ଭୋଗରାଇ ୦୧।୦୪ : ପାଣି ପାଇଁ ତାତିଲେ ମହିଳା । ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଶତାଧିକ ମହିଳା । ଦୀର୍ଘ ଦିନ ପାଣି ନମିଳିବାରୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି ପଞ୍ଚାୟତବାସୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ କଖଡ଼ା ପଞ୍ଚାୟତରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ , କଖଡ଼ା ପଞ୍ଚାୟତରେ ୮ଟି ଓ୍ୱାର୍ଡରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ପ୍ରାୟ ୬ ମାସ ହେବ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି । ଏ ବାବଦରେ ବ୍ଲକ କାର୍ଯ୍ୟାଳୟ ବାରମ୍ବାର ପଞ୍ଚାୟତବାସୀ ଦୌଡ଼ିବା ସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଭିଯୋଗ କରିଥିଲେ । ହେଲେ ଆଜି ଯାଏଁ କୌଣସି ସୁଫଳ ମିଳିପାରିଲାନି । ଖରା ଦିନରେ ଲୋକ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଶେଷରେ ମଙ୍ଗଳବାର ଦିନ ବାଧ୍ୟ ହୋଇ ଶତାଧିକ ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କୁ ପାଣି ନମିଳିବ, ସେ ଯାଏଁ ଏଭଳି ତାଲା ଝୁଲିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।