ବିନିକା ୦୩।୦୮ : ଠିକାଦାରଙ୍କ ବିରୋଧରେ ଆନ୍ଦୋଳନ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ଭାରତୀୟ ଖାଦ୍ୟ ନିଗମର ଶତାଧିକ ଶ୍ରମିକ ଏକତ୍ରିତ ହୋଇ ଠିକାଦାରଙ୍କ ମନମୁଖି କାମ ବିରୋଧରେ ଆନ୍ଦୋଳନ କରୁଛନ୍ତି । ବିଶାଳ ରାଲି ସହ ଜନସଭାର କରିଛନ୍ତି ଶ୍ରମିକ ।
ଖବର ଅନୁଯାୟୀ, ଠିକାଦାରଙ୍କ ମନମୁଖି କାମ ବିରୋଧରେ ଶତାଧିକ ଶ୍ରମିକ ଡୁଙ୍ଗୁରିପାଲି ରାମ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଏଫ୍ସିଆଇ ସମ୍ମୁଖରେ ଏକାଠି ହୋଇଥିଲେ । ଏଥିରେ ଭାରତୀୟ ଶ୍ରମିକ ସଂଘ ସଂପାଦକ ତନ୍ମୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈନଦିନ କାମ କରୁଥିବା ଶ୍ରମିକଙ୍କ ଦୁଃଖ ବିଷୟରେ ବୁଝିଥିଲେ । ଆଉ ସମସ୍ତ ଦାବି ପୂରଣ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ସହ ସଂପାଦକ ଆର୍ଏନ୍ ଦାଶ ବି ଯୋଗ ଦେଇଥିଲେ । ଡୁଙ୍ଗୁରିପାଲି ଶ୍ରମିକ ସଂଘର ସଭାପତି ଲଳିତ ବାଗ ସଭାକୁ ସଂଯୋଜନା କରିଥିଲେ । ଏଫ୍ସିଆଇ ମ୍ୟାନେଜର ଶ୍ରମିକମାନଙ୍କ ବୈଠକକୁ ଏଫ୍ସିଆଇ ପରିସରରେ ଅୟୋଜନ ପାଇଁ ଅନୁମତି ନଦେବା ଲାଗି ଅସନ୍ତୋଷ ଦେଖାଦେଇଥିଲେ । ଯାହାଫଳରେ ରାଜରାସ୍ତା ଦୁଇ କଡ଼ରେ ବସି ଶ୍ରମିକମାନେ ବୈଠକ କରିଥିଲେ । ଏହି ବୈଠକରେ ଅନେକ ଦାବି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯେପରି କି ଶ୍ରମିକମାନେ ଯେତିକି ସୁବିଧା ପାଇବା କଥା । ତାହା ସେମାନଙ୍କୁ ମିଳୁନାହିଁ । ପ୍ରତିମାସରେ ପିଏଫ୍ ଦିଆଯାଉନାହିଁ । ବସ୍ତା ଟେକିଂରେ ୬ଟଙ୍କା ବଦଳରେ ୨ ଟଙ୍କା ୮୦ ପଇସା ଦିଆଯାଉଛି । ଦୁର୍ଘଟଣା ଜନିତ କୌଣସି ସୁବିଧା ଦିଆଯାଉନାହିଁ । ଛୁଟି ଦିନ କିମ୍ବା ରବିବାରରେ ସଂପୃକ୍ତ ଠିକାଦାରମାନେ କାମ କରାଉଛନ୍ତି । ହେଲେ ଅଧିକ ମଜୁରୀ ଦେଉନାହାନ୍ତି ।