କାମାକ୍ଷାନଗର ୧୩।୬: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ବାରଣ କରିବାରୁ ତଣ୍ଟିଚିପି ହତ୍ୟା କଲା ପିଶାଚ ସ୍ୱାମୀ । ଯାହାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ଅଞ୍ଜଳି ବେହେରା ।
ଅଞ୍ଜଳିଙ୍କ ବାପଘର କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ । ସେ ୧୧ ବର୍ଷ ତଳେ ଅଁଳାକଟା ଗାଁର ଦିଲେଶ୍ବର ବେହେରାଙ୍କୁ ବୈଦିକରୀତିରେ ବିବାହ କରିଥିଲେ । ଏଥିସହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି । ଅଞ୍ଜଳିଙ୍କ ସ୍ୱାମୀ ଦିଲେଶ୍ବର ଗତ ଦୁଇ ବର୍ଷ ହେବ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ସେ ଗ୍ରାମର ଅନ୍ୟ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । ସ୍ତ୍ରୀ ଅଞ୍ଜଳି ତାଙ୍କୁ ବାରମ୍ବାର ବାରଣ କରୁଥିଲେ । ମାତ୍ର ସେ ତାହା ନଶୁଣି ସ୍ତ୍ରୀଙ୍କୁ ନିର୍ଯାତନା ଦେଇଆସୁଥିଲେ ।
ଦିଲେଶ୍ବର ପରଜଙ୍ଗ ବୃନ୍ଦାବନପୁର ଠାରେ ଏକ ଜଳଖିଆ ଦୋକାନ ଦେବା ସହିତ ଭଡାରେ ରହି ଆସୁଥିଲେ । ଗୁରୁବାର ରାତିରେ ଦିଲେଶ୍ବର ସ୍ତ୍ରୀଙ୍କ ମୃତଦେହକୁ ନେଇ ଅଁଳାକଟା ସ୍ଥିତ ନିଜ ବାସଭବନକୁ ନେଇଯାଇଥିଲେ । ପରେ ମୃତକଙ୍କ ପୁଅ ଫୋନ୍ ଯୋଗେ ଅଜା ଘର ଲୋକଙ୍କୁ ମା’ ଦେହ ବହୁତ ଖରାପ ଅଛି ଶୀଘ୍ର ଆସିବା ପାଇଁ ଜଣାଇଥିଲେ । ତେବେ ବାପଘର ଲୋକ ଆସିଲା ବେଳକୁ ଅଞ୍ଜଳିଙ୍କ ମୃତଦେହ ଘର ବାରଣ୍ଡାରେ ଥିବା ଦେଖିବାକୁ ପାଇଥିଲେ । ଅଞ୍ଜଳିଙ୍କ ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଦିଲେଶ୍ବରକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି ପରଜଙ୍ଗ ପୋଲିସ।
You Can Read:
ପୋଲିସର ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୫ ବନ୍ଧୁକ ବେପାରୀ, ପୋଲିସ ସାଜିଥିଲା ଗ୍ରାହକ