ଶରୀରକୁ ଯାଇଥାଏ ।
ଜନସଂଖ୍ୟାର ଘନତ୍ୱ: ଚୀନର ଜନସଂଖ୍ୟା ଏକ ବିଲିୟନରୁ ଅଧିକ । ଏହାର ସହରାଞ୍ଚଳରେ ଅତ୍ୟଧିକ ଘନତ୍ୱ ରହିଛି । ତେଣୁ ରୋଗ ସଂକ୍ରମଣ ତୀବ୍ର ବେଗରେ ବ୍ୟାପିଥାଏ ।
ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ସମ୍ପର୍କ: ଚୀନର ଲୋକ ଅଧିକାଂଶ ସମୟରେ ଜଙ୍ଗଲୀ ଜୀବଜନ୍ତୁଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି । ଏହି ଜୀବଜନ୍ତୁ ଅନେକ ଭାଇରସ ନିଜ ସହ ଧରି ଆସିଥାନ୍ତି । କରୋନା ଭାଇରସର ଉତ୍ପତ୍ତି ବାଦୁଡ଼ି ପରି ଜୀବଠାରୁ ହୋଇଥିବା ଦାବି କରାଯାଇଛି ।
ଆଦ୍ର ମାର୍କେଟ୍: ଚୀନର ଆଦ୍ର ମାର୍କେଟରେ ଅନେକ ପ୍ରକାରର ଜଙ୍ଗଲୀ ଜୀବଜନ୍ତୁଙ୍କୁ ବିକ୍ରି କରାଯାଏ । ଏହିଠାରୁ ସଂକ୍ରମଣ ବ୍ୟାପିବାର ବିପଦ ସବୁଠୁ ଅଧିକ । ମାଂସ ମାର୍କେଟରେ ଜୀବଜନ୍ତୁଙ୍କ ମାଂସ ଏବଂ ରକ୍ତ ମଣିଷ ସଂସ୍ପର୍ଶରେ ଆସିଥାଏ । ଯାହା ଭାଇରାସ ବ୍ୟାପିବାର ଏକ ବଡ଼ କାରଣ ।