ବୋରିଗୁମ୍ମା ୧୬।୪: ଗାଁରେ ହେଟା ବାଘ ଆତଙ୍କ । ହେଟା ବାଘ ଆକ୍ରମଣରେ ବାଛୁରୀ ଗୁରୁତର । ବୋରିଗୁମ୍ମା ବିଜାପୁର ଗାଁରେ ହେଟା ବାଘ ଆତଙ୍କ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ଗୋଟିଏ ବଡ଼ ହେଟା ବାଘ ବିଳମ୍ବିତ ରାତିରେ ଗାଁ ଆଖପାଖ ଅଞ୍ଚଳରେ ବୁଲୁଥିବା ଗାଁ ଲୋକେ ଦେଖିଥିଲେ । କିଛି ଦିନ ପୂର୍ବରୁ ତିନୋଟି ଛେଳିକୁ ମାରିଥିଲା । ବିଜାପୁର ଗାଁର ଗୋପାଳ କୃଷ୍ଣ ରାୟଙ୍କ ଗାଈ ଗୁହାଳରେ ଛୋଟ ବଡ଼ ଗାଈଗୋରୁଙ୍କୁ ରଖିଥିଲେ । ଭୋରରୁ ହେଟା ବାଘ ଗୁହାଳ ଭିତରେ ପଶି ବାଛୁରୀକୁ ଆକ୍ରମଣ କରି କ୍ଷତବିକ୍ଷତ କରି ଚାଲିଯାଇଛି । ବାଛୁରୀଟିର ଗଳା ପାଖରେ ବଡ଼ ଧରଣର କ୍ଷତ ଦେଖି ଗାଈ ମାଲିକ ବୋରିଗୁମ୍ମା ପଶୁ ସମ୍ପଦ ବିଭାଗ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଏବଂ ପଶୁ ସଂପଦ ବିଭାଗ ପହଞ୍ଚି ବାଛୁରୀଟିକୁ ଚିକିତ୍ସା କରିଥିଲେ । ସେପଟେ ହେଟା ବାଘକୁ କିଭଳି କାବୁ କରିବେ ସେଥିପ୍ରତି ତତ୍ପର ଅଛନ୍ତି ବୋଲି ବନ କର୍ମଚାରୀ କହିଛନ୍ତି । ହେଟା ବାଘ ଗାଁରେ ପଶି ଅନ୍ୟ ପଶୁପକ୍ଷୀଙ୍କୁ ଆକ୍ରମଣ କରିବା ପୂର୍ବରୁ ହେଟା ବାଘକୁ କାବୁ କରିବା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ।