କଂସ ବଧ ସହ ଶେଷ ହେଲା ବିନିକା ଧନୁଯାତ୍ରା, ୧୧ଦିନ ଧରି କମ୍ପୁଥିଲା ଦରବାର

Published By : Prameya-News7 Bureau | January 03, 2025 IST

ବିନିକା ୩।୧: କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଅସତ୍ୟ ଉପରେ ସତ୍ୟର ଜୟ ଏବଂ ଅଧର୍ମ ଉପରେ ଧର୍ମର ଜୟ ବାର୍ତ୍ତା ଦେଇ ହୋଇଆସୁଛି ଧନୁଯାତ୍ରା । ଆଜକୁ ୨୦ ବର୍ଷ ହେବ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ହୋଇଆସୁଛି । ଦୀର୍ଘ ୧୧ ଦିନ ଧରି ପାଳିତ ହେଉଥିବା ଏହି ଧନୁଯାତ୍ରା ଉଦଯାପିତ ହୋଇଯାଇଛି । ଆଧ୍ୟାତ୍ମିକ ପରିବେଶ ସହ ପୂର୍ବ ପରମ୍ପରା ରୀତିନୀତି ଅନୁସାରେ କୃଷ୍ଣ ବଳରାମଙ୍କ ସମସ୍ତ ଲୀଳା ଖେଳା ସହ କଂସ ମହାରାଜାଙ୍କ ବଧ ପର୍ଯ୍ୟନ୍ତ ସମସ୍ତ ନାଟ୍ୟକୁ ଉପଭୋଗ କରୁଥିଲେ ଅଞ୍ଚଳବାସୀ l ମହାରାଜା କଂସଙ୍କ ନିଧନ ପରେ ଉଦଯାପିତ ହୋଇଥିଲା ଧନୁଯାତ୍ରା ମହୋତ୍ସବ । ବିନିକା ବ୍ଲକ ବାଙ୍କୀଘିଡି ପଞ୍ଚାୟତ ସ୍ଥିତ ଅରିଗାଁ ଏକ ଛୋଟ ଗାଁ ହୋଇଥିଲେ ମଧ୍ୟ ଧନୁଯାତ୍ରା କାରଣରୁ ଏହା ବେଶ ପ୍ରସିଦ୍ଧ । ଗାଁ କମିଟି ଏବଂ ଏହାର ଯୁବକ ମାନଙ୍କ ଅଦ୍ୟମ ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ଧନୁଯାତ୍ରା ଦୀର୍ଘ ୨୦ ବର୍ଷ ପୂରଣ କରିପାରିଛି । ଏହି ବର୍ଷ ମଧ୍ୟ ଧନୁଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଧନୁଯାତ୍ରାର ଉଦଯାପନୀ ସମୟରେ ମହାରାଜ କଂସଙ୍କ ଦରବାରକୁ ଭଟଲି ବିଧାୟକ ଇରାଶିସ୍ ଆଚାର୍ଯ୍ୟ ମୁଖ୍ୟ ରାଜ ଅତିଥି ଭାବରେ ଯୋଗଦେଇ ଧନୁଯାତ୍ରାକୁ ବେଶ୍ ଉପଭୋଗ କରିବା ସହ ପ୍ରତ୍ୟେକ ବର୍ଷ ଏଭଳି ଭାବରେ କମିଟି, ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗ ଲାଗିରହି ଆଗକୁ ଏଭଳି ଭାବରେ ଚାଲିଥାଉ ବୋଲି କହିଥିଲେ l ଏହି କଂସ ଦରବାରକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ, ବିନିକା ବିଡିଓ, ତହସିଲଦାରଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉଦଯାପନୀ ସନ୍ଧ୍ୟାରେ କଂସ ମହାରାଜାଙ୍କ ଦରବାରରେ ରାଜ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଯାତ୍ରା କମିଟିର କାର୍ଯ୍ୟକାରୀ ସଭପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ମଧ୍ୟ କିଭଳି ଭାବରେ ଏହି ଯାତ୍ରାକୁ ବଞ୍ଚାଇ ଆହୁରି ମହା ଆଡ଼ମ୍ବରରେ ଆଗାମୀ ବର୍ଷ ଗୁଡିକରେ ପୁଣି କରାଯିବ ସେନେଇ ସମସ୍ତଙ୍କୁ ଉଦବୋଧନ ଦେଇଥିଲା l 

ମୁଖ୍ୟ ଆକର୍ଷଣ କଂସଙ୍କ ଦରବାରରେ ହେଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମହାରାଜ କଂସଙ୍କ ଅଭିନୟ କରୁଥିବା ସୁଶୀଲ ମେହେରଙ୍କ ସଂଳାପ ଲୋକଙ୍କୁ ମଞ୍ଚ ପାଖକୁ ଟାଣି ନେଇଥିଲା । ଏହି ଧନୁଯାତ୍ରାରେ ମୀନାବଜାର, ବିଭିନ୍ନ ପ୍ରକାରର ରାମଦୋଳି, ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଦୋକାନ ପାଇଁ ପ୍ରବଳ ଗହଳି ହୋଇଥିଲା । କୃଷ ବଳରାମଙ୍କ ସହିତ ମଲ୍ଲ ଯୁଦ୍ଧରେ ମଞ୍ଚରୁ ପଡି କଂସ ବଧ ହେବା ପରେ ଧନୁଯାତ୍ରା ଉଦଯାପିତ ହୋଇଥିଲା l ଏହି ଧନୁଯାତ୍ରାରେ ଅଞ୍ଚଳବାସୀଙ୍କ ସହ ଗ୍ରାମବାସୀ, କର୍ମକର୍ତ୍ତା, କମିଟିର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ସହଯୋଗ ରହିଥିବାରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଶେଷ ହେଉଛି l ଚଳିତ ବର୍ଷ ମଞ୍ଚ ଉପରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ସ୍ମରଣିକା ଉନ୍ମୋଚନ ହୋଇଥିଲା ।

ପୂର୍ବ ପରମ୍ପାରାକୁ ବଞ୍ଚାଇ ଏହି ଯାତ୍ରା ହୋଇଆସୁଥିବା ବେଳେ ଶୀତୁଆ ରାତିରେ କଂସ ଦରବାର ସହିତ ମୀନାବଜାର ସଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ ଅଞ୍ଚଲର ହଜାର ହଜାର ଦର୍ଶକ l 


You Can Read:

ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି, ଆସନ୍ତା ୬ରେ ଲୋୟର ପିଏମ୍‌ଜିରେ ଗର୍ଜିବ ଦଳ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.