‘ମୁଁ ସାଧାରଣ ମୃତ୍ୟୁ ଚାହେଁନି, ମୋ ଛାତିରେ ମେଡାଲ ସହ ମରିବାକୁ ଚାହେଁ’, କନ୍ଦାଇ ଦେବ ସହିଦ କ୍ୟାପ୍ଟେନ ଅଂଶୁମାନଙ୍କ ପତ୍ନୀଙ୍କ ଭିଡିଓ

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ: ସହିଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କ ପତ୍ନୀ ସ୍ମୃତି ସିଂହ ନିଜ ସ୍ୱାମୀଙ୍କ ସର୍ବୋଚ୍ଚ ବଳିଦାନ ପୂର୍ବରୁ ତାଙ୍କ ସହ ବିତାଇଥିବା ଅଭୁଲା ସ୍ମୃତିକୁ ମନେ ପକାଇଛନ୍ତି । ଯାହାକୁ ଶୁଣିଲେ ଯେ କେହି ବି ନିଜ ଲୁହକୁ ଅଟକାଇ ପାରିବନି । କ୍ୟାପ୍ଟେନ ଅଂଶୁମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୀର୍ତ୍ତି ଚକ୍ର (ମରଣୋତ୍ତର)ରେ ସମ୍ମାନିତ କରିଛନ୍ତି । ଜୁଲାଇ ୧୯ରେ ସିୟାଚିନ୍ ଗ୍ଲାସିୟରରେ ଆର୍ମୀ ଶିବିରରେ ନିଆଁ ଲାଗିଥିଲା । କ୍ୟାପ୍ଟେନ ଅଂଶୁମାନ ସିଂହ ଅନ୍ୟମାନଙ୍କୁ ଉଦ୍ଧାର କରିଥିବା ବେଳେ ନିଜେ ସହିଦ ହୋଇଥିଲେ । 

ସ୍ମୃତି ସିଂହ ନିଜର ପୁରୁଣା ଦିନକୁ ମନେ ପକାଇ କହିଛନ୍ତି ଯେ ତାଙ୍କ ସ୍ୱାମୀ ଗତ ବର୍ଷ ଜୁଲାଇ ୧୮ ରାତିରେ ଦୀର୍ଘ ସମୟ ଯାଏ କଥାବର୍ତ୍ତା କରିଥିଲେ ଏବଂ ଏହାର ଗୋଟିଏ ଦିନ (ଜୁଲାଇ ୧୯) ପରେ ଜଣାପଡ଼ିଥିଲା ଯେ କ୍ୟାପ୍ଟେନ ଅଂଶୁମାନ ସିଂହ ଆଉ ନାହାନ୍ତି । ସେ କହିଛନ୍ତି ଯେ ଦୁହେଁ ପ୍ରଥମ ଦେଖାରେ ପରସ୍ପରକୁ ଭଲ ପାଇ ବସିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସହିଦ ହେବାର ଗୋଟିଏ ରାତି ପୂର୍ବେ ଦୁହେଁ ଭବିଷ୍ୟତକୁ ନେଇ କଥା ହୋଇଥିଲେ, ଯେଉଁଥିରେ ଘର କରିବା ଏବଂ ପିଲା ଜନ୍ମ ଉପରେ କଥା ହୋଇଥିଲେ । କିନ୍ତୁ ଗୋଟିଏ ଦିନ ପରେ ତାଙ୍କର ସହିଦ ଖବର ମିଳିଲା ।    


ସ୍ମୃତି ସିଂହ ଏବଂ କ୍ୟାପ୍ଟେନ ଅଂଶୁମାନ ପରସ୍ପରକୁ କଲେଜରେ ଭେଟିଥିଲେ । ସ୍ମୃତି କହିଛନ୍ତି, 'ଆମେ କଲେଜର ପ୍ରଥମ ଦିନରେ ଭେଟିଥିଲୁ । ମୁଁ ନାରଟୀକ ହେବି ନାହିଁ, କିନ୍ତୁ ଏହା ପ୍ରଥମ ଦେଖାର ପ୍ରେମ ଥିଲା । ଗୋଟିଏ ମାସ ପରେ ତାଙ୍କର ଚୟନ ସଶସ୍ତ୍ର ବଳ ମେଡିକାଲ କଲେଜରେ ହୋଇଥିଲା । ଆମେ ଇଞ୍ଜିନିୟରିଂ କଲେଜରେ ଭେଟିଥିଲୁ ଏବଂ ତାଙ୍କ ଚୟନ ମେଡିକାଲ କଲେଜରେ ହୋଇଥିଲା, ସେ ଜଣେ ବୁଦ୍ଧିମାନ ପିଲା ଥିଲେ ।' ଏହି କଥା କହି ସେ ନିଜ ଭାବନାକୁ ରୋକି ପାରିନଥିଲେ । ଅଂଶୁମାନ ଏବଂ ସ୍ମୃତି ସିଂହଙ୍କ ବିବାହ ୨୦୨୩ ଫେବ୍ରୁଆରୀରେ ହୋଇଥିଲା ।

ସ୍ମୃତି କହିଛନ୍ତି, ‘ସେ (ଅଂଶୁମାନ) ମୋତେ କହିଥୁଲେ, ମୁଁ ଅନ୍ୟମାନଙ୍କ ପରି ସାଧାରଣ ମୃତ୍ୟୁ ମରିବି ନାହିଁ, ମୁଁ ମୋ ଛାତିରେ ପଦକ ସହ ମରିବି ।' ସ୍ମୃତି ସିଂହ କହିଛନ୍ତି ଯେ ଆମେ ଆମ ଜୀବନକୁ ଟିକିଏ ସମ୍ଭାଳି ପାରିବୁ, କାରଣ ସେ ବହୁତ କିଛି ସମ୍ଭାଳିଛନ୍ତି । ସେ ନିଜ ଜୀବନ ଏବଂ ପରିବାରକୁ ତ୍ୟାଗ କରିଦେଲେ ଫଳରେ ଅନ୍ୟ ସୈନ୍ୟ ପରିବାରକୁ ବଞ୍ଚାଇ ପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.