ହାଇଦ୍ରାବାଦ ୦୨।୦୨; ହାଇଦ୍ରାବାଦ ବୌଦ୍ଧନଗର ଅଞ୍ଚଳରେ ଅଭାବନୀୟ ଘଟଣା। ମା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଲେ ୨ ଝିଅ। ମୃତଦେହ ପାଖରେ ପାଣି ପିଇ ବସି ରହିଲେ । ଜାନୁଆରୀ ୩୧ ତାରିଖରେ ଦୁଇ ଭଉଣୀ ପୋଲିସର ଦ୍ବାରସ୍ଥ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।
୪୫ ବର୍ଷୀୟା ମହିଳା ଜଣଙ୍କ ଜାନୁଆରୀ ୨୩ ତାରିଖରେ ପ୍ରାଣ ହରାଇଥିଲେ। ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଝିଅ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ମହିଳାଙ୍କ ଶ୍ବାସକ୍ରିୟା ଚାଲୁ ନଥିବା ଜାଣି ସ୍ପଷ୍ଟ ହୋଇଥିଲା ଯେ ମାଆ ଆଉ ବଞ୍ଚି ନାହାନ୍ତି। ମା’ଙ୍କ ମୃତ୍ୟୁ ଦୁଇ ଝିଅଙ୍କୁ ଦୋହଲାଇ ଦେଇଥିଲା। ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ ଓ ଆଉ ଜଣଙ୍କ ବୟସ ୨୨ ଥିଲା। ଦୁଇ ଝିଅ ଘର ଖୋଲି ବାହାରକୁ ଆସି ନଥିଲେ। ଡିପ୍ରେସନର ଶିକାର ହୋଇ ଶବ ସହିତ ୧୦ ଦିନ ବିତାଇଥିଲେ।
୩୧ ତାରିଖରେ ମା’ଙ୍କ ଶବ ସତ୍କାର ପାଇଁ ଦୁଇ ଭଉଣୀ ସ୍ଥାନୀୟ ବିଧାୟକଙ୍କ ଘରକୁ ଯିବା ପରେ ଏହି ଘଟଣା ଉପରୁ ପରଦା ଉଠିଥିଲା। ବିଧାୟକଙ୍କ ପରାମର୍ଶରେ ଉଭୟ ପୋଲିସ ନିକଟକୁ ଯିବା ପରେ ୧୦ ଦିନ ହେବ ମା’ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲା। ପୋଲିସ ମହିଳାଙ୍କ ମୃତ ଶରୀରକୁ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନେବା ପରେ ମୃତ୍ୟୁର ସମୟ ସ୍ପଷ୍ଟ ହୋଇଥିଲା। ଦୁଇ ଭଉଣୀ ମାଆଙ୍କ ସହ ରହୁଥିଲେ । କିଛି ବର୍ଷ ପୂର୍ବରୁ ଉଭୟଙ୍କ ପିତା ପରିବାରକୁ ଛାଡି କେଉଁ ଆଡେ ପଳାଇଥିଲେ। ପିତାଙ୍କ ଖୋଜଖବର ନ ଥିବା ବେଳେ ସେମାନଙ୍କର କେହି ବନ୍ଧୁ ପରିଜନ ମଧ୍ୟ ନାହାନ୍ତି। ଉଭୟଙ୍କୁ ବର୍ତ୍ତମାନ କାଉନସେଲିଂ ଦିଆଯାଉଥିବା ନେଇ ପୋଲିସ ପ୍ରକାଶ କରିଛି।