ନୂଆଦିଲ୍ଲୀ: ଲୋକସଭାରେ ପାସ୍ ହେଲା ଐତିହାସିକ ମହିଳା ସଂରକ୍ଷଣ ବିଲ୍। ବୁଧବାର, ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ନାମରେ ଏହି ବିଲ୍କୁ ଲୋକସଭାରେ ମଞ୍ଜୁରୀ ମିଳିଛି। ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିଥିବାବେଳେ ବିରୋଧରେ ଦୁଇଟି ଭୋଟ୍ ପଡ଼ିଥିଲା। ତେବେ ଲୋକସଭାରେ ମଞ୍ଜୁରୀ ପରେ ଏବେ ବିଲ୍କୁ ରାଜ୍ୟସଭାରେ ଆଗତ କରାଯିବ।
ବୁଧବାର ପ୍ରାୟ ୬୦ ସାଂସଦ ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚାରେ ଭାଗ ନେଇଥିଲେ। ଏହି ବିଲ୍କୁ ବିଭିନ୍ନ ଦଳ ମଧ୍ୟ ସମର୍ଥନ ଜଣାଇଥିଲେ। ଏହା ସହ ଯଥାଶୀଘ୍ର ଏହାକୁ ଲାଗୁ କରିବା ଏବଂ ଓବିସି କୋଟା ସାମିଲ୍ କରିବା ପାଇଁ ଦାବି କରିଛନ୍ତି। ସେହିଭଳି ସରକାର ଏହାକୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ବିଲ୍ ଉପରେ ଚର୍ଚ୍ଚା ସମୟରେ ବିରୋଧୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ମୃତି ଇରାନୀ, ଅର୍ଜୁନ ମେଘଓ୍ବାଲ ସମେତ ଅନେକ ନେତା ଉତ୍ତର ରଖିଥିଲେ।
ସୂଚନାଥାଉକି, ମୋଦୀ ସରକାରଙ୍କ ଦ୍ବାରା ଡକାଯାଇଥିବା ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହି ବିଲ୍କୁ ଗୃହରେ ଉପସ୍ଥାପିତ କରିଥିଲେ। ଏହି ବିଲ୍ରେ ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସିଟ୍ ସଂରକ୍ଷଣ କରିବା ନେଇ ନିୟମ ରହିଛି। ମୋଦୀ କ୍ୟାବିନେଟ୍ ଏହି ବିଲ୍କୁ ସୋମବାର ମଞ୍ଜୁରୀ ଦେଇଥିଲେ। ଯାହା ପରେ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନର ଏହାକୁ ଉପସ୍ଥାପିତ କରାଯାଇଥିଲା।
ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍କୁ କଂଗ୍ରେସର ସମର୍ଥନ, ସୋନିଆ କହିଲେ ପୂରଣ ହେବ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ