ଆନନ୍ଦପୁର: ଭାଇମାନଙ୍କୁ ଲଗାଇ ପ୍ରଥମେ ଠେଙ୍ଗାରେ ସ୍ବାମୀକୁ ମାଡ଼ ମାରିଲେ । ସେତିକିରେ ମନ ଭରିଲାନି ଯେ, ଠେଙ୍ଗାମାଡ଼ ଖାଇ ତଳେ ପଡ଼ିଥିବା ସ୍ବାମୀ ଉପରକୁ ଗରମ ପାଣି ଛାଟିଦେଲେ ସ୍ତ୍ରୀ। ଆନନ୍ଦପୁର ଉପଖଣ୍ଡ ସୋସୋ ଠୁଣିଗାଁ ଠାରେ ସୋମବାର ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁତର ସ୍ବାମୀ କୃଷ୍ଣ ନାୟକକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କୃଷ୍ଣ ନାୟକ ୧୦ ବର୍ଷ ତଳେ ନିଜ ଗାଁର କୁନି ନାୟକଙ୍କୁ ବିବାହ କରିଥିଲେ । ହେଲେ ୪ ବର୍ଷ ତଳେ ସେମାନଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥିଲା। ଆଉ ଏଥିପାଇଁ ପତ୍ନୀ ବାପ ଘରକୁ ଚାଲିଯାଇଥିଲେ।
ତେବେ ସୋମବାର ସନ୍ଧ୍ୟାରେ କାମ ସାରି ଫରୁଥିବାବେଳେ, କୃଷ୍ଣ ନିଜ ଶ୍ବଶୁର ଘରକୁ ଯାଇଥିଲେ। ଆଉ ସେଠାରେ ହିଁ ତାଙ୍କୁ ଆକ୍ରମଣ ହୋଇଥିଲା। ତେବେ ଏଭଳି ମତାନ୍ତର ପଛରେ ଶ୍ବଶୁର ଘର ଲୋକଙ୍କ ହାତଥିବା କହିଛନ୍ତି କୃଷ୍ଣ ନାୟକ।