ବିରୋଧୀ ଆସନରେ ବସିବେ ନା ସରକାର ଗଢିବାକୁ ଚେଷ୍ଟା କରିବେ ? ଏମିତି ଜବାବ ଦେଲେ ରାହୁଲ

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଇଣ୍ଡିଆ ମେଣ୍ଟ ଦମଦାର ପ୍ରତ୍ୟାବର୍ତ୍ତନ କରି ୨୩୪ ସିଟ୍ ଜିତୁଥିବା ବେଳେ ଏନଡିଏ ୨୯୧ ଆସନରେ ବାଜିମାତ୍ କରିଥିବା ସଙ୍କେତ  ମିଳିଛି। ଇଣ୍ଡିଆ ମେଣ୍ଟରେ ସାମିଲ କଂଗ୍ରେସ ୯୮ ସିଟରେ ଜିତିଛି। କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଏହି ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ରହିଛି। 

ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ଏହି ନିର୍ବାଚନ କେବଳ ଗୋଟିଏ ରାଜନୈତିକ ଦଳ ବିପକ୍ଷରେ ଲଢି ନ ଥିଲେ ବରଂ ଏହି ନିର୍ବାଚନ ଆମେ ବିଜେପି, ସବୁ ସଂସ୍ଥା, ସିବିଆଇ, ଇଡି ବିପକ୍ଷରେ ଲଢିଥିଲୁ। କାରଣ ଏହି ସବୁ ସଂସ୍ଥାକୁ ବିଜେପି କବଜା କରି ନେଇଥିଲା। ଏହି ଲଢେଇ ସମ୍ବିଧାନକୁ ବଞ୍ଚାଇବା ପାଇଁ ଥିଲା। ଯେବେ ବିଜେପି ଆମର ବ୍ୟାଙ୍କ ଆକାଉଣ୍ଟ ସିଜ କଲା, ମୁଖ୍ୟମନ୍ତ୍ରୀଙ୍କୁ  ଜେଲ୍ ପଠାଇଲା, ପାର୍ଟି ଭାଙ୍ଗିଲା, ସେହି ସମୟରେ ଆମର ଲକ୍ଷ୍ୟ ଥିଲା ସମ୍ବିଧାନକୁ ବଞ୍ଚାଇବା। 

Also read: ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବ ବିଜେପି; ବିଜୟ ପରେ ପିଏମ୍ ମୋଦୀ

ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଜନତା ସମ୍ବିଧାନକୁ ବଞ୍ଚାଇବା ପାଇଁ ଏହା ପ୍ରଥମ ବଡ଼ ପଦକ୍ଷେପ ନେଇଛନ୍ତି। କଂଗ୍ରେସ ନିର୍ବାଚନରେ ଆମେ ଇଣ୍ଡିଆ ମେଣ୍ଟକୁ ସମ୍ମାନ ଦେଲୁ। ଯେଉଁଠି ମେଣ୍ଟ ଲଢିଲା ଆମେ ମିଶିକି ଲଢିଲୁ। କଂଗ୍ରେସ ଦେଶକୁ ଏକ ନୂତନ ଭିଜନ ଦେଲା। ଫଳାଫଳ ପରେ ଦେଶରେ ସରକାର ଗଠନ କରିବେ ନା ବିରୋଧୀ ଆସନରେ ବସିବେ। ଏହି ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି, ଏହାକୁ ନେଇ ଆସନ୍ତାକାଲି ଆମେ ନିଷ୍ପତ୍ତି ନେବୁ। ଏହା ଉପରେ ଇଣ୍ଡିଆ ମେଣ୍ଟର ବୈଠକ ହେବ ଏବଂ ଏଥିରେ ନିଷ୍ପତ୍ତି ନିଆଯିବ। ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇ ଦେଇଛନ୍ତି ଯେ ଆମେ ଆପଣଙ୍କୁ ଚାହୁଁନୁ। ସମ୍ବିଧାନ ବଞ୍ଚାଇବାର କାମ ଦେଶର ସବୁଠୁ ଗରିବ ଲୋକେ କରିଛନ୍ତି। ଶ୍ରମିକ, କୃଷକ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ସମ୍ବିଧାନ ବଞ୍ଚାଇଛନ୍ତି। 

ରାହୁଲ ଗାନ୍ଧୀ ଦୁଇଟି ସିଟ୍‌ ଓ୍ଵାଇନାଡ଼ ଓ ରାୟବରେଲୀରୁ ନିର୍ବାଚନ ଲଢିଥିଲେ। ଆଉ ସେ ଦୁଇଟି ସିଟ୍‌ରେ ବିଜୟ ହାସଲ କରିଛନ୍ତି। ତେବେ ସେ କେଉଁ ସିଟ୍ ରଖିବେ ଏବଂ କେଉଁ ସିଟ୍ ଛାଡ଼ିବେ ତାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ସେ ଦୁଇ ସଂସଦୀୟ କ୍ଷେତ୍ରର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.